ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସିବିଆଇ ତଦନ୍ତ ହେଉ: ବିଜୟ

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଚାଲିଥିବା ବେଆଇନ ନିର୍ମାଣ କାମର ପ୍ରଥମ ଅଭିଯୁକ୍ତ ହେଉଛନ୍ତି ଏଏସ୍ଆଇ ଡିଜି। ସେ ସର୍ତ୍ତମୂଳକ ଅନୁମତି ଦେଇ ପ୍ରଥମ ଭୁଲ୍‌ କରିଛନ୍ତି। ସେହିପରି ପୁରୀ ଜିଲ୍ଲା ପ୍ରଶାସନ ଅତ୍ୟନ୍ତ ଦାୟିତ୍ବହୀନ ଭାବେ କାମ କରୁଛି। ତେଣୁ ଏହାର ସିବିଆଇ ତଦନ୍ତ ହେବା ଦରକାର ବୋଲି ବିଜେପି ନେତା ବିଜୟ ମହାପାତ୍ର ଦାବି କରିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ଯେମିତି ଗତବର୍ଷ ସେପ୍ଟେମ୍ବର ମାସରେ ଗୁଜୁରାଟ ଗାନ୍ଧୀନଗର ସ୍ଥିତ ଏକ ମସଜିଦ ପାଖରେ ଚାଲିଥିବା ଖନନ କାର୍ଯ୍ୟ ନେଇ ଏଏସ୍ଆଇ ମିଛ ଅନୁମତି ଦେଇ ଧରାପଡ଼ିଥିଲା, ଏଠି ସେମିତି ଶ୍ରୀମନ୍ଦିର କ୍ଷେତ୍ରରେ ମଧ୍ୟ ତଦନ୍ତ ହେଲେ ସବୁ ଧରାପଡ଼ିବେ। ସିବିଆଇ ଉକ୍ତ ମାମଲାର ତଦନ୍ତ କରି ଏଏସ୍ଆଇ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ବାନ୍ଧିଥିଲା। ସେଠାରେ ଆମ୍‌ସାର ଆକ୍ଟର ଧାରା ୨୦ଏ ପାଳନ ହୋଇ ନ ଥିଲା। କେନ୍ଦ୍ର ସରକାର ତୁରନ୍ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କ୍ଷେତ୍ରରେ ସିବିଆଇ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ‌ନେଇ ବିବାଦ ବଢ଼ିବାରେ ଲାଗିଛି। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଏଏସ୍‌ଆଇ ପକ୍ଷରୁ ଉପସ୍ଥିତ ଆଇନଜୀବୀ ଦୁଇଟି ତାରିଖରେ ଚୁପ୍ ବସିଲେ। କୋର୍ଟ ଯୁଗ୍ମସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଏଏସ୍‌ଆଇ ତଦନ୍ତ କରି ରିପୋର୍ଟ ଦେଲା।

ତେଣୁ ଏଏସ୍‌ଆଇର ଭୂମିକା ନେଇ ସନ୍ଦେହ ସୃଷ୍ଟି ହେଉଛି। ବିଭାଗୀୟ ଅଧିକାରୀମାନେ ହିଁ ଆସାମୀ। ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେଉ। ୧୯୭୫ ଓ ୧୯୭୯ ମସିହାରେ ରାଜ୍ୟ ସରକାର ଏଏସ୍ଆଇ ସଙ୍ଗେ ଏମ୍ଓୟୁ କରିଥିଲେ। ଆମ୍‌ସାର ଆକ୍ଟ ଅନୁଯାୟୀ ମନ୍ଦିର ଭିତର ଓ ବାହାର ନିଷିଦ୍ଧାଞ୍ଚଳରେ କାମ ଏଏସ୍ଆଇ କରିବ। ହେଲେ ଏହା ହେଉନି। ଏଏସ୍ଆଇ ଓ ରାଜ୍ୟ ପ୍ରଶାସନ ଭିତରେ ସମନ୍ୱୟ ନ ରହିବାରୁ ଏଭଳି ଘଟୁଛି। ମଠ ଉଚ୍ଛେଦ ବି ବେଆଇନ ଥିଲା। ଯାହାକି ଆମ୍‌ସାର ଆକ୍ଟର ଉଲ୍ଲଘଂନ। ଏହି ଆଇନର ଧାରା ୩୦ରେ ମଠ ଓ ଐତିହ୍ୟ ଉଚ୍ଛେଦ ଏଏସ୍‌ଆଇ ଅନୁମତି କ୍ରମେ ହେବା କଥା, ଯାହା ହୋଇନି। ବୈଷୟିକ କମିଟି ଓ ବିଶେଷଜ୍ଞ କମିଟି ଗଠନ କରି ନିର୍ମାଣ କାମ କରିବା ଏଏସ୍ଆଇର ଦାୟିତ୍ୱ। ହେଲେ ଏଏସ୍ଆଇ ତାହା କରିନି। ରାଜ୍ୟ ସରକାର ମଧ୍ୟ ଏହା କରିବାକୁ ଆଗ୍ରହ ଦେଖାଇଲେ ନାହିଁ। ୧୯୯୨ ମସିହାରେ ବିଶେଷଜ୍ଞ କମିଟି ବସି ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ ହୋଇଥିଲା। ଏବେ କାହିଁକି ହେଉନି? ବିନା ସିମେଣ୍ଟ ଓ ରଡ଼ରେ ହଜାର ହଜାର ବର୍ଷ ଧରି ତିଷ୍ଠି ରହିଥିବା ଶ୍ରୀମନ୍ଦିର ସମ୍ପର୍କରେ ଅନୁଧ୍ୟାନ ହେବା ପରେ ପରବର୍ତ୍ତୀ କାମ ହେଉ।

ଅପରପକ୍ଷେ ରାମାନୁଜଙ୍କ ପ୍ରତିମୂର୍ତ୍ତି ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରୁଥିବା ବେଳେ ପୁରୀରେ ରାମାନୁଜଙ୍କ ଏମାର ମଠ ଭଙ୍ଗା ଗଲା। କେହି ପ୍ରତିବାଦ କଲେନି। ସମସ୍ତେ ରାଜନୈତିକ ବୟାନବାଜି କରୁଛନ୍ତି। ଜଗନ୍ନାଥଙ୍କୁ କାଖେଇ, ମୁଣ୍ଡାଇ ଯେଉଁମାନେ ମନ୍ତବ୍ୟ ଦେଉଛନ୍ତି ସେମାନେ ଜଗନ୍ନାଥଙ୍କୁ ଖେଳନା ନକରନ୍ତୁ। ସେହିପରି ଜିପିଆର, ଇମ୍ପ୍ୟାକ୍ଟ ଆସେସମେଣ୍ଟ ଓ ହେରିଟେଜ ସର୍ଭେ କାମ ଏଏସ୍‌ଆଇ କରିବା କଥା। ତାହା ବି କରୁନି। ବେଆଇନ ଖନନରେ ସିଂହମୂର୍ତ୍ତି ମାଟି ତଳୁ ବାହାରିବା ପରେ ଏଏସ୍‌ଆଇ ଏହାକୁ ଝାଡ଼ିଝୁଡ଼ି ରଖିଦେଇ ଚୁପ ବସିଛି। ଏଥିରୁ ଏଏସ୍‌ଆଇ କେତେ ତତ୍ପର ଜଣାପଡ଼ୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର