ଶିଶୁମାନେ ପ୍ରଗତିର ସୂତ୍ରଧର ହୁଅନ୍ତୁ: ରାଜ୍ୟପାଳ

ସ୍ବାଧୀନତାର ଅମୃତ ମହୋତ୍ସବ ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା, ଇଂରାଜୀରେ ଶାଶ୍ବତୀ, ଓଡ଼ିଆରେ ସାଇପ୍ରିୟା ପ୍ରଥମ

ଭୁବନେଶ୍ବର : ଗୋପବନ୍ଧୁ ରାଷ୍ଟ୍ରପତି ନଥିଲେ, ହେଲେ ସମସ୍ତଙ୍କ ହୃଦୟରେ ଥିଲେ। ଆଦିଶକ୍ତିରୁ ପ୍ରାପ୍ତ ସତ୍ୟର ସୁଗନ୍ଧରେ ନିଜ ସହ ସମଗ୍ର ପରିବେଶକୁ ସୁବାସିତ କରିପାରିଥିଲେ। ରାଜ୍ୟର କୋଣ ଅନୁକୋଣରୁ ନିଜର ସୁଗନ୍ଧ ନେଇ ଯେଉଁମାନେ ଆଜି ଏଠାରେ ପହଞ୍ଚି ପାରିଛନ୍ତି, ପୁରସ୍କୃତ ହୋଇଛନ୍ତି ସେମାନେ ପ୍ରଗତିର ସୂତ୍ରଧର ହୁଅନ୍ତୁ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌।

ରାଜ୍ୟପାଳଙ୍କ ପରାମର୍ଶ କ୍ରମେ ଓଡ଼ିଶା ସରକାରଙ୍କ ସହଯୋଗିତାରେ ‘ସମ୍ବାଦ ଗ୍ରୁପ୍’ ପକ୍ଷରୁ ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ରବିବାର ଦିନ ରାଜଭବନ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଫେସର ଲାଲ କହିଲେ, ସାରା ରାଜ୍ୟରୁ ୭୦ ହଜାର ପିଲା ଭାଗ ନେଇଥିଲେ। ସେମାନଙ୍କୁ ପ୍ରସ୍ତୁତ କରାଇଥିଲେ ସେମାନଙ୍କର ଅଭିଭାବକ। ପରୋକ୍ଷରେ ସେମାନେ ଏଥିରେ ସାମିଲ ହୋଇଥିଲେ। ଅର୍ଥାତ୍‌ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କର ଏଥିରେ ଭାଗିଦାରୀ ରହିଛି। ଯେତେବେଳେ ପ୍ରତିଟି ବ୍ୟକ୍ତି ଗୋଟିଏ କାର୍ଯ୍ୟରେ ଭାଗିଦାର ହୋଇଯାଏ ତାହାକୁ ହିଁ ମହୋତ୍ସବ କୁହାଯାଏ। ପୃଥିବୀକୁ ଅନ୍ଧକାରରୁ ଆଲୋକ ଆଡ଼କୁ ବା ଜଗନ୍ନାଥଙ୍କ ଆଡ଼କୁ ନେଇଯିବା ହେଉଛି ଆଜାଦୀ। ବିଶ୍ବକୁ କେହି ଯେଭଳି ବିଭାଜନ କରିନପାରେ ତାହା ହିଁ ଆଜାଦୀର ମୂଳମନ୍ତ୍ର। ଭାରତବର୍ଷ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଶିଶୁମାନଙ୍କର ଏଭଳି ସହଭାଗିତା ହିଁ ତାହାର ଯଥାର୍ଥତା ପ୍ରତିପାଦନ କରୁଛି।

ବୃତ୍ତି ଓ ପ୍ରବୃତ୍ତି ମେଳ ଖାଇଲେ ସଫଳତା ମିଳିବ: ସୌମ୍ୟରଂଜନ
ସଫଳ ବ୍ୟକ୍ତି ପାଇଁ ସ୍ବପ୍ନ ଦେଖିବା ପ୍ରଥମ ଆବଶ୍ୟକତା: ମୁଖ୍ୟ ସଚିବ

ରାଜ୍ୟପାଳ କହିଥିଲେ, ‘ସମ୍ବାଦ’ ଟିମ୍‌କୁ ଯେତେ ଧନ୍ୟବାଦ ଦେଲେ କମ୍‌ ହେବ। ସାରାରାଜ୍ୟରେ ଗୋଟିଏ ଦିନରେ ପରୀକ୍ଷା କରି ଏହି ସଫଳ ଶିଶୁମାନଙ୍କୁ ବାଛିଆଣିବା ମୋତେ ଅସମ୍ଭବ ଲାଗୁଥିଲା। ଯେତେବେଳେ ମୁଁ ଏହି ପ୍ରସ୍ତାବ ଦେଲି କିଛି ଚିନ୍ତା ନ କରି ‘ସମ୍ବାଦ’ ମୁଖ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକୁ ସେ ସଫଳତାର ସହ ନିଭାଇଛନ୍ତି ବୋଲି ଆଜି ପ୍ରମାଣିତ ହୋଇଛି।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ଆମେ ଆଜି ସ୍ବପ୍ନ ଦେଖିଲେ ହିଁ ତାକୁ କାଲି ସାକାର କରିପାରିବା। ପ୍ରତ୍ୟେକ ସଫଳ ବ୍ୟକ୍ତି ପାଇଁ ସ୍ବପ୍ନ ଦେଖିବା ହିଁ ପ୍ରଥମ ଆବଶ୍ୟକତା। ରାଜ୍ୟର କୋଣ ଅନୁକୋଣରୁ ପିଲାମାନେ ଓଡ଼ିଶା ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଆଜି ପ୍ରବନ୍ଧ ଜରିଆରେ ଲିପିବଦ୍ଧ ହୋଇଛି।

ମୋତେ ଲାଗୁନି ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଏତେ ପିଲାଙ୍କୁ ସାମିଲ କରି ଅନ୍ୟ କେଉଁ ରାଜ୍ୟ ଏଭଳି ପ୍ରତିଯୋଗିତା ଆୟୋଜନ କରିଥିବ। ରାଜ୍ୟପାଳଙ୍କ ଇଚ୍ଛାକୁ ବାସ୍ତବ ରୂପ ଦେଇଥିବା ‘ସମ୍ବାଦ ଗ୍ରୁପ୍‌’ ଏଥିପାଇଁ ଧନ୍ୟବାଦର ପାତ୍ର। ଏହି ପ୍ରତିଯୋଗିତା ପିଲାମାନଙ୍କୁ ସ୍ବାଧୀନତା ସଂଗ୍ରାମ ବିଷୟରେ ପ୍ରେରଣା ଯୋଗାଇବ। ମହାବାତ୍ୟା ପରେ ଦୁର୍ବିପାକ ପରିଚାଳନାରେ ଓଡ଼ିଶା ୧ ନମ୍ବର ହୋଇଛି। ସ୍ପୋର୍ଟସ୍‌ ହବ୍‌ ଭାବରେ ପରିଗଣିତ ହୋଇଛି। କେବଳ ଏହି ଧାରା ବଜାୟ ରଖିବାକୁ ନୁହେଁ, ବରଂ ରାଜ୍ୟକୁ ଏକ ଆଦର୍ଶ ରାଜ୍ୟ ଭାବରେ ପରିଗଣିତ କରିବାକୁ ଏହି ପିଲାମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ହେବ।

ସମ୍ବାଦ ଗ୍ରୁପ୍‌ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ, ଆଜି ରାଜଭବନରେ ରତ୍ନ ଭଣ୍ଡାର ଖୋଲିଛି। ରାଜ୍ୟର କୋଣ ଅନୁକୋଣରୁ ଯେଉଁମାନେ ବଛା ହୋଇ ଆସିଛନ୍ତି ସେମାନେ ଓଡ଼ିଶାର ଗୋଟିଏ ଗୋଟିଏ ରତ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେହି ରତ୍ନମାନଙ୍କ ମଧ୍ୟରେ ଦୁଇ ତୃତୀୟାଂଶ ଛାତ୍ରୀ ଅଛନ୍ତି। ମୁଁ ସେମାନଙ୍କ ମଧ୍ୟରେ ଜଣେ ଜଣେ ଦ୍ରୌପଦୀ ମୁର୍ମୁ ଦେଖୁଛି। ସରକାର ମହିଳା ସଶକ୍ତୀକରଣକୁ ଗୁରୁତ୍ବ ଦେଇଛନ୍ତି। ରାଜଭବନ‌ରେ ଯେଉଁଠି ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ଶପଥ ନିଅନ୍ତି, ସେହିଠା‌ରେ ହିଁ ‘ମୋ ସ୍ବପ୍ନର ଓଡ଼ିଶା’ ଓ ‘ବିଶ୍ବ ଗୁରୁ ଭାରତ’ ଶୀର୍ଷକ ପ୍ରବନ୍ଧ ପାଇଁ ଏହି ସଫଳ ଛାତ୍ରଛାତ୍ରୀମାନେ ସମ୍ବର୍ଦ୍ଧିତ ହୋଇଛନ୍ତି। ଭାରତ ସେତେବେଳେ ଗୁରୁ ହୋଇପାରିବ ଯେତେବେଳେ ଭାରତକୁ ଚଳାଉଥିବା ବ୍ୟକ୍ତିଙ୍କ ପାଖରେ ଗୁରୁସୁଲଭ ଗୁଣ ରହିବ। ଆଜିର ଏହି ସଫଳ ଛାତ୍ରଛାତ୍ରୀମାନେ ହିଁ ଭବିଷ୍ୟତରେ ଗୁରୁ ହୁଅନ୍ତୁ ବୋଲି ସେ କାମନା କରିଛନ୍ତି।

ସେ କହିଥିଲେ, ଛାତ୍ରଛାତ୍ରୀମାନେ ନିଜ ଇଚ୍ଛାରେ ବୃତ୍ତି ଚୟନ କରନ୍ତୁ। ବୃତ୍ତି ଓ ପ୍ରବୃତ୍ତି ମଧ୍ୟ‌ରେ ମେଳ ନ ଖାଇଲେ ସଫଳତା ମଳିବ ନାହିଁ। ବିଶ୍ବଗୁରୁ ହେବାକୁ ହେଲେ ଅହଙ୍କାରକୁ ଛାଡ଼ିବାକୁ ପଡ଼ିବ, ଅନୁକମ୍ପାକୁ ଆଦରିବାକୁ ପଡ଼ିବ, ଏଭଳି ଏକ ଆଚରଣ ପ୍ରଦର୍ଶନ କରିବ ଯେଉଁଥିରେ ଅନ୍ୟମାନଙ୍କର ଅନୁକରଣୀୟ ହେବ। ଆଜି ଭାରତ ବିଶ୍ବଗୁରୁ ହେବାକୁ ଯେଉଁ ସମ୍ଭାବନାର ଦ୍ବାର ଖୋଲିବାକୁ ଯାଉଛି ସେଥିରେ ଓଡ଼ିଶା ଓ ଜଗନ୍ନାଥଙ୍କର ଆଶୀର୍ବାଦ ପ୍ରୟୋଜନ। ଆମେ ଦରିଦ୍ର ହେଲେ ମଧ୍ୟ ଭାରତକୁ ବିଶ୍ବଗୁରୁ କରିବା ପାଇଁ ଯେଉଁ ଗୁଣ ଦରକାର ସେ ଗୁଣ ଆମକୁ ଜଗନ୍ନାଥ ଦେଇଛନ୍ତି। ସେହି ମାଟିର ସନ୍ତାନ ଭାବରେ ଯଦି ଆମେ ଆଗକୁ ଯାଇ ନ ପାରିବା ତେବେ ଆମକୁ କେହି କ୍ଷମା ଦେବେନି। ଆମେ ପୂର୍ବରୁ ଅନେକ ପ୍ରତିଯୋଗିତା କରିଛୁ। କିନ୍ତୁ ଆଜି ଲାଗୁଛି ଜଗନ୍ନାଥ ହିଁ ରାଜ୍ୟପାଳଙ୍କ ହାତରେ ଆମକୁ ଏହି ସୁଯୋଗ ଦେଇଛନ୍ତି ବୋଲି ସେ କହିଥିଲେ।

‘ଆମ ଓଡ଼ିଶା’ ସମ୍ପାଦକ ସ୍ବରାଜ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିବା ଅବସରରେ ଏହି ପ୍ରବନ୍ଧ ପ୍ରତିଯୋଗିତାର ଯାତ୍ରା ଉପରେ ଆଲୋକପାତ କରିଥିଲେ। ରାଜ୍ୟପାଳ ଇଂରାଜୀ ଓ ଓଡ଼ିଆ ଭାଷା ବର୍ଗର ଚୂଡ଼ାନ୍ତ ପ୍ରତିଯୋଗିତାର ୬ ଜଣ ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଇଂରାଜୀରେ ଶାଶ୍ୱତୀ ନାୟକ, ସୃଷ୍ଟି ସ୍ମରଣିକା ବିଶି ଓ ସାଂଚି ଅଗ୍ରୱାଲ ଏବଂ ଓଡ଼ିଆରେ କୁମାରୀ ସାଇପ୍ରିୟା ଗିରି, ସ୍ୱପ୍ନଜିତ ନାୟକ, ସ୍ୱାଗତିକା ଚୌଧୁରୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରଥମ ପୁରସ୍କାର ପଚାଶ ହଜାର, ଦ୍ୱିତୀୟ ପୁରସ୍କାର ତିରିଶ ହଜାର ଓ ତୃତୀୟ ପୁରସ୍କାର କୋଡ଼ିଏ ହଜାର ଟଙ୍କା ନଗଦ ଅର୍ଥ ରାଶି ସହ ପ୍ରଶଂସାପତ୍ର ପ୍ରଦାନ କରା ଯାଇଥିଲା। ରାଜ୍ୟପାଳ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ସମ୍ବାଦ ଗ୍ରୁପ୍‌ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ରାଜଭବନ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର ମଞ୍ଚାସୀନ ଥିଲେ। ସୁଚେତା ପ୍ରିୟଦର୍ଶିନୀ ପୁରସ୍କାର ବିତରଣ ଉତ୍ସବ ସଂଯୋଜନା କରିଥିଲେ।

ଅପରାହ୍ନରେ ରାଜଭବନ ଅଭିଷେକ ହଲ୍‌ରେ ୩୦ ଜିଲ୍ଲା ଓ ୫ ମହାନଗର ନିଗମରେ ହୋଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଦେଇ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ଏହାକୁ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ରକ୍ଷକ ନାୟକ ପରିଚାଳନା କରିଥିଲେ। ସତ୍ୟବାଦୀ ଆଦର୍ଶ ବିଦ୍ୟାଳୟର ଛାତ୍ର ସାଇ ସୋହମ୍‌ ପ୍ରଧାନ ରାଜ୍ୟପାଳଙ୍କୁ ଏକ ପେଣ୍ଟିଂ ପ୍ରଦାନ କରିଥିଲେ।

 

ସମ୍ବନ୍ଧିତ ଖବର