ଭୁବନେଶ୍ବର: ରେଭେନ୍‌ସା ନାମ ପରିବର୍ତ୍ତନ ନେଇ ଚାଲିଥିବା ବିତର୍କ ବନ୍ଦ ହେଉ।  ରେଭେନ୍‌ସା ୧୫୬ ବର୍ଷର ଏକ ଅନୁଷ୍ଠାନ, ଯାହା ଲକ୍ଷ ଲକ୍ଷ ଓଡ଼ିଆଙ୍କ ପାଇଁ ଏକ ସଶ୍ରଦ୍ଧ ମଧୁର ଶବ୍ଦ। ସେହି ନାମକୁ ଜଣେ ବ୍ୟକ୍ତିଙ୍କର ନାମ ବୋଲି କହି, ଇତିହାସକୁ ନିଜ ଢଙ୍ଗରେ ବର୍ଣ୍ଣନା କରି ଶିକ୍ଷାନୁଷ୍ଠାନର ନାମ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ। ଏ ବିତର୍କ ବନ୍ଦ ନହେଲେ କିମ୍ବା ସରକାର ସ୍ପଷ୍ଟୀକରଣ ନଦେଲେ ରେଭେନ୍‌ସା ନାମ ପରିବର୍ତ୍ତନକୁ ବିରୋଧ କରି ଆନ୍ଦୋଳନକୁ ବ୍ୟାପକ କରାଯିବ। ରାଜ୍ୟର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଏହି ନାମ ପରିବର୍ତ୍ତନ ବିରୋଧରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ। ଆନ୍ଦୋଳନକୁ କେବଳ ରେଭେନସାଭିଆନ୍‌ଙ୍କ ଭିତରେ ସୀମାବଦ୍ଧ ନକରି ସବୁ ଓଡିଶାବାସୀଙ୍କ ପାଖକୁ ନିଆଯିବ। କଟକରେ ଏଥିପାଇଁ ଏକ ଗଣ କନଭେନ୍ସସନ ଆୟୋଜିତ ହେବ। ଦେଶ ବିଦେଶରେ ଥିବା ପ୍ରବାସୀ ରେଭେନସାଭିଆନ୍‌ମାନଙ୍କୁ ଆନ୍ଦୋଳନରେ ସାମିଲ କରାଯିବ। ଆଜି ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ‘ରେଭେନ୍‌ସା ହେରିଟେଜ୍ ଫୋରମ୍’ର ଏକ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। 

Advertisment

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ଅନେକ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ରେଭେନ୍‌ସାର ପୁରାତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଏହି ଅବସରରେ ବିଶିଷ୍ଟ ଭାଷାବିତ୍‌ ଦେବୀ ପ୍ରସନ୍ନ ପଟ୍ଟନାୟକ କହିଥିଲେ, ରେଭେନ୍‌ସା ନାମ ପରିବର୍ତ୍ତନର କୌଣସି ଯଥାର୍ଥତା ନାହିଁ। ଏ ନାମ ପରିବର୍ତ୍ତନ ପ୍ରସଙ୍ଗର ରାଜନୀତିକରଣ ହେବା ଉଚିତ୍‌ ନୁହେଁ। ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ଅମୀୟ ଭୂଷଣ ତ୍ରିପାଠୀ ରେଭେନ୍‌ସା ନାମ ପରିବର୍ତ୍ତନ ହେଲେ ଜୋରଦାର ବିରୋଧ କରାଯିବ ବୋଲି କହିଥିଲେ। ଫୋରମ୍‌ର ଆବାହକ ସତ୍ୟକାମ ମିଶ୍ର କହିଥିଲେ, ନାମ ପରିବର୍ତ୍ତନ କୌଣସି ରେଭେନ୍‌ସାପ୍ରେମୀ ଚାହୁନାହାନ୍ତି। କିଛି ଲୋକ ଭିନ୍ନ ଉଦ୍ଦେଶ୍ୟ ରଖି ଏହା କହୁଛନ୍ତି। ଅବସରପ୍ରାପ୍ତ ପୁଲିସ ଅଧିକାରୀ କୁଳମଣି ଦେଓ ମତ ଦେଇଥିଲେ, ରେଭେନ୍‌ସା ସାହେବଙ୍କୁ ନ’ ଅଙ୍କ ଦୁର୍ଭିକ୍ଷର ଭୟାବହତା ପାଇଁ ଦାୟୀ କରିବାର କୌଣସି ପ୍ରାମାଣିକ ତଥ୍ୟ ଇତିହାସରେ ନାହିଁ।

ସେହିପରି ଅରବିନ୍ଦ ବେହେରା, ବଦ୍ରି ନାରାୟଣ ମହାନ୍ତି, ଅର୍ଚ୍ଚନା ନାୟକ ପ୍ରମୁଖ ବକ୍ତବ୍ୟ ରଖି ନାମ ପରିବର୍ତ୍ତନକୁ ବିରୋଧ କରିଥିଲେ। ସୁଦର୍ଶନ ଦାସ ଆଲୋଚନାକୁ ସଂଯୋଜନା କରିବା ସହ କହିଥିଲେ, କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ, ସେ ଓଡ଼ିଶାର ଗରିମା ଓ ଗୌରବର ସ୍ମାରକୀ ରେଭେନ୍‌ସାର ନାମ ପରିବର୍ତ୍ତନ ବିତର୍କର ଅବସାନ ଘଟାନ୍ତୁ ଏବଂ ଅସଂଖ୍ୟ ରେଭେନ୍‌ସାପ୍ରେମୀଙ୍କ ମନରେ କୁହୁଳୁଥିବା ଅସନ୍ତୋଷକୁ ପ୍ରଶମିତ କରି ସମସ୍ତଙ୍କର ଶ୍ରଦ୍ଧାଭାଜନ ହୁଅନ୍ତୁ। ଅନ୍ୟମାନଙ୍କ ମଧ୍ୟରେ ମନୋଜ ସାହୁ, ଲେଲିନ୍ ମହାନ୍ତି, ସୁଧୀର ରାଉତ, ସଂଜୀବ ପତ୍ରୀ, ଗଣେଷ ତ୍ରିପାଠୀ, ସନ୍ତୋଷ ଜେନା, ସଂଘମିତ୍ରା ଜେନା, ଉଦିତ୍ ପ୍ରଧାନ, ବିଶ୍ୱରାଜ ନାୟକ, ଅଜୟ ମିଶ୍ର, ସମ୍ବିତ ମହାନ୍ତି, ଅବିନାଶ ମହାନ୍ତି, ମାନସ ଜେନା, ଶିଶିର ପରିଡା, ସଦାଶିବ ନାୟକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।