କାଳିଆ ଟଙ୍କା ଫେରସ୍ତ ନିଷ୍ପତ୍ତି ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେଉ : ପ୍ରଦୀପ୍ତ ନାଏକ

ଭୁବନେଶ୍ୱର : ‘କାଳିଆ’ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରାଇବା ନିଷ୍ପତ୍ତିକୁ ସରକାର ସ୍ଥଗିତ ରଖିଛନ୍ତି। ଏହାକୁ ଗ୍ରହଣ କରିନି ବିଜେପି। ଟଙ୍କା ଫେରସ୍ତ ନିଷ୍ପତ୍ତିକୁ ସ୍ଥଗିତ ନୁହେଁ, ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଦାବି କରିଛନ୍ତି।

ଶ୍ରୀ ନାଏକ ଅଭିଯୋଗ କରିଛନ୍ତି ଯେ ଶାସକ ବିଜେଡି ନିର୍ବାଚନ ଜିତିବା ଓ କ୍ଷମତା ହାତେଇବା ପାଇଁ କାଳିଆ ଯୋଜନାକୁ ତରବରିଆ ଭାବେ ଆରମ୍ଭ କରିଥିଲା। ଦଳୀୟ କର୍ମୀଙ୍କୁ ହିତାଧିକାରୀ ଭାବେ ଚିହ୍ନଟ କରି ଏହି ଯୋଜନାରେ ଟଙ୍କା ବଣ୍ଟା ଯାଇଥିଲା। ନିର୍ବାଚନ ସରିବାର ବର୍ଷକ ପରେ ସରକାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରି ଅର୍ଥ ଫେରାଇବାକୁ ନିର୍ଦ୍ଦେଶ ଦେଲେ। ମୁଖ୍ୟ ବିରୋଧୀ ଦଳ ଭାବେ ବିଜେପି ପକ୍ଷରୁ ଏହି ନିର୍ଦ୍ଦେଶନାମାକୁ ବିରୋଧ କରାଯିବା ଏବଂ ଚାଷୀମାନଙ୍କ ଆକ୍ରୋଶ ପରେ ସରକାର ମୁଣ୍ଡ ନୁଆଁଇଲେ। ଗୋଟିଏ ପଟେ ମୋଦୀ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଷଷ୍ଠ କିସ୍ତିରେ ୮.୫ କୋଟି କୃଷକଙ୍କୁ ୧୭ ହଜାର କୋଟି ଟଙ୍କା ପଠାଇଥିଲା‌ ବେଳେ ରାଜ୍ୟ ସରକାର ଚାଷୀଙ୍କ ହିତ କଥା ନ ଭାବି ଓଲଟା ସେମାନଙ୍କୁ ଶୋଷଣ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। କରୋନା ମହାମାରୀ ସମୟରେ ଜୋର ଜବରଦସ୍ତି ଆତଙ୍କ ଖେଳାଇ ଗରିବ ଚାଷୀଙ୍କ ଠାରୁ ଟଙ୍କା ଆଦାୟ କରିବା ସବୁଠୁ ବଡ଼ ଅପରାଧ। ଟଙ୍କା ଫେରସ୍ତ ନିଷ୍ପତ୍ତିକୁ ରାଜ୍ୟ ସରକାର ସ୍ଥଗିତ ନୁହେଁ ବରଂ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରନ୍ତୁ। ନିର୍ବାଚନ ପୂର୍ବରୁ ତତ୍‌କାଳୀନ କୃଷି ମନ୍ତ୍ରୀ କହିଥିଲେ ଯେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଛି। କିନ୍ତୁ ଏବେ ବର୍ଷକ ପରେ ସେମାନେ କିପରି ଅଯୋଗ୍ୟ ହୋଇଗଲେ ରାଜ୍ୟ ସରକାର ତାହା ସ୍ପଷ୍ଟ କରନ୍ତୁ। ଯଦି ଅର୍ଥ ଆଦାୟ କରିବାର ଅଛି ତେବେ କାଳିଆ ଯୋଜନାରେ ତାଲିକାରେ ଯେଉଁ ଅଧିକାରୀମାନେ ନିଜ କ୍ଷମତାକୁ ଅପବ୍ୟବହାର କରି ଅଯୋଗ୍ୟ ହିତାଧିକାରୀମାନଙ୍କୁ ସାମିଲ କରିଛନ୍ତି, ସେହି ସରକାରୀ ଅଫିସର ଏବଂ କୃଷି ଅଧିକାରୀମାନଙ୍କ ଠାରୁ ଅର୍ଥ ଆଦାୟ କରିବାକୁ ବିରୋଧୀ ଦଳ ନେତା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର