ସରକାର ଚାଷୀଙ୍କୁ ଯୁଦ୍ଧକାଳୀନ ସହାୟତା ଦିଅନ୍ତୁ: ବିଜେପି

ଭୁବନେଶ୍ୱର : ରାଜ୍ୟରେ ପ୍ରଥମେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଲା। ଏବେ ମାତ୍ରାଧିକ ବର୍ଷା ହୋଇଥିଲେ ହେଁ ଏହା କ୍ଷତିଗ୍ରସ୍ତ ଚାଷୀଙ୍କ ଉପକାରରେ ଆସିବନି। ବରଂ ଯେଉଁଠି ଟିକେ ଭଲ ଧାନ ଅମଳ ହେବାର ସମ୍ଭାବନା ଥିଲା ତାହାକୁ ବର୍ଷା ବୁଡ଼ାଇଦେଲା। ତେଣୁ ରାଜ୍ୟ ସରକାର ଘୋଷଣା ସର୍ବସ୍ୱ ନହୋଇ ବିପତ୍ତି ସମୟରେ ଚାଷୀ ପଖରେ ଯୁଦ୍ଧକାଳୀନ ସହାୟତା ପହଞ୍ଚାନ୍ତୁ ବୋଲି ବିଜେପି ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ କହିଛନ୍ତି। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ବଳିୟାରସିଂହ କହିଛନ୍ତି ଯେ କେନ୍ଦ୍ର ପରିସଂଖ୍ୟାନ ଓ ଯୋଜନା ମନ୍ତ୍ରାଳୟ ଦ୍ୱାରା ରାଜ୍ୟର ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡିଶା ଚାଷୀଙ୍କ ମାସିକ ଆୟ ଭାରତବର୍ଷରେ ଦ୍ବିତୀୟ ସର୍ବନିମ୍ନ ୫୧୧୨ଟଙ୍କା। ଏପରି ସ୍ଥିତିରେ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ସରକାର ଯଦି ସହାୟତା ନ କରନ୍ତି ତେବେ କେବେ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ କହିଛନ୍ତି ଯେ ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୨୭ଟି ଜିଲ୍ଲାରେ ହୋଇଥିବା ମରୁଡିକୁ ଆଖିରେ ନଦେଖିଲେ ବିଶ୍ୱାସ କରିହେବନାହିଁ ରାଜ୍ୟ ସରକାର ତୁରନ୍ତ କ୍ଷତିଗ୍ରସ୍ତ ଅଞ୍ଚଳକୁ ମରୁଡି ଅଞ୍ଚଳ ଘୋଷଣା କରନ୍ତୁ, ରିଲିଫକୋର୍ଡ ଅନୁଯାୟୀ ସହାୟତା ପ୍ରଦାନ କରନ୍ତୁ, ଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦିଆଯାଉ, ଭବିଷ୍ୟତ ଫସଲ ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଜଳସେଚନ ପ୍ରକଳ୍ପ ଗୁଡିକୁ ସମ୍ପୂର୍ଣ୍ଣ କରାଯାଉ।

ବି‌ଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି, ନୂଆଁଖା‌ଇ ଅବସରରେ ରାଜ୍ୟ ସରକାର କାଳିଆ ଯୋଜନାରେ ମାତ୍ର ୨ହଜାର ଟଙ୍କା ଦେବା ଧର୍ମକୁ ଆଖିଠାର। ମରୁଡ଼ି ସଂକ୍ରାନ୍ତରେ ବିଧାନସଭା ଗୃହ ବିବୃତ୍ତିରେ କୌଣସି ଘୋଷଣା କିମ୍ବା ଚାଷୀଙ୍କୁ ସାହାଯ୍ୟକାରୀ ବ୍ୟବସ୍ଥା ଘୋଷଣା ନହେବା ନିନ୍ଦନୀୟ। ଅତିବୃଷ୍ଟିଙ୍କୁ ସରକାର ରାଜ୍ୟ ବିପତି ଘୋଷଣା ବେଳେ ଅନାବୃଷ୍ଟିକୁ ସମ୍ପୂର୍ଣ୍ଣ ଭୁଲିଯିବା ଦୁର୍ଭାଗ୍ୟଜନକ। ସରକାର ତୁରନ୍ତ ଉଭୟ ଅନାବୃଷ୍ଟି ଓ ଅତିବୃଷ୍ଟିକୁ ଗୁରୁତ୍ୱ ଦେଇ ଆବଶ୍ୟକୀୟ ଘୋଷଣାନାମା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର