ରାଉରକେଲା: ମଣିପୁରରେ ହିଂସା ସୀମା ଟପିଲାଣି। ପ୍ରାୟ ଦେଢ଼ ମାସ ହେଲା ମଣିପୁର ଅଶାନ୍ତ ରହିଛି। ପ୍ରତିଦିନ ଗୁଳିମାଡ଼, ବୋମାମାଡ଼, ହତ୍ୟା, ଲୁଟ, ପୋଡ଼ାଜାଳା ଜାରି ରହିଛି। ଏସବୁ ଭିତରେ ଅଦମ୍ୟ ସାହସ ଦେଖାଇ ମଣିପୁର ହକି ଦଳ ରାଉରକେଲାରେ ଚାଲିଥିବା ୧୩ତମ ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଯେଉଁ କେତେଜଣଙ୍କ ଯୋଗୁଁ ଏହା ସମ୍ଭବ ହୋଇଛି, ସେଥିମଧ୍ୟରୁ ଅନ୍ୟତମ ହେଉଛନ୍ତି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ଅଲିମ୍ପିଆନ କଙ୍ଗୁଜାମ ଚିଙ୍ଗଲେନସନା ସିଂହ।

Advertisment

୨୦୧୧ ମସିହାରେ ଅନ୍ତର୍ଜାତୀୟ ପଦାର୍ପଣପରେ ପ୍ରାୟ ଦଶ ବର୍ଷ ପର୍ଯ୍ୟନ୍ତ ସେ ଏସିଆନ୍‌ ଚାମ୍ପିଅନସ ଟ୍ରଫି, ସୁଲତାନ ଆଜଲାନ ଶାହ, ଏସିଆକପ୍‌, ରାଜ୍ୟ ଗୋଷ୍ଠି କ୍ରୀଡ଼ା, ୨୦୧୬ ରିଓ ଅଲିମ୍ପିକ୍‌ ଆଦି ଏକାଧିକ ପ୍ରତିଯୋଗିତାରେ ଭାରତୀୟ ଦଳର ପ୍ରତିନିଧିତ୍ବ କରିଛନ୍ତି। ୨୦୨୨ରେ ଆହତଜନିତ ସମସ୍ୟା ଯୋଗୁଁ ଅବସରପରେ ସେ ମଣିପୁର ହକିର ବିକାଶରେ ଲାଗିପଡ଼ିଛନ୍ତି। ଉପକନିଷ୍ଠ, କନିଷ୍ଠ ଦଳର ଚୟନ ସମିତିର ନେତୃତ୍ବ ନେବାସହ ମଣିପୁର ହକିର ବିକାଶ ପାଇଁ ରେଳବାଇ ଚାକିରି ଛାଡ଼ି ଜନ୍ମମାଟିରେ ଅବସ୍ଥାପିତ। ଚଳିତ ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାରେ ଦଳ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ମଣିପୁର ଦଳକୁ ପ୍ରୋତ୍ସାହିତ କରିବାକୁ ସେ ରାଉରକେଲା ଧାଇଁ ଆସିଛନ୍ତି। ଏହି ଅବସରରେ ‘ସମ୍ବାଦ’ ସହ ସ୍ବତନ୍ତ୍ର ସାକ୍ଷାତକାରରେ ମଣିପୁର ହିଂସା, କନିଷ୍ଠ ଦଳର ସଂଘର୍ଷର କାହାଣୀ ବିଷୟରେ ବିସ୍ତୃତଭାବେ କହିଛନ୍ତି।

ମଣିପୁର ହିଂସା ବିଷୟରେ କହିବାବେଳେ ଚିଙ୍ଗ୍‌ଲେନଙ୍କ ଆଖିରେ ଲୁହ ଭରିଯାଇଥିଲା। କହିଲେ, ମେ’ ୩ ତାରିଖରେ ଅଶାନ୍ତିର ମୂଳଦୁଆ ପଡ଼ିଥିଲା। ରାଜ୍ୟ ରାଜଧାନୀ ଇମ୍ଫାଲରୁ ପ୍ରାୟ ୬୩ କିଲୋମିଟର ଦୂରତାରେ ଅବସ୍ଥିତ ଚୁରଚନ୍ଦପୁରରେ ଘଟିଥିଲା ପ୍ରଥମ ଘଟଣା। ଚୁରଚନ୍ଦପୁରକୁ ସ୍ବାଗତପାଇଁ ନିର୍ମିତ ଗେଟ୍‌କୁ କେହି ଦୁର୍ବୃତ୍ତ ପୋଡ଼ିଦେଇଥିଲେ। ଏହାକୁ ଗୋଟିଏ ଗୋଷ୍ଠୀର ଲୋକ ପ୍ରତିବାଦ କରିବାସହ ଅନ୍ୟଗୋଷ୍ଠୀ ଉପରେ ଦୋଷାରୋପ କରିଥିଲେ। ଏହାକୁ କେନ୍ଦ୍ରକରି ଉକ୍ତ ଦିନ ଏକ ଶାନ୍ତି ଶୋଭାଯାତ୍ରା ବାହାର କରିଥିଲେ ଗୋଟିଏ ଗୋଷ୍ଠୀର ବ୍ୟକ୍ତିବିଶେଷ। ବାସ୍ତବରେ ତାହା ଶାନ୍ତି ଶୋଭାଯାତ୍ରା ନଥିଲା; ବରଂ ସେହି ଶୋଭାଯାତ୍ରାରୁ ହିଁ ହିଂସା ଆରମ୍ଭ ହୋଇଥିଲା। ବିପକ୍ଷ ଗୋଷ୍ଠି ଉପରେ ଆକ୍ରମଣ, ଅତ୍ୟାଚାର, ଘର ପୋଡ଼ିଦେବା ଆଦି ଅକଥନୀୟ ଅତ୍ୟାଚାର ଆରମ୍ଭ ହୋଇଯାଇଥିଲା। ଉକ୍ତ ଘଟଣା ଚାରିଆଡ଼େ ପ୍ରଚାରିତ ହେବାପରେ ସବୁଠି ଅଳ୍ପସଂଖ୍ୟକଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଥିଲା। ଇମ୍ଫାଲ ସହରାଞ୍ଚଳରେ ହିଂସା ସାମାନ୍ୟ କମ୍‌ ଅଛି; କିନ୍ତୁ ଗ୍ରାମାଞ୍ଚଳରେ ସ୍ଥିତି ଉଦ୍‌ବେଗଜନକ। ଲୋକେ ନିଜର ଭିଟାମାଟି ଛାଡ଼ି ଶରଣାର୍ଥୀ ଶିବିରରେ ରହୁଛନ୍ତି। ସେଇଠି ଯାହା ମିଳୁଛି ଖାଉଛନ୍ତି। ଆସନ୍ନ ଆକ୍ରମଣ କଥା ଭାବି କାଳାତିପାତ କରୁଛନ୍ତି। ଇମ୍ଫାଲ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗତ ପ୍ରାୟ ଦେଢ଼ ମାସ କର୍ଫ୍ୟୁ ଭିତରେ ଜୀବନ ବିତୁଛି। କିଣାବିକା ପାଇଁ କର୍ଫ୍ୟୁ ସାମାନ୍ୟ କୋହଳ କରାଯାଇଛି, ସେହି ସମୟରେ ଲୋକେ ଘର ଭିତରେ କବାଟ ବନ୍ଦ କରି ରହୁଛନ୍ତି। ହିଂସା ଆରମ୍ଭ ହେବା ଦିନଠାରୁ ସ୍କୁଲ, କଲେଜ ବନ୍ଦ ରହିଛି। କ୍ରୀଡ଼ା ବି ଠପ୍‌ ହୋଇଯାଇଛି।

ରାଜନୈତିକ ହସ୍ତକ୍ଷେପ ନେଇ କହିଲେ, ହିଂସା ରୋକିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେଭଳିଭାବେ ପ୍ରତିକାତ୍ମକ ବ୍ୟବସ୍ଥା କରିବାକଥା, ତାହା ଦେଖୁବାକୁ ମିଳୁନି। ସମ୍ଭବତଃ ରାଜନୈତିକ ଉଦ୍ଦେଶ୍ୟ ଯୋଗୁଁ ହିଂସା ଦମନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉନି। ସରକାରଙ୍କ ଉପରେ ଜନସାଧାରଣଙ୍କ ଆସ୍ଥା ଉଠିବାକୁ ଲାଗିଛି। ବିଶେଷକରି କେନ୍ଦ୍ର ସରକାରଙ୍କ ଦ୍ବାରା ଶକ୍ତ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଉପନୀତ। ଅବିଳମ୍ବେ ମଣିପୁର ହିଂସାକୁ ଦମନ କରାଯିବାର ଆବଶ୍ୟକତା ରହିଛି। ଅନ୍ୟଥା ଆଗାମୀ ଦିନରେ କ’ଣ ହେବ; ତାହା ଚିନ୍ତାର ପରିକଳ୍ପନା ବାହାରେ। ଜାତୀୟ ଗଣମାଧ୍ୟମକୁ କଡ଼ା ସମାଲୋଚନା କରି ଚିଙ୍ଗ୍‌ଲେନ୍‌ କହିଲେ, ପ୍ରକୃତ ଘଟଣା କ’ଣ? କ’ଣ ପାଇଁ ହିଂସା ଆରମ୍ଭ ହେଲା? ଏବେକାର ସ୍ଥିତି କ’ଣ? ତାହାର ନିରପେକ୍ଷ ଖବର ପ୍ରସାରଣ କରାଯାଉନି। ସତ୍ୟାସତ୍ୟ ଦେଖାଇ ଦେଶବାସୀଙ୍କୁ ଅବଗତ କରାଯିବା କଥା। କିନ୍ତୁ ଜାତୀୟ ଗଣମାମଧ୍ୟମ ମଧ୍ୟ ପକ୍ଷପାତିତା କରୁଛନ୍ତି। ମଣିପୁର, ବିଶେଷକରି ପୂର୍ବଭାରତରେ ଶାନ୍ତି ସ୍ଥାପନ ପାଇଁ ଗଣମାଧ୍ୟମ ଦାୟୀତ୍ବବାନ ହୁଅନ୍ତୁ।

ଆର୍ଥିକ ଅଭାବ ସତ୍ତ୍ବେ ଦଳ ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ନେଇ କହିଲେ, ଜାତୀୟ କନିଷ୍ଠ ପ୍ରତିଯୋଗିତା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଏହା ହିଁ ଆମ ଖେଳାଳିଙ୍କୁ ଭବିଷ୍ୟତରେ ତାରକା ଖେଳାଳି ହେବାର ଉପଯୁକ୍ତ ସୁଯୋଗ ଦେବ। ଏଥିରେ ଉତ୍କୃଷ୍ଟ ପ୍ରଦର୍ଶନକଲେ, ଜାତୀୟ ଦଳରେ ସାମିଲ ହେବାର ସୁଯୋଗ ପାଇବେ। ଏଣୁ ପିଲାଙ୍କଠାରୁ ଏହୁ ସୁଯୋଗ ଛଡ଼ାଇ ନେଇଥାନ୍ତୁ କେମିତି? ଏଣୁ ମୁଁ, ମୁଖ୍ୟ କୋଚ୍‌ ଓ ଆଉ କିଛି ଶୁଭଚିନ୍ତକ ଦଳକୁ ପଠାଇବାକୁ ସ୍ଥିର କରିଥିଲୁ। କ୍ରମବର୍ଦ୍ଧିଷ୍ଣୁ ହିଂସା ଯୋଗୁଁ ଗୋଟିଏ ସମୟରେ ଆମେ ଆଶା ଛାଡ଼ି ଦେଇଥିଲୁ; କାରଣ ଆମ ପାଖରେ ନା ସମୟ ଥିଲା, ନା ଅର୍ଥବଳ। ତେବେ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ନେଇ ଚୟନ ଶିବିର କରାଯାଇଥିଲା। ହିଂସା ଯୋଗୁଁ ମାତ୍ର ଦୁଇଦିନରେ ଶିବିର ସଂପନ୍ନ କରିଥିଲୁ। ସଡ଼କ ପଥରେ ଯାତାୟତ ଏବେ ଅତ୍ୟନ୍ତ ବିପଦପୂର୍ଣ୍ଣ। କାରଣ ରାସ୍ତାରେ ଯାଉଥିବାବେଳେ ଚିହ୍ନଟକରି ଯାନବାହନକୁ ଜାଳି ଦିଆଯାଉଛି, ଆକ୍ରମଣ କରାଯାଉଛି। ଏଣୁ ଇମ୍ଫାଲରୁ ବିମାନରେ କୋଲକାତା ଓ ପରେ ଟ୍ରେନ୍‌ରେ ରାଉରକେଲାରେ ବହଞ୍ଚିଥିଲୁ। ଅର୍ଥାଭାବ ରହିଛି କିନ୍ତୁ, ପିଲାଙ୍କୁ ଏ ବିଷୟରେ ଅନୁଭବ କରିବାକୁ ଦେଇନୁ। ଏବେ କୌଣସି ପ୍ରକାରରେ ଅର୍ଥ ଜୁଟାଇ ମଣିପୁରକୁ ଫେରିବୁ। ଆସନ୍ତା ୨୭ ତାରିଖରୁ ରାଉରକେଲାରେ ଆରମ୍ଭ ହେବାକୁଥିବା ଜାତୀୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତାରେ ଦଳ ଭାଗନେବେ। ଏନେଇ ବ୍ୟାପକ ଆଲୋଚନା, ପର୍ଯ୍ୟାଲୋଚନା ଜାରି ରହିଛି। ପୁଣି ପୂର୍ବ ଖେଳାଳି, ଜିଲ୍ଲା ହକି ସଂଘ, ହକିପ୍ରେମୀଙ୍କଠାରୁ ଚାନ୍ଦା ଆଦାୟକରି ଦଳ ଅଂଶଗ୍ରହଣ କରିବ।