ଏମ୍‌ଏସ୍‌ପି ୨୦୪୦ ନୁହେଁ, ୨୯୩୦ଟଙ୍କା ହେଉ

୧୦୦ଟଙ୍କା ବୃଦ୍ଧି ଓଡ଼ିଶାର ଚାଷୀଙ୍କ ପ୍ରତି ଉପହାସ: ବିଜେଡି

ଭୁବନେଶ୍ବର: କେନ୍ଦ୍ର ସରକାର ଖରିଫ୍ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବଢ଼ାଇଥିବାବେଳେ ଧାନ କ୍ବିଣ୍ଟାଲ ପିଛା ୧୦୦ଟଙ୍କା ବଢ଼ି ୨୦୪୦ଟଙ୍କା ହୋଇଛି। ହେଲେ ଏହି ଏମ୍‌ଏସ୍‌ପି ବୃଦ୍ଧିକୁ ବିଜେଡି ଓ କଂଗ୍ରେସ ବିରୋଧ କରି କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଦୁଇ ଦଳ ଦାବି କରିଛନ୍ତି ଯେ, ଏମ୍‌ଏସ୍‌ପି ୨୦୪୦ଟଙ୍କା ନୁହେଁ ୨୯୩୦ଟଙ୍କାକୁ ବୃଦ୍ଧି କରାଯାଉ। ବିଜେପି କହିଛି ଯେ, କେନ୍ଦ୍ର ସରକାର ଧାନ ଉପରେ ୧୦୦ଟଙ୍କା ଏମ୍‌ଏସ୍‌ପି ବୃଦ୍ଧି କଲେ, ରାଜ୍ୟ ସରକାର କେବେ ତାଙ୍କ ପ୍ରତିଶ୍ରୁତି ପୂରଣ କରି ଚାଷୀଙ୍କୁ ୧୦୦ଟଙ୍କା ବୋନସ୍‌ ଦେବେ?

ଆଜି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, କେନ୍ଦ୍ର ସରକାର ୨୦୨୨-୨୩ ବର୍ଷ ପାଇଁ ସାଧାରଣ ଧାନର ଦର କ୍ବିଣ୍ଟାଲ ପିଛା ୧୦୦ଟଙ୍କା ବଢ଼ାଇଛନ୍ତି। ଧାନର ଏଭଳି ନଗଣ୍ୟ ଦରବୃଦ୍ଧି ଓଡ଼ିଶା ଚାଷୀକୂଳ ପ୍ରତି ଉପହାସ। ଶ୍ରୀ ପାତ୍ର କହିଛନ୍ତି ଯେ ସ୍ବାମୀନାଥନ୍ କମିସନ୍ ଧାନର ଏମ୍‌ଏସ୍‌ପିକୁ ଉତ୍ପାଦନ ମୂଲ୍ୟର ସି୨ ହାରରେ ୧.୫ଗୁଣ ବୃଦ୍ଧି କରିବାକୁ ‌ଯେଉଁ ସୁପାରିସ କରିଥିଲେ ତାହା କେନ୍ଦ୍ର କରିନାହିଁ। ୨୫ ମାର୍ଚ୍ଚ, ୨୦୧୭ରେ ଓଡ଼ିଶା ବିଧାନସଭା ସର୍ବସମ୍ମତିକ୍ରମେ ଏକ ସଂକଳ୍ପ ପାରିତ କରି ସାଧାରଣ ଧାନର ଏମ୍‌ଏସ୍‌ପି କ୍ବିଣ୍ଟାଲ ପିଛା ୨୯୩୦ଟଙ୍କାକୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଛି। ବିଜେପି, ବିଜେଡି ଓ କଂଗ୍ରେସରର ସମସ୍ତ ବିଧାୟକ ଏହାକୁ ସର୍ବସମ୍ମତିକ୍ରମେ ସମର୍ଥନ କରିଛନ୍ତି। କିନ୍ତୁ ଏହି ସଂକଳ୍ପ ପାରିତ ହେବାର ୫ବର୍ଷ ପରେ ମଧ୍ୟ ‌େକନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରିନାହାନ୍ତି। ସେହିପରି ଚଳିତବର୍ଷ ରାଜ୍ୟର ୧୩ଲକ୍ଷ ଟନ୍ ଚାଉଳ ବଳକାର ହେବାର ସମ୍ଭାବନା ଅଛି, ଯାହାକୁ ତୁରନ୍ତ ଉଠାଇବା ଉଚିତ। କିନ୍ତୁ କେନ୍ଦ୍ର ଏ ପ୍ରସଙ୍ଗ‌ରେ ନିରବ ରହିଛି। ଏହାବାଦ୍ ରାଜ୍ୟ ସରକାର ୧୦,୩୩୩କୋଟି ଟଙ୍କା ଖାଦ୍ୟ ସବ୍‌ସିଡି ବିଲ୍ ପ୍ରଦାନ କରିବାକୁ ଦାବି କରିଥିଲେ। ରାଜ୍ୟରେ ଧାନ ସଂଗ୍ରହ କରୁଥିବା ସଂସ୍ଥାକୁ ଆର୍ଥିକ ଚାପରୁ ମୁକୁଳାଇବା ପାଇଁ କେନ୍ଦ୍ର ତୁରନ୍ତ ଟଙ୍କା ପ୍ରଦାନ କରିବାକୁ ରାଜ୍ୟ ଦାବି କରୁଥିବା‌ ସତ୍ତ୍ବେ ଏଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ।

୧୦୦ଟଙ୍କା ବୃଦ୍ଧି ଓଡ଼ିଶାର ଚାଷୀଙ୍କ ପ୍ରତି ଉପହାସ: ବିଜେଡି
ରାଜ୍ୟ ସରକାରଙ୍କ ୧୦୦ଟଙ୍କାର ବୋନସ୍ କୁଆଡ଼େ ଗଲା: ବି‌ଜେପି
ରାଜ୍ୟ ସରକାର ଧାନ ଚାଷୀଙ୍କୁ ୫୦୦ଟଙ୍କା ବୋନସ୍ ଦିଅନ୍ତୁ: କଂଗ୍ରେସ

ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ କହିଛନ୍ତି ଯେ, ଧାନ ଏମ୍‌ଏସ୍‌ପି‌ରେ ଯେଉଁ ୧୦୦ଟଙ୍କା ବୃଦ୍ଧି କରାଯାଇଛି ତାହା ଚାଷୀଙ୍କ ପାଇଁ ଆଦୌ ଆଶ୍ବସ୍ତିକର ନୁହେଁ। କାରଣ ଓଡ଼ିଶା ଚାଷୀଙ୍କୁ ଧାନ କ୍ବିଣ୍ଟାଲ ପିଛା ୨୩୪୪ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବାବେଳେ କେନ୍ଦ୍ର ସରକାର ୨୦୪୦ଟଙ୍କା ଏମ୍‌ଏସ୍‌ପି ରଖିଛନ୍ତି। ଏଥିରେ ଚାଷୀର କ୍ବିଣ୍ଟାଲ ପିଛା ୩୦୪ଟଙ୍କା କ୍ଷତି ହେଉଛି। ୨୦୧୪ରେ ଖୋଦ୍‌ ପ୍ରଧାନମନ୍ତ୍ରୀ ସ୍ବାମୀନାଥନ୍ କମିଟି ସୁପାରିସ୍ ଆଧାରରେ କୃଷିଜାତ ଦ୍ରବ୍ୟର ଏମ୍‌ଏସ୍‌ପି ଦେଢ଼ଗୁଣା ବୃଦ୍ଧି କରିବା ପାଇଁ ଘୋଷଣା କରିଥିବାବେଳେ ବର୍ତ୍ତମାନ ଚାଷୀଙ୍କୁ ଲାଭ ଦେବା ଦୂର କଥା ଚାଷର ବିନିଯୋଗ କରୁଥିବା ଖର୍ଚ୍ଚର ମୂଲ୍ୟ ମଧ୍ୟ ଦିଆଯାଉନାହିଁ। ଏପରିସ୍ଥଳେ ୨୦୨୨ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣା ହେବ କିପରି? ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ପଡ଼ୋଶୀ ଛତିଶଗଡ଼ ସରକାର ଧାନରେ ପ୍ରତି କ୍ବିଣ୍ଟାଲ ପିଛା ଚାଷୀଙ୍କୁ ୫୦୦ଟଙ୍କା ବୋନସ୍ ଦେଉଥିବାବେଳେ ରାଜ୍ୟ ସରକାର ଚାଷୀର କ୍ଷତି ଭରଣା ପାଇଁ କାହିଁକି ସେହି ଅନୁପାତରେ ୫୦୦ଟଙ୍କା ବୋନସ୍ ଦେଉନାହାନ୍ତି?ଖୋଦ୍‌ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାର ସୋହେଲା ଚାଷୀ ସମାବେଶରେ ଚାଷୀଙ୍କୁ କ୍ବିଣ୍ଟାଲ ପିଛା ୧୦୦ଟଙ୍କା ବୋନସ୍ ଦେବା କଥା କୁ‌ଆଡ଼େ ଗଲା? ‌କେନ୍ଦ୍ର ସରକାର ଧାନର ଏମ୍‌ଏସ୍‌ପି ୨୯୩୦ଟଙ୍କାକୁ ବୃଦ୍ଧି କରିବା ପର୍ଯ୍ୟନ୍ତ ରାଜ୍ୟ ସରକାର ଧାନ କ୍ବିଣ୍ଟାଲ ପିଛା ୫୦୦ଟଙ୍କା ବୋନସ୍ ଦେବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

ଅନ୍ୟପକ୍ଷରେ ବିଜେପି କୃଷକ ମୋର୍ଚ୍ଚାର ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ଯେ, ବିଜେଡି ୨୩ ବର୍ଷ ଶାସନ କାଳ ଭିତରେ ଚାଷୀଙ୍କ ଆୟ ବଢ଼ାଇ ପାରିଲାନି। ଚାଷୀଙ୍କ ଆୟରେ ଓଡ଼ିଶା ଦେଶରେ ବହୁ ପଛରେ। ଚାଷୀଙ୍କୁ ୧୦୦ ଟଙ୍କାର ବୋନସ୍‌ ଦେବାକୁ ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋହେଲା ଚାଷୀ ସମାବେଶରେ ଘୋଷଣା କରିଥିଲେ। କୁଆଡ଼େ ଗଲା ସେ ବୋନସ୍‌ ? ଶ୍ରୀ ପୁରୋହିତ ଆହୁରି କହିଛନ୍ତି, କେନ୍ଦ୍ର ସରକାର ଧାନର ସହାୟକ ମୂଲ୍ୟ ୧୦୦ ଟଙ୍କା ବଢ଼ାଇ ୨୦୪୦ ଟଙ୍କା କରିଛନ୍ତି। ମଣ୍ଡିରେ କିଭଳି ଅବ୍ୟବସ୍ଥା ଚାଲିଛି, ତାହା ରାଜ୍ୟର ଚାଷୀ ଜାଣନ୍ତି। ଏବେ ରାଜ୍ୟ ସରକାର ଉତ୍ତରଦାୟିତ୍ୱ ନିଅନ୍ତୁ, ବିନା ବାଟ ମାରଣାରେ ଚାଷୀଙ୍କ ପାଖକୁ ଯେଭଳି ଏହି ସହାୟକ ମୂଲ୍ୟ ଠିକ ଭାବରେ ପହଞ୍ଚିବ ସେନେଇ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ।

ସମ୍ବନ୍ଧିତ ଖବର