ଭୁବନେଶ୍ୱରରେ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା ହେଉ : ଧ‌ର୍ମେନ୍ଦ୍ର

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଲେ

ଭୁବନେଶ୍ୱର : ଦେଶରେ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ(ଏନ୍‌ଆଇଭି) ପ୍ରତିଷ୍ଠା କରିବା ପାଇଁ ଚଳିତ ସାଧାରଣ ବଜେଟରେ ଘୋଷଣା କରାଯାଇଥିଲା। ଏହା ମଧ୍ୟରୁ ଗୋଟିଏ ସଂସ୍ଥାନ ଭୁବନେଶ୍ବରରେ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଦେଶର ଆୟୁର୍ବିଜ୍ଞାନ ଓ ବିକାଶ ସଂସ୍ଥାନ ଯଥା ପୁନେସ୍ଥିତ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ କରୋନା ମହାମାରୀ ସହ ଲଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ମାନବ ସମାଜକୁ ପ୍ରଭାବିତ କରୁଥିବା କରୋନା ମହାମାରୀ ଭଳି ଭୂତାଣୁଗୁଡ଼ିକ ସହ ଲଢ଼ିବା ପାଇଁ ପଦକ୍ଷେପ ସ୍ୱରୂପ ଚଳିତ ସାଧାରଣ ବଜେଟରେ ଦେଶରେ ଅତିରିକ୍ତ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା କରିବା ପାଇଁ ଘୋଷଣା କରାଯାଇଛି। ପୂର୍ବ ଭାରତରେ ଆୟୁର୍ବିଜ୍ଞାନ ଗବେଷଣା ଓ ଶିକ୍ଷା କ୍ଷେତ୍ରରେ ଭୁବନେଶ୍ୱର ଏକ ପ୍ରମୁଖ ସହର ଭାବରେ ଉଭା ହୋଇଛି। ଭୁବନେଶ୍ୱରରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ୍‌), ଜୀବ ବିଜ୍ଞାନ ସଂସ୍ଥାନ(ଆଇଏଲ୍‌ଏସ୍‌), ଆଇସିଏମ୍‌ଆର୍‌-ଆଞ୍ଚଳିକ ଆୟୁର୍ବିଜ୍ଞାନ ଗବେଷଣା କେନ୍ଦ୍ର ଏବଂ ଇଣ୍ଟର୍‌ନ୍ୟାସନାଲ ସେଂଟର ଫର୍ ଫୁଟ୍ ଏଣ୍ଡ ମାଉଥ୍ ଡିଜିଜ୍‌(ଆଇସିଏଆର୍‌-ଆଇସିଏଫ୍‌ଏମ୍‌ଡି) ଭଳି ବିଶ୍ୱସ୍ତରୀୟ କେନ୍ଦ୍ର ରହିଛି। ତେଣୁ ଭୌଗଳିକ ଅବସ୍ଥିତି ଏବଂ ଦକ୍ଷ ମାନବ ସମ୍ବଳ ଦୃଷ୍ଟିକୋଣରୁ ଭୁବନେଶ୍ୱର ପ୍ରସ୍ତାବିତ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ମଧ୍ୟରୁ ଗୋଟିଏ ପ୍ରତିଷ୍ଠା ହେବାର କ୍ଷମତା ରଖିଛି। ଭୁବନେଶ୍ୱରରେ ଏହି ସଂସ୍ଥାନ ପ୍ରତିଷ୍ଠା ହେଲେ ଗବେଷଣା ଓ ବିକାଶ କେନ୍ଦ୍ରକୁ ସହଯୋଗୀ ହେବ ଏବଂ ମିଳିତ ଭାବରେ ଗବେଷଣା କରାଯାଇପାରିବ। ଏହା ସହ ଏହି ସଂସ୍ଥାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବଦୋୟ ମିସନ୍ ପରିକଳ୍ପନାର ଅଂଶବିଶେଷ ହେବା ସହ ପୂର୍ବ, ଦକ୍ଷିଣ-ପୂର୍ବ ଏବଂ ଭାରତର କେନ୍ଦ୍ରାଞ୍ଚଳ ରାଜ୍ୟଗୁଡ଼ିକର ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଦର୍ଶାଇଛନ୍ତି।

ସେହିପରି କରୋନା ମହାମାରୀ ମୁକାବିଲାରେ ଭାରତର ସଫଳ ପରିଚାଳନା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ କେବଳ କରୋନା ମହାମାରୀ ସଙ୍କଟରୁ ମୁକ୍ତ ହୋଇ ନାହିଁ, ବରଂ ବିଶ୍ୱର କୋଣ ଅନୁକୋଣକୁ ମଧ୍ୟ ଟିକା ରପ୍ତାନୀ କରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର