ପାରାଦୀପ ବନ୍ଦର ସହରକୁ ‘ବିଜୁ ନଗର’ ନାମରେ ନାମିତ କରାଯାଉ : ଦାମ

ଭୁବନେଶ୍ବର : ପାରାଦୀପ ବନ୍ଦର ସହରକୁ ‘ବିଜୁ ନଗର’ ନାମରେ ନାମିତ କରାଯାଉ। ସହରର ଗୁରୁତ୍ବପୂର୍ଣ୍ଣ ସମସ୍ୟାକୁ ବିଚାରକୁ ନେଇ ଜାଗା ମିସନ ଓ ବସ୍ତି ଉନ୍ନୟନ ଯୋଜନାରେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟକ୍ରମ ଗ୍ରହଣ କରନ୍ତୁ। ଏଠାରେ ବସବାସ କରୁଥିବା ୧୪,୪୦୦ ପରିବାରକୁ ଥଇଥାନ କରାଯାଉ ବୋଲି ଦାବି କରିଛନ୍ତି ପୂର୍ବତନ ମନ୍ତ୍ରୀ ଦା ମୋଦର ରାଉତ।

ଶ୍ରୀ ରାଉତ କହିଛନ୍ତି ଯେ ପାରାଦୀପ ବନ୍ଦର ନିର୍ମାଣକୁ ୬୦ବର୍ଷ ପୂରିଛି। ବନ୍ଦର ନିର୍ମାଣ ସମୟରୁ ଆନ୍ଧ୍ରରୁ ଆସିଥିବା ପ୍ରାୟ ୭ହଜାର ନୋଳିଆ ପରିବାରଙ୍କ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ବସ୍ତିବାସିନ୍ଦାମାନେ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ରହିଛନ୍ତି। ଜମି ବନ୍ଦର କର୍ତୃପକ୍ଷଙ୍କ ଦଖଲରେ ଥିବାରୁ ଏଠାରେ ପ୍ରାଥମିକ ବିଦ୍ୟା‌ଳୟ, ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ହୋଇପାରୁନାହିଁ। ୧୯୬୬ ମସିହାରେ ବୃହତ ବନ୍ଦର ଆଇନ ଅନୁସାରେ ଏଠାରେ ରାଜ୍ୟ ସରକାର ଓ ବନ୍ଦର କର୍ତୃପକ୍ଷଙ୍କ ମଧ୍ୟରେ ଜମିଜମା ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ରାଜ୍ୟ ସରକାର ଅଧିଗୃହୀତ ଜମିରୁ ସରକାରୀ ଜମି ଏକର ପିଛା ୧ଟଙ୍କା ଓ ଘରୋଇ ଜମି ଏକର ପିଛା ୧୦ଟଙ୍କା ମୂଲ୍ୟରେ ବନ୍ଦର କର୍ତୃପକ୍ଷଙ୍କୁ ଜମି ଯୋଗାଇ ଦେବା ପାଇଁ ସ୍ବୀକୃତି ହୋଇଥିଲେ। ମାତ୍ର ବନ୍ଦର କର୍ତୃପକ୍ଷ ବର୍ତମାନସୁଦ୍ଧା ରାଜ୍ୟ ସରକାରଙ୍କ ମାଲିକାନାରୁ ନିଜ ମାଲିକାନାକୁ ଜମି ନେଇ ନାହାନ୍ତି। ପାରାଦୀପ ସହରାଞ୍ଚଳର ଏହି ୧୪,୪୦୦ ବସ୍ତିବାସିନ୍ଦା ପରିବାରଙ୍କୁ ଥଇଥାନ କରିବା ପାଇଁ ବ୍ୟବସ୍ଥା କରୁ ନାହାନ୍ତି। ୨୦୦୭ ମସିହା‌ରୁ ପାରାଦୀପ ଉନ୍ନୟନ କର୍ତୃପକ୍ଷ ଗଠିତ ହୋଇଥିଲେ ବି ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ।

ସେ ଆହୁରିମଧ୍ୟ କହିଛନ୍ତି ଯେ ଆସନ୍ତା ବର୍ଷକ ମଧ୍ୟରେ ଓଡ଼ିଶା ବସ୍ତିମୁକ୍ତ ରାଜ୍ୟରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ୧୦୫ଟି ସହରାଞ୍ଚଳରେ ୧.୭ ଲକ୍ଷ ବସ୍ତିରେ ବାସ କରୁଥିବା ପରିବାରକୁ ଜାଗା ମିସନରେ ଘର ଡିହ ଯୋଗାଇ ଦିଆଗଲାଣି। ୩୩ଟି ସହରାଞ୍ଚଳରେ ଥଇଥାନ କରାଯାଇଥିବା ୭୦୭ଟି ବସ୍ତିକୁ ‘ବିଜୁ ଆଦର୍ଶ କଲୋନି’ ଘୋଷଣା କରାଯିବା ଗ୍ରହଣୀୟ ନୁହେଁ। ଏଥିରେ ବିଜୁ ବାବୁଙ୍କ ସମ୍ମାନ ବଢ଼ିବା ପରିବର୍ତେ ଅସମ୍ମାନ ହେବ। ତେଣୁ ମୁଖ୍ୟମନ୍ତ୍ରୀ ଏହାର ପୁନର୍ବିଚାର କରିବା ଉଚିତ୍ ବୋଲି ଶ୍ରୀ ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର