ଗରିବ କଲ୍ୟାଣ ଅନ୍ନ ଯୋଜନା ତୁରନ୍ତ ଆରମ୍ଭ ହେଉ: ବିଜେଡି

ଭୁବନେଶ୍ବର : କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(ପିଏମ୍‌ଜିକେଏୱାଇ) ବନ୍ଦ କରିଦେବା ଦ୍ବାରା ଗରିବ ଲୋକମାନେ ଭୀଷଣ ପ୍ରଭାବିତ ହେଉଛନ୍ତି। ଏହାକୁ ତୁରନ୍ତ ଆରମ୍ଭ କରିବା ପାଇଁ ବିଜେଡି ଦାବି କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ସସ୍ମିତ ପାତ୍ର କହିଲେ, ଓଡ଼ିଶାର ୩.୨୫ କୋଟି ଲୋକଙ୍କୁ ପ୍ରତି ମାସରେ ମୁଣ୍ଡ ପିଛା ୧୦ କିଲୋ ଚାଉଳ ମିଳୁଥିଲା। ଏଥି ମଧ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ (ଏନ୍ଏଫ୍ଏସ୍ଏ)ରେ ୫ କିଲୋ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏୱାଇ) ଅଧୀନରେ ୫ କିଲୋ ମିଳୁଥିଲା। ତେବେ କେନ୍ଦ୍ର ବର୍ତ୍ତମାନ ପିଏମ୍‌ଜିକେଏୱାଇକୁ ବନ୍ଦ କରିଦେଇଛି। ପିଏମ୍‌ଜିକେଏୱାଇ ଅଧୀନରେ ମାସକୁ ମୁଣ୍ଡପିଛା ମିଳୁଥିବା ୫ କିଲୋ ମାଗଣା ଚାଉଳ ବନ୍ଦ ହେବା ଯୋଗୁଁ ତାହା ଲୋକଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି।

ଗରିବଙ୍କ ଖାଦ୍ୟ ସୁରକ୍ଷା, ଚାଷୀଙ୍କ ଧାନ କ୍ରୟ ଓ ଏମ୍‌ଏସ୍‌ପି ପ୍ରଭାବିତ
କୋଭିଡ ପରେ ପରିବାରଗୁଡ଼ିକ ପିଏମ୍‌ଜିକେଏୱାଇ ସହାୟତା ଆବଶ୍ୟକ କରୁଛନ୍ତି

ଶ୍ରୀ ପାତ୍ର ଆହୁରି କହିଲେ ଯେ କୋଭିଡ ମହାମାରୀ ଓ ସମସ୍ତ ସଞ୍ଚୟ ଶେଷ ହେବା ପରେ ଗରିବ ଲୋକେ ଅଧିକ ସମୟ ପାଇଁ ପିଏମ୍‌ଜିକେଏୱାଇ ସହାୟତା ଆବଶ୍ୟକ କରୁଛନ୍ତି। ଏହା ବନ୍ଦ ହେବା ଦ୍ବାରା ସେମାନେ ଓ ସେମାନଙ୍କ ପରିବାରର ସଦସ୍ୟମାନେ ବହୁ ପରିମାଣରେ କ୍ଷତିଗ୍ରସ୍ତ ହେବେ। କେନ୍ଦ୍ର ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତାକୁ କାହିଁକି ଉଚ୍ଛେଦ କରୁଛି? ପିଏମ୍‌ଜିକେଏୱାଇ ଯୋଗୁ ଚାଷୀମାନେ ଉପକୃତ ହେଉଥିଲେ। ପ୍ରତି ବ୍ୟକ୍ତିଙ୍କ ପାଇଁ ଅତିରିକ୍ତ ୫ କିଲୋ ଚାଉଳ ଦେବା ଯୋଗୁ କେନ୍ଦ୍ର ଦ୍ୱାରା ସେହି ଚାଉଳ କ୍ରୟ ହେଉଥିଲା; ଏହା ଦ୍ୱାରା କୃଷକମାନେ ସେମାନଙ୍କର ଅତିରିକ୍ତ ଚାଉଳ ବିକ୍ରୟ କରିପାରୁଥିଲେ ଏବଂ ସେମାନଙ୍କୁ ଦିଆଯାଇଥିବା ଏମ୍ଏସ୍‌ପିରୁ ଲାଭ ପାଉଥିଲେ। ବର୍ତ୍ତମାନ କେନ୍ଦ୍ର ପିଏମ୍‌ଜିକେଏୱାଇ ବନ୍ଦ କରିଥିବାରୁ ଓଡ଼ିଶାର କୃଷକମାନେ ବଡ଼ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି।

ଏବେ ଚାଉଳର ଅତିରିକ୍ତ କ୍ରୟ ହେବ ନାହିଁ, ଚାଷୀଙ୍କୁ ଆଉ ଅଧିକ ଏମ୍ଏସ୍‌ପି ମିଳିବ ନାହିଁ । ସେମାନେ ନିଜର ଚାଉଳ କେଉଁଠାରେ ବିକ୍ରୟ କରିବେ? ଓଡ଼ିଶାର ଅନେକ ଯୋଗ୍ୟ ପରିବାର ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି ଏବଂ ସେମାନଙ୍କୁ ଏଥିରେ ସାମିଲ କରାଯିବା ଉଚିତ। କିନ୍ତୁ ଏତେ ବର୍ଷ ପରେ ମଧ୍ୟ କେନ୍ଦ୍ର ସେମାନଙ୍କ କଥା ବିଚାର କରିନାହିଁ। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରର ଏହି ଗରିବ ବିରୋଧୀ, କୃଷକ ବିରୋଧୀ ତଥା ପରିବାର ବିରୋଧୀ ମନୋଭାବକୁ ବିଜେଡି ଦୃଢ଼ ନିନ୍ଦା କରୁଛି। କେନ୍ଦ୍ର ସରକାର ତୁରନ୍ତ ସେହି ନିଷ୍ପତ୍ତି ପ୍ରତ୍ୟାହାର ସହିତ ପିଏମ୍‌ଜିକେଏୱାଇ ଜାରି ରଖିବାକୁ ଶ୍ରୀ ପାତ୍ର ଦାବି କରିଛନ୍ତି। କେନ୍ଦ୍ର ଆମ ଦାବିରେ ରାଜି ନହେବା ପର୍ଯ୍ୟନ୍ତ ବିଜେଡି ସଂସଦ ଓ ଅନ୍ୟାନ୍ୟ ଫୋରମ୍‌ରେ ଜୋର୍‌ଦାର ଦାବି କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର