ରଥଯାତ୍ରାକୁ ନେଇ ଦେଶ ବିଦେଶ ଭକ୍ତଙ୍କ ବିତର୍କ: ‘ଶ୍ରୀକ୍ଷେତ୍ରବାସୀଙ୍କୁ ନେଇ ହେଉ ରଥଯାତ୍ରା’

ପୁରୀ : କରୋନା ସଂକ୍ରମଣ ଯେପରି ଦେଶରେ ହ୍ରାସ ପାଇବାରେ ଲାଗିଛି, ଯଦି ଏହା ଅବ୍ୟାହତ ରହେ, ତେବେ ଚଳିତବର୍ଷର ରଥଯାତ୍ରା କେବଳ ଶ୍ରୀକ୍ଷେତ୍ରର ଭକ୍ତଙ୍କୁ ନେଇ ଅନୁଷ୍ଠିତ ହେଉ ବୋଲି ନିର୍ମାଲ୍ୟ ପକ୍ଷରୁ ଆୟୋଜିତ ୱେବିନାର ବିତର୍କରେ ମତପ୍ରକାଶ ପାଇଛି। ‘ଭକ୍ତଶୂନ୍ୟ ରଥ,ଭକ୍ତଶୂନ୍ୟ ପଥ’ ଶୀର୍ଷକ ଏହି ଆଲୋଚନାରେ ବୁଦ୍ଧିଜୀବୀଙ୍କ ସମେତ ଦେଶ ବିଦେଶର ବହୁ ଭକ୍ତ ଯୋଗ ଦେଇଥିଲେ। ଆଲୋଚନାରେ ମତ ପ୍ରକାଶ ପାଇଥିଲା ଯେ ମହାପ୍ରଭୁ ଭକ୍ତଙ୍କ ପାଇଁ ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଆସିଥାନ୍ତି। ଏଣୁ ଭକ୍ତଶୂନ୍ୟ ରଥଯାତ୍ରା ଦୁଃଖଦାୟକ ନିଶ୍ଚିତ। ଏବେ କରୋନାର ସଂକ୍ରମଣ ହାର କମିବାରେ ଲାଗିଛି। ଓଡ଼ିଶାରେ ପ୍ରତିଦିନ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଛି। ଏଣୁ ଯଦି କରୋନା ସଂକ୍ରମଣ ଏପରି ହ୍ରାସ ପାଏ, ଏକ ମାସ ପରେ ଅର୍ଥାତ୍‌ ଜୁଲାଇ ୧୨ ଶ୍ରୀଗୁଣ୍ଡିଚା ଯାତ୍ରା ବେଳକୁ ସଂକ୍ରମଣ ବହୁ ତଳକୁ ଖସି ଆସିଥିବ। ଏଣୁ ଚଳିତ ବର୍ଷର ରଥଯାତ୍ରା ଭକ୍ତମୟ ହେଉ। ଭକ୍ତଙ୍କ ଦୁଃଖ ଠାକୁର ଶୁଣନ୍ତୁ ବୋଲି ଅନେକ ମତ ଦେଇଥିଲେ।

ନିର୍ମାଲ୍ୟର ସଭାପତି ଗୀତିକାର ବଦ୍ରି ମିଶ୍ରଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ୱେବିନାରରେ ଆମେରିକାର ଇଂଜିନିୟର ବନଜା ବିଶ୍ବାଳ, ବୈଜ୍ଞାନିକ ଅନିଲ ବିଶ୍ବାଳ, ପ୍ରଶାସନିକ ଅଧିକାରୀ ଶୁଭେନ୍ଦୁ ଦାସ, ନୂଆଦିଲ୍ଲୀସ୍ଥିତ ଜଗନ୍ନାଥ ମନ୍ଦିରର ସମ୍ପାଦକ ରବୀନ୍ଦ୍ର କୁମାର ପ୍ରଧାନ, କୋଟଲା ଜଗନ୍ନାଥ ମନ୍ଦିରର ସଂପାଦକ କାମଦେବ ବିଶ୍ବାଳ, ପ୍ରଶାସନିକ ଅଧିକାରୀ ସୁରେନ୍ଦ୍ର ସେଠୀ, ଶ୍ରୀଜଗନ୍ନାଥ ସଂସ୍ଥାନର ମୁଖ୍ୟ ଗବେଷକ ପୀତବାସ ରାଉତରାୟ, ଶ୍ୟାମାପ୍ରସାଦ ମିଶ୍ର, କଟକର ଗବେଷକ ଶୁଭନ୍ବେଷ ରଥ, ଦଇତାପତି ନିଯୋଗ ସଂପାଦକ ଦୁର୍ଗାପ୍ରସାଦ ଦାସମହାପାତ୍ର, ବଡ଼ୁସୁଆର ନିଯୋଗର ବିଶ୍ବନାଥ ସାମନ୍ତରାୟ, କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର ପ୍ରମୁଖ ଯୋଗଦେଇ ସୁଚିନ୍ତିତ ମତାମତ ରଖିଥିଲେ। ନିର୍ମାଲ୍ୟର ସଂପାଦକ ବିଶ୍ବନାଥ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର