ଭୁବନେଶ୍ବର : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ଚାଲିଥିବା ତଦନ୍ତ ପ୍ରକ୍ରିୟା ଉପରେ ଆଜି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରଶ୍ନ ଉଠାଇଛନ୍ତି। ଏହାସହ ଏହି ଘଟଣାର ସ୍ବଚ୍ଛ ତଦନ୍ତ ପାଇଁ ରାଜ୍ୟ ସରକାର ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ନେତୃତ୍ବରେ ଏସ୍ଆଇଟି ଗଠନ କରି ତଦନ୍ତ କରନ୍ତୁ ବୋଲି ସେ ଦାବି କରିଛନ୍ତି।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ଏଭଳି ଘଟଣା ଭାରତରେ ପୂର୍ବରୁ ହୋଇନଥିବ। ଇତିହାସରେ ପ୍ରଥମ କରି ଜଣେ ମନ୍ତ୍ରୀଙ୍କୁ ସବୁ ସୁରକ୍ଷା ଥାଇ ବି ହତ୍ୟା କରାଗଲା। ତଦନ୍ତରେ ବିଫଳତା ଯୋଗୁଁ ହତ୍ୟାକାଣ୍ଡର ରହସ୍ୟ, ଷଡ଼ଯନ୍ତ୍ର ଏବେବି ଲୋକଲୋଚନକୁ ଆସିପାରିନାହିଁ। କ୍ରାଇମବ୍ରାଞ୍ଚ କହିଲା ଆସାମୀ ଧରାଯାଇଛି, ଏହା କ୍ଲିୟର୍ କେସ୍। କେବଳ ଆସାମୀକୁ ଧରି କେସ୍ ବନ୍ଦ କରିବାକୁ ଚକ୍ରାନ୍ତ ଚାଲିଛି କି?
ଶ୍ରୀ ମହାପାତ୍ର ଆଜି ଏହି ହତ୍ୟାକାଣ୍ଡରେ ଆଉ ଏକ ନୂଆ ଟୁଇଷ୍ଟ ଆଣିଛନ୍ତି। ସେ କହିଛନ୍ତି ଯେ, ଦୁଇ ଦିନ ପୂର୍ବରୁ ଗୋପାଳ ଦାସ କେଉଁ ସ୍ଥାନକୁ ଯାଇଥିଲେ, କେଉଁଠି ଗ୍ରୁପ ବୈଠକ ହେଉଥିଲା, କାହାକୁ ଭେଟିଥିଲେ, ସେ ନେଇ ତଦନ୍ତ ହେଉଛି କି? ମୋର ଯାହା ଖବର, ଝାରସୁଗୁଡ଼ାରୁ ୨୦/୩୦ କିଲୋମିଟର ଦୂରରେ ଏକ ଗାଁରେ ଗୋପାଳ କିଛି ନେତା ଓ ଅବସରପ୍ରାପ୍ତ ଅଫିସରଙ୍କ ସହ ବସା ଉଠା କରୁଥିଲେ। ହତ୍ୟାକାଣ୍ଡର ଦୁଇ ତିନି ପୂର୍ବରୁ କିଛି ଅବସରପ୍ରାପ୍ତ ଅଫିସର ଓ କିଛି ନେତା ଝାରସୁଗୁଡ଼ାରେ ଉପସ୍ଥିତ ରହି କ’ଣ କରୁଥିଲେ। ଏହି କାମ ପାଇଁ ଥିଲେ ନା ଅନ୍ୟ କାରଣ ପାଇଁ ଥିଲେ? ସେ ଦିଗରେ ତଦନ୍ତ ହେଉଛି କି? ଗୋପାଳ ଦାସ ଓ ନବ ଦାସଙ୍କ କଲ୍ ରେକର୍ଡ ଯାଞ୍ଚ ହୋଇଛି କି? ଅପରପକ୍ଷେ ଏଫ୍ଆଇଆର୍ ପିଏସ୍ଓ ଦେବା କଥା, ଇନ୍ସପେକ୍ଟର କାହିଁକି ଦେଲେ? ଗୁଳିକାଣ୍ଡବେଳେ ତ ପିଏସ୍ଓ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।
କେବଳ ଏତିକି ନୁହେଁ, ପୁଲିସ ଡିଜିଙ୍କ ଭୂମିକା କ’ଣ ଜଣାପଡ଼ୁନି। ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଗଲା, ସେ ଘଟଣାସ୍ଥଳକୁ ଗଲେନି। ଆଉ କାହା ପାଇଁ ଯିବେ? ପୁଲିସ ଡିଜି ନିର୍ଲଜ ଭାବେ ରହିବା ଅପେକ୍ଷା ପୋଷ୍ଟ ଛାଡ଼ି ଦେବା ଉଚିତ୍ ବୋଲି ଶ୍ରୀ ମହାପାତ୍ର କଟାକ୍ଷ କରି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/bijay-mohapatra-aa.jpg)