ବାଲିଯାତ୍ରା ଆୟବ୍ୟୟର ଅଡିଟ୍ ହେଉ: ପ୍ରଭାତ ତ୍ରିପାଠୀ

କଟକ : ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ନିର୍ଦ୍ଦିଷ୍ଟ କେତେଜଣ ଅଧିକାରୀଙ୍କ ମନମାନିରେ ଆୟୋଜନ ହେଲା। କଟକର ପ୍ରଚଳିତ ପରଂପରା ଅନୁଯାୟୀ କାର୍ଯ୍ୟକ୍ରମ ଆୟୋଜନରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ, ପୂଜା କମିଟି, ଶାନ୍ତି କମିଟି କର୍ମକର୍ତ୍ତା ଅଥବା ଲୋକ ପ୍ରତିନିଧିଙ୍କୁ ସାମିଲ କରାଗଲା ନାହିଁ। ଅତିଥି ନିମୟନ୍ତ୍ରଣ, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବ୍ୟାପକ ଅବ୍ୟବସ୍ଥା ଦେଖାହେଲା। ଏଥର ବାଲିଯାତ୍ରାକୁ ଯେଭଳି ଢଙ୍ଗରେ ଆୟୋଜନ କରାଯାଇଛି, ତାହାର ଆୟବ୍ୟୟର ଅଡିଟ୍ ହେବା ଆବଶ୍ୟକ। କଟକ ବାଲିଯାତ୍ରାକୁ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ହାତରେ ନ ଛାଡ଼ି ରାଜ୍ୟ ସରକାର ଏହାର ପରିଚାଳନା ଦାୟିତ୍ବ ନିଅନ୍ତୁ। ଆଜି କଟକର ସର୍କିଟ୍ ହାଉସଠାରେ ଶାନ୍ତି କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଟକ ମହାନଗର ପୂଜା କମିଟିର ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ବାଲିଯାତ୍ରା ଆୟୋଜନକୁ ନେଇ ଏଭଳି କ୍ଷୋଭ ପ୍ରକାଶ କରିଛନ୍ତି।

ଶ୍ରୀ ତ୍ରିପାଠୀ କହିଛନ୍ତି ଯେ କଟକ ଜିଲ୍ଲା ସଂସ୍କୃତି ସମିତି ପକ୍ଷରୁ ବାଲିଯାତ୍ରା ଆୟୋଜନ କରାଯାଇଥିଲା। ମାତ୍ର ଯେଉଁଭଳି ଢଙ୍ଗରେ ଆୟୋଜନ କରାଯିବାର ଥିଲା, ସମିତି ତାହା କରିବାରେ ବିଫଳ ହୋଇଛି। ଉତ୍ସବର ପରିଚାଳନା ଓ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରେ ନିଗମକୁ ଦୂରେଇ ରଖାଯାଇଛି। ସେହିପରି ଜିଲ୍ଲାର ନିର୍ବାଚିତ ପ୍ରତିନିଧି, ମହାନଗର ଅର୍ନ୍ତଭୁକ୍ତ ତିନି ବିଧାୟକ, ‌ମେୟର, କର୍ପୋରେଟରଙ୍କ ସମେତ ପୂଜା କମିଟି ଓ ଶାନ୍ତି କମିଟିକୁ ମଧ୍ୟ ବାଲିଯାତ୍ରା ଆୟୋଜନରେ ସାମିଲ କରାଯାଇ ନାହିଁ। ସହରରେ ଦଶହରା, ଗଣେଶ ପୂଜା, କାଳୀ ପୂଜା, କାର୍ତ୍ତିକେଶ୍ବର ପୂଜା ପରି ବିଭିନ୍ନ ଉତ୍ସବ ଆୟୋଜନ ପୂର୍ବରୁ ପୂଜା କମିଟି ଓ ଶାନ୍ତି କମିଟିକୁ ଡାକି ପ୍ରଶାସନ ଆଲୋଚନା କରିଥାଏ। ମାତ୍ର ବାଲିଯାତ୍ରା ପୂର୍ବରୁ ପ୍ରଶାସନ ତାହା କରିବାରେ ବିଫଳ ହୋଇଛି। ଜିଲ୍ଲା ସଂସ୍କୃତି ସମିତି ସଭାପତି ଜିଲ୍ଲାପାଳ ଓ ହାତଗଣତି କିଛି ଅଧିକାରୀଙ୍କ ନିଷ୍ପତ୍ତି‌ରେ ବାଲିଯାତ୍ରା ଆୟୋଜନ କରାଯାଇଛି।

ଆୟୋଜନ କେବଳ ସଂସ୍କୃତି ସମିତି ବୁଝୁଥିବା ବେଳେ ଅତିଥି ଚୟନ ଓ ନିମନ୍ତ୍ରଣପତ୍ର ବଣ୍ଟନରେ ବିଭ୍ରାଟ ହୋଇଥିଲା। ଏଥିସହ ମଞ୍ଚର ନାମକରଣ, କଳାକାର ଚୟନ, ପଥଉତ୍ସବର ରାଜନୀତିକରଣ, ଅଶ୍ଳୀଳ ସଂଗୀତ ପରିବେଷଣ‌, ଉତ୍ସବରେ ବଡ ବଡ ବ୍ୟବସାୟୀଙ୍କୁ ସମ୍ବର୍ଦ୍ଧନା ଦେବା ଭଳି ଘଟଣା ସହରବାସୀଙ୍କୁ ଆଘାତ ଦେଇଛି। ବହୁ ବର୍ଷ ଧରି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ ମଧୁମଞ୍ଚର ଆୟୋଜନ କରାଯାଉଥିବା ବେଳେ ଏଥର ଏହାର ଆୟୋଜନ ପାଇଁ କୋର୍ଟର ଆଶ୍ରୟ ନେବାକୁ ପଡ଼ିଥିଲା। ଜିଲ୍ଲା ପ୍ରଶାସନ ନିଜର ପତିଆରା ଦେଖାଇବାକୁ ଚେଷ୍ଟା କରିଥିଲା। ବାଲିଯାତ୍ରା ଭଳି କାର୍ଯ୍ୟକ୍ରମରେ କୌଣସି ପ୍ରକାର ରାଜନୈତିକ ଛାପ ଅଥବା କୌଣସି ରାଜନୈତିକ ଦଳକୁ ସୁଯୋଗ ଦେବା ଅନୁଚିତ। ବାଲିଯାତ୍ରାକୁ ଆହୁରି ବ୍ୟାପକ କରିବା ପାଇଁ ରାଜ୍ୟ ସରକାର ଏହାର ଦାୟିତ୍ବ ନିଅନ୍ତୁ ବୋଲି ଶ୍ରୀ ତ୍ରିପାଠୀ ଦାବି ରଖିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ, ସାଧାରଣ ସଂପାଦକ ଭିକାରି ଦାସ, କାର୍ଯ୍ୟକାରୀ ସଭାପତି ଆଇନଜୀବୀ ବିଜୟ ଦାଶ, ଉପସଭାପତି ଧର୍ମେଶ ନାୟକ, ସହସଂପାଦକ ଡକ୍ଟର ଦ୍ବୀପାୟନ ପଟ୍ଟନାୟକ, ପୂର୍ବାଞ୍ଚଳ ଶାନ୍ତି କମିଟ ସଭାପତି ବିଜୟ କୁମାର ସାହୁ, ସାଧାରଣ ସଂପାଦକ ପ୍ରଫୁଲ୍ଲ କୁମାର ସାହୁ, କୋଷାଧ୍ୟକ୍ଷ ନିରଂଜନ ସାହୁ(ଶିବ), ନରେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପଟେ ବ‌ାଲିଯାତ୍ରା ହେଉଛି ଏକ ସରକାରୀ କାର୍ଯ୍ୟକ୍ରମ। ଏ ସଂପର୍କରେ ଯଦି କୌଣସି ବ୍ୟକ୍ତିବିଶେଷ ଅଥବା ଅନୁଷ୍ଠାନ କିଛି ମନ୍ତବ୍ୟ ରଖିଛନ୍ତି, ତାହା ଉପରେ ସେ କୌଣସି ପ୍ରକାର ଟିପ୍ପଣୀ ଦେବା ଠିକ୍‌ ହେବ ନାହିଁ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ସମିତିର ସଭାପତି ଡକ୍ଟର ଭବାନୀ ଶଙ୍କର ଚୟନୀ।

ସମ୍ବନ୍ଧିତ ଖବର