ଭୁବନେଶ୍ବର: ରାଜଧାନୀର ଲୋକସଂଖ୍ୟା ୧୫ ଲକ୍ଷରୁ ଅଧିକ। ଏତେ ବିଶାଳ ଜନସଂଖ୍ୟା ବିଶିଷ୍ଟ ସହରରେ ସରକାରୀସ୍ତରରେ ମାତ୍ର ୧୬ଟି ଆଇସିୟୁ ରହିଛି। ଫଳରେ ଜରୁରିକାଳୀନସ୍ଥିତିରେ ସାଧାରଣ ଲୋକମାନେ ଘରୋଇ ହସ୍ପିଟାଲରେ ଖର୍ଚ୍ଚାନ୍ତ ହେଉଛନ୍ତି। କଟକ ବଡ଼ ଡାକ୍ତରଖାନାକୁ କିଛି ରୋଗୀ ଯାଉଛନ୍ତି। ସରକାରୀ ଡାକ୍ତରଖାନାରେ ଆଇସିୟୁ ଅଭାବ ଓ ଘରୋଇ ହସ୍ପିଟାଲ୍ରେ ଆଇସିୟୁ ଖୋଜୁଖୋଜୁ ଏହା ମଧ୍ୟରେ ରୋଗୀର ମୃ୍ତ୍ୟୁ ହୋଇଯାଉଛି। ରାଜଧାନୀରେ ରାତିରେ ଆଇସିୟୁ ମିଳିବା କାଠିକର ପାଠ ହୋଇଯାଉଛି। ଗତକାଲି ବିଳମ୍ବିତ ରାତିରେ ବାଲିପାଟଣାର ମୁକୁନ୍ଦଦେବ ସାହୁଙ୍କର ବୃଦ୍ଧା ମା’ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ। ତାଙ୍କୁ ଆଇସିୟୁ ଦରକାର ହୋଇଥିଲା। କିନ୍ତୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଆଇସିୟୁ ଫାଙ୍କା ନଥିଲା। ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଯାଇଥିଲା। ନଚେତ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ନେଇ ଯିବାକୁ କୁହାଯାଇଥିଲା। ସକାଳେ ମଧ୍ୟ ଆଇସିୟୁ ମିଳିବ କି ନାହିଁ, କହିବା କଷ୍ଟକର ବୋଲି ତାଙ୍କୁ କୁହାଯାଇଥିଲା। ବହୁ ୱାର୍ଡରେ ଗୁରୁତର ରୋଗୀମାନେ ଆଇସିୟୁ ଅପେକ୍ଷାରେ ଅଛନ୍ତି ବୋଲି ମୁକୁନ୍ଦଦେବଙ୍କୁ କୁହାଯାଇଥିଲା।
ସକାଳେ ବି ଆଇସିୟୁ ମିଳିବାରେ ଅନିଶ୍ଚିତତା ଥିବାରୁ ସେ ତାଙ୍କ ମାଆଙ୍କୁ ଏମ୍ସକୁ ସ୍ଥାନାନ୍ତରିତ କରିଥିଲେ। ସେଠାରେ ମଧ୍ୟ ଆଇସିୟୁ ଫାଙ୍କା ନଥିଲା ତେଣୁ ବାଧ୍ୟ ହୋଇ ସେ ତାଙ୍କ ମାଆଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଏହା ରାଜଧାନୀରେ ସବୁଦିନିଆ ଘଟଣା। କ୍ୟାପିଟାଲ ହସ୍ପିଟାଲ ପିଜି ଇନ୍ଷ୍ଟିୁଚ୍ୟୁଟ୍ ମାନ୍ୟତା ପାଇବା ପରେ ଏଠାକୁ ଦୈନିକ ୪୦୦୦ ରୁ ଅଧିକ ରୋଗୀ ଆସୁଛନ୍ତି। ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳରୁ କିମ୍ବା ହସ୍ପିଟାଲରୁ ରୋଗୀମାନେ ରେଫର୍ ହୋଇ କ୍ୟାପିଟାଲ ହସ୍ପିଟାଲକୁ ଆସୁଛନ୍ତି। ମାତ୍ର ୧୬ଟି ଆଇସିୟୁ ପାଇଁ ବହୁ ରୋଗୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଗୋଟିଏ ଶଯ୍ୟା ପାଇଁ ସବୁ ସମୟରେ ୩ର ୪ ଜଣ ଲୋକ ଅପେକ୍ଷା କରି ରହୁଛନ୍ତି। ଏମ୍ସରେ ମଧ୍ୟ ମାତ୍ର ୨୫ଟି ଆଇସିୟୁ ରହିଛି। ତେଣୁ ରାଜଧାନୀରେ ଆଇସିୟୁ ମିଳିବା କଷ୍ଟକର। ରାଜଧାନୀର ବିଭିନ୍ନ ଘରୋଇ ହସ୍ପିଟାଲରେ ଆଇସିୟୁ ପାଇଁ ରାତି ପିଛା ହାରାହାରି ୮ହଜାର ଟଙ୍କା ପଡ଼ୁଛି। ସାଧାରଣ ଲୋକଟି ପକ୍ଷରେ ଏତେ ଟଙ୍କା ଗଣିବା ଅସମ୍ଭବ। ତେଣୁ ପରିଣତି ଯା’ହେଉ ପଛେ ସରକାରୀ ଡାକ୍ତରଖାନାକୁ ଅପେକ୍ଷା କରିବାକୁ ସେମାନେ ବାଧ୍ୟ। ସେହିଭଳି ବଡ଼ବଡ଼ ଘରୋଇ ହସ୍ପିଟାଲ୍ର ଆଇସିୟୁ ମଧ୍ୟ ଫାଙ୍କା ରହୁନଥିବା ଜଣାପଡ଼ିଛି। କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ୪ରୁ ୫ ବର୍ଷ ତଳେ କ୍ୟାପିଟାଲ ହସ୍ପିଟାଲରେ ଆଇସିୟୁ ସଂଖ୍ୟା ବଢ଼ିଥିଲା। ଏହାପରଠୁ ଆଉ ବଢ଼ି ନାହିଁ। ନୂଆ ବିଲ୍ଡିଂ ନିର୍ମାଣ ହେବା ପରେ ହସ୍ପିଟାଲରେ ଆହୁରି ଅଧିକ ନୂଆ ଆଇସିୟୁ ଶଯ୍ୟା ବୃଦ୍ଧି କରାଯିବ।