ଅନୁଗୁଳ ‘ସମ୍ବାଦ-ସାହିତ୍ୟଘର’ର ଦ୍ବିତୀୟ ସ୍ବନକ୍ଷତ୍ର ଉତ୍ସବ

ଆସନ୍ତୁ ଅନ୍ୟମନସ୍କ ହେବା : ସୌମ୍ୟରଞ୍ଜନ

ଅନୁଗୁଳ: ଏକବିଂଶ ଶତାବ୍ଦୀରେ ରାଜନୀତି ଚରମ ଉତ୍କର୍ଷ ହାସଲ କରିଛି। କିନ୍ତୁ ବିଡ଼ମ୍ବନାର କଥା ହେଲା, ଆମ ସମାଜର ଶ୍ରେଷ୍ଠ ବ୍ୟକ୍ତିତ୍ବମାନେ ରାଜନୀତିକୁ ଘୃଣା କରନ୍ତି। ଯାହା ଏ ଶତାବ୍ଦୀର ସବୁଠାରୁ ବଡ଼ ଦୁର୍ବଳତା। ଭଦ୍ରଲୋକମାନେ ରାଜନୀତି କରନ୍ତି ନାହିଁ, ଏ ପ୍ରକାର ବିଚାର ବିଭ୍ରାଟ ହିଁ ଆମ ସାହିତ୍ୟିକମାନଙ୍କୁ ଗଳ୍ପ, ପ୍ରବନ୍ଧ ମଧ୍ୟରେ ସୀମିତ ରଖିଛି। ସାହିତ୍ୟିକମାନେ ଏ ବିଚାର ବିଭ୍ରାଟରୁ ମୁକ୍ତ ହୁଅନ୍ତୁ। କେବଳ ନିଜ କଥା ନ ଭାବି, ଅନ୍ୟ ପାଇଁ ସମସ୍ତେ ଚିନ୍ତା କରିବାର ବେଳ ଆସିଛି। ଅନ୍ୟ ପାଇଁ ଟିକେ ମନସ୍କ ହୁଅନ୍ତୁ। ଅନୁଗୁଳ ରୋଟାରି ପବ୍ଲିକ୍‌ ସ୍କୁଲ୍‌ ପ୍ରେକ୍ଷାଳୟରେ ଆଜି ଆୟୋଜିତ ଅନୁଗୁଳ ‘ସମ୍ବାଦ-ସାହିତ୍ୟଘର’ ଦ୍ବିତୀୟ ସ୍ବନକ୍ଷତ୍ର ଉତ୍ସବକୁ ଉଦ୍‌ଘାଟନ କରି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସାହିତ୍ୟିକମାନଙ୍କୁ ଏଭଳି ଆହ୍ବାନ ଦେଇଛନ୍ତି। କହିଛନ୍ତି, ସାହିତ୍ୟ ହେଉଛି ଭାଷା ଏବଂ ଭାବନାର ଏକ ଖେଳ। ସମାଜର ଅନ୍ୟମାନଙ୍କ ପ୍ରତି ସାହିତ୍ୟିକଙ୍କର ସମ୍ପୃକ୍ତି, ସମବେଦନା ଓ ସହାନୁଭୂତି ରହିଲେ ସାହିତ୍ୟ କେବଳ ରୁଚିକର ହେବ ନାହିଁ, ସମାଜ ପାଇଁ ସମୃଦ୍ଧି ଆଣିଦେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ବର୍ତ୍ତମାନ ଯୁବପିଢ଼ି ମଧ୍ୟରେ ସାହିତ୍ୟକୁ ନେଇ ଆସିଥିବା ଅରୁଚିର କାରଣ ଏବଂ ସମାଧାନ ବିଷୟରେ ଶ୍ରୀ ପଟ୍ଟନାୟକ ଆଲୋକପାତ କରି କହିଥିଲେ, ପୁସ୍ତକ ଆଗ ଭଳି ଆଉ ଲୋକପ୍ରିୟ ହେଉନାହିଁ। ଏହାର ଭବିଷ୍ୟତ ମଧ୍ୟ ଉଜ୍ଜ୍ବଳ ନୁହେଁ। ତାର କାରଣ ଡିଜିଟାଲ୍ ଯୁଗରେ ପୁସ୍ତକ ରୂପକ ଛପା ମାଧ୍ୟମଟି କ୍ରମଶଃ ଗୁରୁତ୍ବ ହରାଉଛି। କହିବାକୁ ଗଲେ, କାରିଗରୀ କୌଶଳ ସାହିତ୍ୟର ଶତ୍ରୁ ପାଲଟିଛି। ଏ ଶତ୍ରୁ ସହିତ ଆମେ ଯୁଦ୍ଧ କଲେ ହେବ ନାହିଁ। ଆମର ଉତ୍ତର ପିଢ଼ିଙ୍କ ଉପରେ ପୁସ୍ତକର ବୋଝ ଲଦି ଦେଲେ ହେବ ନାହିଁ। ଆମକୁ ଏ ଶତ୍ରୁ ସହିତ ସନ୍ଧି କରିବାକୁ ହେବ। ବର୍ତ୍ତମାନର ପିଢ଼ି ମୋବାଇଲ୍ ମାଧ୍ୟମରେ ଦୁନିଆଁକୁ ଦେଖୁଛନ୍ତି। ଓଡ଼ିଆ ସାହିତ୍ୟକୁ ସେହି ମାଧ୍ୟମ ସହିତ ଯୋଡ଼ି ଆମ ଯୁବ ପିଢ଼ିଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ। ଆମ ସାହିତ୍ୟରେ ଏମିତି କି ପ୍ରକାର ରସ ଅଛି, ତାହା ତାଙ୍କୁ ଜଣାଇଲେ ହିଁ ଓଡ଼ିଆ ସାହିତ୍ୟ ନୂଆ ପିଢ଼ିଙ୍କ ପାଖରେ ବଞ୍ଚିରହିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସେହିଭଳି ସଫଳତାର ସୂତ୍ର ସଂପର୍କରେ ନିଜର ବୃତ୍ତିଗତ ଅଭିଜ୍ଞତାକୁ ବାଣ୍ଟି ସେ କହିଥିଲେ, କୌଣସି ଉଦ୍ଦେଶ୍ୟ ରଖି କୌଣସି କାମ କର ନାହିଁ। କେବଳ ନିଃସ୍ବାର୍ଥପର ଭାବେ ଓ ନିଷ୍ଠାର ସହିତ କାମ କରିଚାଲ। ଏହାଦ୍ବାରା ନିଶ୍ଚିତ ସଫଳତା ମିଳିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସାହିତ୍ୟଘରର ସଭାପତି ପ୍ରଫେସର ଶାନ୍ତନୁ କୁମାର ସରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପ୍ରାବନ୍ଧିକ ପ୍ରଫେସର ଧନେଶ୍ବର ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କହିଥିଲେ, ସୃଷ୍ଟିର ଅନ୍ୟାନ୍ୟ ସାମର୍ଥ୍ୟ ମଧ୍ୟରୁ ସାହିତ୍ୟ ହେଉଛି ଅନ୍ୟତମ ସୃଜନ ସାମର୍ଥ୍ୟ। ଏହି ସାମର୍ଥ୍ୟ ପାଇଁ ସଭ୍ୟତା ଆଗକୁ ବଢ଼ିଛି। ଖଣ୍ଡା ଧାରଠାରୁ କଲମ ମୁନର ଧାର ଟାଣ ନ୍ୟାୟରେ ଗୋଟିଏ ଗୋଟିଏ ବହି ବୈପ୍ଲବିକ ପରିବର୍ତ୍ତନ ଆଣିଛି। ସାହିତ୍ୟ ସମାଜର ଉତ୍କର୍ଷ ସାଧନ ପାଇଁ ଉଦ୍ଦିଷ୍ଟ। ଦିନକୁ ଦିନ ସାହିତ୍ୟ ଦିଗନ୍ତ ବିସ୍ତାର କରୁଥିବା ବେଳେ ସମାଜର ଉତ୍କର୍ଷତା ପ୍ରତି ସାହିତ୍ୟିକମାନେ ବ୍ରତୀ ହେବା ଉପରେ ପ୍ରଫେସର ସାହୁ ଜୋର୍‌ ଦେଇଛନ୍ତି।

ସାହିତ୍ୟଘରର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାହିତ୍ୟକୁ ସମାଜର ଦର୍ପଣ ବୋଲି କହିଥିଲେ। ବର୍ଣ୍ଣନା ସତ୍ୟ ଆଧାରିତ ହେଲେ ସାହିତ୍ୟ କୃତୀ ସେହି ସମୟର କାଳଖଣ୍ଡକୁ ସବୁ ଦିନ ପାଇଁ ଧରି ରଖେ। ସାହିତ୍ୟିକ ବନ୍ଧୁମାନେ ଏଥିପ୍ରତି ବ୍ରତୀ ହୁଅନ୍ତୁ। ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ପାଇଁ ଗୋଟିଏ ସୁନ୍ଦର ପିଢ଼ି ତିଆରି କରିବାର ଉତ୍ତର ଦାୟିତ୍ବ ସାହିତ୍ୟଘରର ସଦସ୍ୟମାନେ ନେବାକୁ ଡ. ଲେଙ୍କା ଆହ୍ବାନ ଦେଇଥିଲେ। ସଭାପତି ପ୍ରଫେସର ସର ନିଜ ସଭାପତୀୟ ଅଭିଭାଷଣରେ ସଂକଟ ବେଳାରେ ସାହିତ୍ୟ କିଭଳି ମାର୍ଗଦର୍ଶନର ଦାୟିତ୍ବ ତୁଲାଏ ତାହା ‘କରୋନା’ ଆମକୁ ଶିଖାଇଲା ବୋଲି କହିଥିଲେ। ସାହିତ୍ୟ ମୃତ୍ୟୁକୁ ସାମ୍ନା କରିବାର ସାହସ ବି ଦିଏ, ତାହା ଏ କରୋନାର ମହାର୍ଘ୍ୟ ଅନୁଭୂତି ବୋଲି ସେ କହିଥିଲେ। ରୋଟାରି ପବ୍ଲିକ୍‌ ସ୍କୁଲ୍‌ର ପରିଚାଳନା କମିଟି ମୁଖ୍ୟ ନିଖିଲ୍‌ ମିଶ୍ର ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।

ପ୍ରାରମ୍ଭରେ ‘ସମ୍ବାଦ ଅନୁଗୁଳ ସଂସ୍କରଣର ଉପ ମହାପ୍ରବନ୍ଧକ(ବାର୍ତ୍ତା) ସୁବ୍ରତ ନାୟକ ସାହିତ୍ୟଘରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସାହିତ୍ୟଘରର ସମ୍ପାଦକ ଅରୁଣ କୁମାର ସାହୁ ସମ୍ପାଦକୀୟ ବିବରଣୀ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକଙ୍କୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ଆସିଥିବା ୨୧ଟି ସାମାଜିକ ତଥା ସାହିତ୍ୟ ଅନୁଷ୍ଠାନ ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକଙ୍କ ଦ୍ବାରା ସ୍ବନକ୍ଷତ୍ର ଉତ୍ସବର କେକ୍‌ କଟାଯାଇଥିଲା। ଅନୁଗୁଳ ‘ସମ୍ବାଦ-ସାହିତ୍ୟଘର’ର ମୁଖପତ୍ର ‘ସମ୍ବିତ’, ସମ୍ବାଦରେ ପ୍ରକାଶିତ ସ୍ବତନ୍ତ୍ର ପୃଷ୍ଠା ‘ଇନ୍ଦ୍ରଧନୁ’ ସହିତ ବିଭିନ୍ନ ଲେଖକଙ୍କର ୯ଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। କୋଷାଧ୍ୟକ୍ଷ ସତ୍ୟସୁନ୍ଦର ଦାସଙ୍କ ସଂଯୋଜନାରେ ଗଳ୍ପ ଏବଂ କବିତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ‘ସମ୍ବାଦ’ର ବରିଷ୍ଠ ଅନୁଗୁଳ ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇ ଧନ୍ୟବାଦ ଦେଇଥିଲେ। ଅପରାହ୍ଣ ଅଧିବେଶନରେ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଡ.ଲେଙ୍କାଙ୍କ ଅଧ୍ୟକ୍ଷତାରେ ଏବଂ ଅୟସ୍‌କାନ୍ତ ଓ ବୈରାଗୀ ମଲ୍ଲିକଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଇଂ. ଶଚ୍ଚିକାନ୍ତ ଖୁଣ୍ଟିଆ କବିତାଗୁଡ଼ିକର ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର