ଆଳି: ସାହିତ୍ୟ ସମୂହ ହିତ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଛି। ମାତ୍ର ଯେତେବେଳେ ସାମୂହିକ ହିତ ପ୍ରତିହତ ହେଉଛି, ସେତେବେଳେ ସାହିତ୍ୟ ନିରବ ରହୁଛି। ସାହିତ୍ୟର ସାମାଜିକ ଦାୟିତ୍ୱ ରହିବା ଏକାନ୍ତ ଆବଶ୍ୟକ। ଗୋଟିଏ ଜାତିର କୀର୍ତ୍ତିରାଜି, ଐତିହ୍ୟ, ସଂସ୍କୃତି ଓ ଭାଷାର ସୁରକ୍ଷା ସହିତ ଜନ୍ମମାଟି ପ୍ରତି ଅନ୍ୟାୟ, ଅତ୍ୟାଚାର ବେଳେ ସାହିତ୍ୟରେ ପ୍ରତିବାଦର ସ୍ବର ଉଠିବା ଆବଶ୍ୟକ ବୋଲି ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। 

Advertisment

ଆଳି ବ୍ଲକ୍ ସାନମଙ୍ଗ ପଞ୍ଚାୟତ ଠାକୁରସାହିରେ ଅନୁଷ୍ଠିତ ମାଟିର ମହାକବି ଶୁଦ୍ରମୁନି ସାରଳା ଦାସ ଓ ଶ୍ରୀମଦ୍ ଭାଗବତର ରଚୟିତା ଜଗନ୍ନାଥ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଏହା କହିଥିଲେ। ‘ଗୌରବ ସାହିତ୍ୟ ସଂସଦ’ ପକ୍ଷରୁ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ଦାଶ ବେନହୁର ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଥିଲେ, ଭାଗବତ ଜୀବନ ଗଠନ, ମହାଭାରତ ରାଷ୍ଟ୍ର ଗଠନ ଓ ରାମାୟଣ ପରିବାର ଗଠନ ସମ୍ପର୍କରେ ମହାଶିକ୍ଷା ଦେଇଥାଏ। ଜଗନ୍ନାଥ ଦାସ ଓ ସାରଳା ଦାସଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ନୂତନ ପିଢ଼ିଙ୍କୁ ଓଡ଼ିଆ ଭାଷା ସାହିତ୍ୟ ଓ ଏହି ମହାନ୍‌ ଗ୍ରନ୍ଥଗୁଡ଼ିକ ପ୍ରତି ଆକୃଷ୍ଟ କରାଇବ ବୋଲି କହିଥିଲେ। ବିଶିଷ୍ଟ ସାହିତ୍ୟିକ ପ୍ରଫେସର ନଟବର ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ମାତୃଭାଷାକୁ ନ୍ୟୂନ ଭାବିବା ଉଚିତ ନୁହେଁ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ପ୍ରାବନ୍ଧିକ ଓ ସାହିତ୍ୟିକ ବାବାଜି ଚରଣ ପଟ୍ଟନାୟକ, ସ୍ତମ୍ଭକାର ଅଭିରାମ ବିଶ୍ବାଳ, ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ ଯୋଗଦେଇ ଜଗନ୍ନାଥ ଦାସ, ସାରଳା ଦାସଙ୍କ କୃତିରାଜି ଓ ଓଡ଼ିଆ ଭାଷା, ସାହିତ୍ୟ ସମ୍ପର୍କରେ ମତ ରଖିଥିଲେ।

ଏହି ଅବସରରେ ‘ଗୌରବ ସାହିତ୍ୟ ସଂସଦ’ ପକ୍ଷରୁ ସାହିତ୍ୟିକ ନଟବର ଶତପଥୀ, ବାବାଜି ଚରଣ ପଟ୍ଟନାୟକ ଓ ତୁଳସୀ ଓଝାଙ୍କୁ ‘ଗୌରବ ସୃଜନ ସମ୍ମାନ’ରେ ସମ୍ମାନିତ କରାଯିବା ସହିତ ଭାଗବତ ପ୍ରଚାରକ ବଟକୃଷ୍ଣ ରାଉତ, ଯୁବଉଦ୍ୟୋଗୀ ସତ୍ୟବ୍ରତ ଶତପଥୀ ଓ ମୂର୍ତ୍ତିଶିଳ୍ପୀ ସୁନୀଲ ଓଝାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାହିତ୍ୟ ପତ୍ରିକା ‘ଗୌରବ’ ଓ ସଙ୍କର୍ଷଣ ଦାସଙ୍କ ରଚିତ ‘ଶିଶୁଏ ହସିଲେ ଜଗତ ହସିବ’ ପୁସ୍ତକକୁ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ଉନ୍ମୋଚନ କରିଥିଲେ। ସଂସଦର ସଭାପତି ଡାକ୍ତର ନାରାୟଣ ମହାକୁଳଙ୍କ ଅଧ୍ୟକ୍ଷତା ଓ ଆଳି ‘ସମ୍ବାଦ-ସାହିତ୍ୟଘର’ ସମ୍ପାଦକ ସୁଶାନ୍ତ କୁମାର ନାୟକଙ୍କ ସଞ୍ଚାଳନାରେ ଅନୁଷ୍ଠିତ ସମାରୋହରେ ସମ୍ପାଦକ ସଙ୍କର୍ଷଣ ଦାଶ ବିବରଣୀ ପାଠ, କବି ଶତ୍ରୁଘ୍ନ ପାଣ୍ଡବ ଅତିଥି ପରିଚୟ, କଥାକାର ପରେଶ ପଟ୍ଟନାୟକ ପତ୍ରିକାର ସମ୍ପାଦନା ଅନୁଭୂତି ଓ ପଣ୍ଡିତ ମହେଶ୍ୱର ନନ୍ଦ ବେଦପାଠ କରିଥିଲେ। ସଂସଦ ପକ୍ଷରୁ କୁଳମଣି ସାହୁ ଧନ୍ୟବାଦ ଦେଇଥିଲେ।