ଚାଲନ୍ତୁ ଟିକା ପାଇଁ ଏକାଠି ହେବା: ନବୀନ

ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ସମୂହ ଟିକାକରଣ ନେଇ ଅଭିନବ ପ୍ରୟାସ
କେନ୍ଦ୍ର ବିଶ୍ବ ବଜାରରୁ ଟିକା କିଣି ସବୁ ରାଜ୍ୟକୁ ଦେଉ

ଭୁବନେଶ୍ବର : ସାରା ଦେଶରେ ଏବେ ଟିକା ସଙ୍କଟ ଗୁରୁତର ଆକାର ଧାରଣା କଲାଣି। ବିଭିନ୍ନ ରାଜ୍ୟର ସରକାରମାନେ ଡାକୁଥିବା ଗ୍ଲୋବାଲ୍‌ ଟେଣ୍ଡର୍‌ରେ ସଫଳତା ମିଳୁ ନାହିଁ। କାରଣ ଏକ ସଂଘୀୟ ରାଷ୍ଟ୍ରରେ ବିଦେଶୀ କମ୍ପାନିମାନେ ସିଧାସଳଖ କେନ୍ଦ୍ର ସରକାରଙ୍କ ସହ ଚୁକ୍ତି କରିବାକୁ ଚାହୁଁଛନ୍ତି। ଏହି ପରିପ୍ରେକ୍ଷୀରେ ଟିକା ସଙ୍କଟ ଟାଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ପାଦେ ଆଗକୁ ଯାଇଛନ୍ତି। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସମସ୍ତ ରାଜନୈତିକ ଭେଦଭାବ ଭୁଲି ମହାମାରୀର ସମ୍ଭାବ୍ୟ ଭବିଷ୍ୟତ ଲହରକୁ ପ୍ରତିହତ କରିବା ପାଇଁ ଏକାଠି ହେବାକୁ ସେ ଆହ୍ବାନ କରିଛନ୍ତି। ପ୍ରସ୍ତାବ ଦେଇଛନ୍ତି ଯେ ମହାମାରୀ ପ୍ରକୋପରୁ ଯଥାଶୀଘ୍ର ଲୋକମାନଙ୍କ ଜୀବନ ବଞ୍ଚାଇବାକୁ ହେଲେ ସମୂହ ଟିକାକରଣ ଆବଶ୍ୟକ। ଏଥିପାଇଁ କେନ୍ଦ୍ର ସରକାର ବିଶ୍ବ ସ୍ତରରେ ଟିକା ସଂଗ୍ରହ କରି ରାଜ୍ୟମାନଙ୍କୁ ପ୍ରଦାନ କରିବା ଦରକାର। ଏ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି।

ଦୁଇ ପୃଷ୍ଠା ସମ୍ବଳିତ ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ଗତ ଏକ ବର୍ଷ ହେଲାଣି କୋଭିଡ-୧୯ ମହାମାରୀ ବିଶ୍ବର ସବୁ ରାଷ୍ଟ୍ରରେ ଆତଙ୍କ ସୃଷ୍ଟି କରିଛି। ସେଥିରୁ ଅଧିକାଂଶ ଦେଶ ଏହି ମହାମାରୀର ଏକାଧିକ ଲହରକୁ ସାମ୍ନା କଲେଣି। ଭାରତ ଏଥିରୁ ବାଦ ଯାଇନି। ଆମେ ସମସ୍ତେ କରୋନା ମହାମାରୀର ଦୁଇଟି ଲହରକୁ ମୁକାବିଲା କରିଆସୁଛେ। ବିଶେଷ କରି ଦ୍ବିତୀୟ ଲହର ସଂକ୍ରମଣ ଏତେ ଘାତକ ହୋଇଛି ଯେ ଭବିଷ୍ୟତର ଲହରକୁ ନେଇ ଲୋକମାନଙ୍କ ଭିତରେ ଭୟର ବାତାବରଣ ଦେଖାଦେଇଛି। କରୋନା ଦାଉରୁ ଲୋକଙ୍କ ଜୀବନକୁ ସୁରକ୍ଷା ଓ ଭବିଷ୍ୟତର ଲହରକୁ ପ୍ରତିହତ କରିବାକୁ ହେଲେ ଟିକାକରଣ ଏକମାତ୍ର ଜୀବନ ରକ୍ଷାକାରୀ ହେବ। କାରଣ ଯେଉଁ ଦେଶ ଟିକାକରଣକୁ ଗୁରୁତ୍ବ ଦେଇଛନ୍ତି ସେମାନଙ୍କ ଦେଶରେ ଏହି ମହାମାରୀର ପ୍ରକୋପ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଯେ ପର୍ଯ୍ୟନ୍ତ ଭାରତର ସବୁ ରାଜ୍ୟ ଏକସଙ୍ଗେ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣକୁ ଗୁରୁତ୍ବ ଦେଇନାହାନ୍ତି ସେ ପର୍ଯ୍ୟନ୍ତ କୌଣସି ଗୋଟିଏ ରାଜ୍ୟ ଆଦୌ ସୁରକ୍ଷିତ ନୁହେଁ। ଏହାର ଅର୍ଥ ନୁହେଁ, ରାଜ୍ୟ ଓ ରାଜ୍ୟ ମଧ୍ୟରେ ଟିକା ସଂଗ୍ରହକୁ ନେଇ ପ୍ରତିଯୋଗିତା ଚାଲିବ।

ଏହା ନିଜ ନିଜ ଭିତରେ ଲଢ଼େଇ କରିବାର ବେଳ ନୁହେଁ।

କେନ୍ଦ୍ର ସରକାର ଫେଜ୍‌-୩ ଟିକାକରଣ ନେଇ ନୀତି ଘୋଷଣା କରି ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ ଟିକାକରଣ ପାଇଁ ବିଶ୍ବବଜାରରୁ ଟିକା ସଂଗ୍ରହ କରିବା ଦାୟିତ୍ବ ଘରୋଇ କ୍ଷେତ୍ର ଓ ରାଜ୍ୟ ସରକାରଙ୍କ ଉପରେ ଛାଡ଼ି ଦେଇଛନ୍ତି। ଏବେ ଟିକା ଉପଲବ୍ଧ କରାଇବା ନେଇ ନାଗରିକମାନେ ସ୍ବର ଉଠାଇଲେଣି। ଏ ନେଇ ଅଧିକାଂଶ ରାଜ୍ୟ ଟିକା କିଣିବା ପାଇଁ ବିଶ୍ବ ସ୍ତରରେ ଟେଣ୍ଡର ଆହ୍ବାନ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବିଶ୍ବସ୍ତରରେ ଟିକା ଉତ୍ପାଦନ କରୁଥିବା କମ୍ପାନି ଓ ଯୋଗାଣକାରୀ ସଂସ୍ଥା ସିଧାସଳଖ ଭାରତ ସରକାରଙ୍କଠାରୁ ଏ ନେଇ ଅନୁମତି ଓ ପ୍ରତିଶ୍ରୁତି ଚାହୁଁଛନ୍ତି। ଗୋଟିଏ ପଟେ ଦେଶ ଭିତରେ ଟିକା ଉତ୍ପାଦନ କରୁଥିବା କମ୍ପାନିମାନେ ଆବଶ୍ୟକ ମୁତାବକ ଟିକା ଯୋଗାଇପାରୁ ନ ଥିବା ବେଳେ ବିଦେଶୀ ଟିକା ଉତ୍ପାଦନ କମ୍ପାନି ଓ ଯୋଗାଣକାରୀ ସଂସ୍ଥାମାନେ ରାଜ୍ୟ ସରକାରମାନଙ୍କ ସହିତ ଟିକା ଯୋଗାଣ ନେଇ ଚୁକ୍ତିବଦ୍ଧ ହେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି।

ଏଭଳି ସ୍ଥିତିରେ ସବୁଠାରୁ ଉତ୍ତମ ରାସ୍ତା ହେଲା ଭାରତ ସରକାର ଟିକା ସଂଗ୍ରହ କରି ରାଜ୍ୟମାନଙ୍କୁ ଯୋଗାଇ ଦିଅନ୍ତୁ। ଯାହା ଫଳରେ ଟିକାକରଣ ଶୀଘ୍ର ହୋଇପାରିବ। ଏହା ସହିତ ଟିକାକରଣ ବ୍ୟବସ୍ଥାର ବିକେନ୍ଦ୍ରୀକରଣ ହେବା ଦରକାର। ସମୂହ ଟିକା ପ୍ରଦାନ ବ୍ୟବସ୍ଥାର ପରିଚାଳନା କ୍ଷମତା ରାଜ୍ୟମାନଙ୍କୁ ମିଳିବା ଦରକାର। ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି କି କିଛି ରାଜ୍ୟରେ ଏପରି ପାହାଡ଼ ଓ ଦୁର୍ଗମ ଅଞ୍ଚଳ ଅଛି ଯେଉଁଠି ଇଣ୍ଟରନେଟ୍‌ ଏ ପର୍ଯ୍ୟନ୍ତ ପହଞ୍ଚି ନାହିଁ। ସେସବୁ ସ୍ଥାନରେ ଟିକା ନେବା ପାଇଁ ଅନ୍‌ଲାଇନ୍‌ ପଞ୍ଜୀକରଣ କିପରି ହେବ? ବିଶେଷ କରି ଆଦିବାସୀ ଅଞ୍ଚଳରେ ଟିକାକରଣକୁ ଅଗ୍ରାଧିକାର ଦେବା ନେଇ ରାଜ୍ୟମାନେ ନିଜେ ନିଷ୍ପତ୍ତି ନେଇପାରିବେ। ଏହି କ୍ଷମତା ରାଜ୍ୟମାନଙ୍କୁ ମିଳିବା ଉଚିତ୍‌।

ଟିକା ସଂଗ୍ରହ ଭାରତ ସରକାର କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସବୁ ରାଜ୍ୟ ଏକମତ ହୋଇ ଏହି ସଂକଟର ଶୀଘ୍ର ସମାଧାନ କରିବା ଦିଗରେ ଆଗେଇ ଆସିବା ଦରକାର। ତୃତୀୟ ଲହର ଆସିବା ପୂର୍ବରୁ ଆମେମାନେ ସତର୍କ ହୋଇ ପଦକ୍ଷେପ ନେଲେ ଭବିଷ୍ୟତର ବିପଦକୁ ଏଡ଼ାଇ ଦିଆଯାଇପାରିବ।

ଶ୍ରୀ ପଟ୍ଟନାୟକ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ଓ ସେମାନେ ସମସ୍ତେ ଏହି ପ୍ରସ୍ତାବରେ ସହମତ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ସବୁ ଭେଦଭାବ ଭୁଲି ସଂଘୀୟ ବ୍ୟବସ୍ଥାରେ ଏକାଠି ହୋଇ ଲୋକମାନଙ୍କ ଜୀବନ ଓ ଜୀବିକା ବଞ୍ଚାଇବାକୁ ଆମେ ସମସ୍ତ ଆଗେଇ ଆସିବା ଦରକାର। ଏହା ସହିତ ସେ କହିଛନ୍ତି, ଏକ ମନ ଓ ଏକ ଚେତନାର ସହ ଗୋଟିଏ ଟିମ୍‌ ହୋଇ କାମ କଲେ ନିଶ୍ଚିତ ଏହି ବିପତ୍ତିରୁ ମୁକ୍ତି ମିଳିବ। ଯାହାକି ଦେଶର ନାଗରିକମାନଙ୍କ ପାଖରେ ଆମେ ସମସ୍ତେ ପ୍ରତିଶ୍ରୁତିବଦ୍ଧ।
ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ଚିଠି ପରିପ୍ରେକ୍ଷୀରେ ନିଜ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆସ୍ଥା ଓ ଭରସା ପ୍ରକଟ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କେନ୍ଦ୍ରର ଟିକାକରଣ ନୀତିକୁ ସମର୍ଥନ କରିବା ସହ କେନ୍ଦ୍ର ସରକାରଙ୍କ ଦ୍ବାରା ସବୁ ରାଜ୍ୟକୁ ଟିକା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି। ଟ୍ବିଟ୍‌ କରି ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ବର୍ତ୍ତମାନ ସମୟରେ ଟିକା ପ୍ରତି ସଚେତନତା ବଢ଼ିଛି। ପ୍ରଧାନମନ୍ତ୍ରୀ ଧନୀ, ଗରିବ, ଉଚ୍ଚ, ନୀଚର ଭେଦଭାବ ନ ରଖି ଜନସଂଖ୍ୟା ଆଧାରରେ ରାଜ୍ୟଗୁଡ଼ିକୁ ଟିକା ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି। ଭାରତ ସରକାର ସବୁ ରାଜ୍ୟକୁ ୨୩ କୋଟି ଟିକା ଯୋଗାଇ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାକୁ ୮୫ ଲକ୍ଷ ୧୭ ହଜାର ୯୫୦ ଟିକା ପ୍ରଦାନ କରାଯାଇଛି। ଭାରତର ଜନସଂଖ୍ୟା ଆଧାରରେ ଓଡ଼ିଶାର ଜନସଂଖ୍ୟା ୩.୧ ପ୍ରତିଶତ ଥିବା ବେଳେ ଓଡ଼ିଶାକୁ ଟିକା ଉତ୍ପାଦନର ୩.୭୫ ପ୍ରତିଶତ ଉପଲବ୍ଧ ହୋଇଛି। ଆଜି ୫୦ ପ୍ରତିଶତ ଟିକା ଭାରତ ସରକାର ରାଜ୍ୟଗୁଡ଼ିକୁ ମାଗଣାରେ ଯୋଗାଉଥିବା ବେଳେ ୨୫ ପ୍ରତିଶତ ଟିକା ରାଜ୍ୟ ସରକାର ଓ ୨୫ ପ୍ରତିଶତ ଟିକା ଶିଳ୍ପ ଜଗତ ସେମାନଙ୍କର କର୍ମଚାରୀ ଓ ପରିବାର ସଦସ୍ୟଙ୍କ ଟିକାକରଣ ପାଇଁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର