ବିଧାନସଭାରେ ସରକାରଙ୍କୁ ଘେରିବାକୁ ଚାଲ୍; ବିଜେପି ଖେଳିବ ଲୋକାୟୁକ୍ତ କାର୍ଡ

ଲୋକାୟୁକ୍ତଙ୍କ ଅଧୀନକୁ ଆସୁ ଭିଜିଲାନ୍ସ, ବେସରକାରୀ ବିଲ୍ ଆଣୁଛନ୍ତି ବିଜେପି ବିଧାୟକ

ଭୁବନେଶ୍ବର: ଲୋକାୟୁକ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଭିଜିଲାନ୍ସ ରହୁ। ଲୋକାୟୁକ୍ତ ତାଙ୍କ ପ୍ରଥମ ବାର୍ଷିକ ରିପୋର୍ଟରେ କରିଥିବା ଏଭଳି ସୁପାରିସ ଉପରେ ରାଜ୍ୟ ସରକାର ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ହେଁ, ଏହି ପ୍ରସଙ୍ଗଟି କିନ୍ତୁ ଆସନ୍ତା ବିଧାନସଭା ସମୟରେ ଅକଳ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ଏଇଥିପାଇଁ ଯେ ଓଡ଼ିଶା ଲୋକାୟୁକ୍ତ ଆଇନରେ ଆବଶ୍ୟକ ସଂଶୋଧନ ଆଣିବା ସହ ଭିଜିଲାନ୍ସକୁ ଲୋକାୟୁକ୍ତଙ୍କୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧୀ ବିଜେପି ମଞ୍ଜି କରି ଆଗକୁ ବଢ଼ିବାକୁ ରାସ୍ତା ଖୋଲିଛି। ୨୦୧୪ ଲୋକାୟୁକ୍ତ ଆଇନରେ ଆବଶ୍ୟକ ସଂଶୋଧନ ଲାଗି ବିଜେପି ବିଧାୟକ ଡ. ମୁେକଶ ମହାଲିଙ୍ଗ ଏକ ବେସରକାରୀ ବିଲ୍ ଆଣୁଛନ୍ତି।

ଏଥିରେ କୁହାଯାଇଛି, ଦୁର୍ନୀତିର ପ୍ରଭାବ ଏତେ ବ୍ୟାପକ ଯେ ଲୋକଙ୍କ ମୌଳିକ ଅଧିକାର ଏବଂ ଦେଶର ବିକାଶ ଉଭୟ ଆଜି ବିପଦରେ। କେବଳ
ସେତିକି ନୁହେଁ, ଦୁର୍ନୀତି ଗୋଟିଏ ଗୁଣାତ୍ମକ ଜୀବନ ଚର୍ଯ୍ୟାକୁ ନଷ୍ଟ୍ରଭ୍ରଷ୍ଟ କରିଦିଏ। କାରଣ ଶାସନରେ ଉଭୟ ଦୁର୍ନୀତି ଓ ପ୍ରଶାସନିକ ଶଠତା ଦୁଇ ଭଉଣୀ ଭଳି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁର୍ନୀତିର ମୁକାବିଲା ଲାଗି ୨୦୧୪ରେ ଓଡ଼ିଶା ଲୋକାୟୁକ୍ତ ଆଇନ କରିଛନ୍ତି। ୨୦୧୯ ଫେବ୍ରୁଆରି ୨୮ ତାରିଖରୁ ଓଡ଼ିଶାରେ ଲୋକାୟୁକ୍ତ କାର୍ଯ୍ୟ କରୁଛନ୍ତି। ଦୁର୍ନୀତିର ମୂଳୋତ୍ପାଟନ ସାଙ୍ଗକୁ ଏଥିରେ ଲିପ୍ତ ପ୍ରଶାସନିକ ଏବଂ ରାଜନୈତିକସ୍ତରରେ ଥିବା ଜନସେବକଙ୍କୁ ଦଣ୍ଡଦେବା କ୍ଷମତା ଲୋକାୟୁକ୍ତଙ୍କର ରହିଛି। ବିଜେପିର ଯୁକ୍ତି ହେଉଛି, ଏବେ ଓଡ଼ିଶା ଲୋକାୟୁକ୍ତଙ୍କୁ ଆହୁରି ଶକ୍ତିଶାଳୀ କରିବାର ବେଳ ଆସିଯାଇଛି। ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରୁ ଭିଜିଲାନ୍ସକୁ ମୁକ୍ତ କରାଯାଇ ଓଡ଼ିଶା ଲୋକାୟୁକ୍ତଙ୍କ ଅଧୀନକୁ ଏହି ସଂସ୍ଥାକୁ ହସ୍ତାନ୍ତର କରାଯିବା ଦରକାର। ଏଥିପାଇଁ ରାଜ୍ୟ ସରକାର ଓଡ଼ିଶା ଲୋକାୟୁକ୍ତ ଆଇନର ଧାରା ୧୧ ଅନ୍ତର୍ଗତ ଉପଧାରା ୧ରେ ସଂଶୋଧନ ଆଣିବା ଅପରିହାର୍ଯ୍ୟ ହୋଇଛି।

ସଂପ୍ରତି ଭିଜିଲାନ୍ସ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ରହିଛି। ମାତ୍ର ଏହା ଲୋକାୟୁକ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରହିଲେ, ଅଧିକ ପ୍ରଭାବୀ ହେବ। ଭିିଜିଲାନ୍ସ ନିର୍ଦେଶକଙ୍କ ନେତୃତ୍ବରେ ଲୋକାୟୁକ୍ତ ଏକ ସ୍ବତନ୍ତ୍ର ଵିଙ୍ଗ୍ ଗଠନ କରି ଅଭିଯୋଗର ପ୍ରାଥମିକ ତଦନ୍ତ କରିପାରିବେ ଓ ଲୋକାୟୁକ୍ତଙ୍କ ସୁପାରିସ କ୍ରମେ ପରବର୍ତ୍ତୀ ତଦନ୍ତ ବି କରାଯାଇପାରିବ। ରାଜ୍ୟ ସରକାର ଭିଜିଲାନ୍ସ ଅଧୀନରେ ଥିବା ସମସ୍ତ କର୍ମଚାରଙ୍କୁ ଲୋକାୟୁକ୍ତଙ୍କୁ ଦେଇଦେବା ଦରକାର। ଏହାଦ୍ବାରା ତଦନ୍ତକାରୀ ଅଧିକାରୀମାନେ ଲୋକାୟୁକ୍ତଙ୍କ ତତ୍ତ୍ବାବଧାନରେ ଦୁର୍ନୀତିର ମୂଳ ପର୍ଯ୍ୟନ୍ତ ଯାଇ ଅନୁସନ୍ଧାନ କରିପାରିବେ।
ବିଜେପି ବିଧାୟକ ଲୋକାୟୁକ୍ତ ଆଇନର ଧାରା ୧୨ ଅନ୍ତର୍ଗତ ଉପଧାରା ୧ରେ ବି ସଂଶୋଧନ ପାଇଁ ବିଲ୍ ଆଣିଛନ୍ତି। ଏଥିରେ କହିଛନ୍ତି ଯେ ଲୋକାୟୁକ୍ତ ଗୋଟିଏ ସ୍ବାଧୀନ ଅଭିଯୋଗ ଶାଖା ଖୋଲିବା ଦରକାର। ଏଥିରେ ଡାଇରେକ୍ଟର ଅଫ୍ ପବ୍ଲିକ୍ ପ୍ରସ୍ୟୁକ୍ୟୁସନ ପାହ୍ୟାର ଅଧିକାରୀ ଦାୟିତ୍ବରେ ରହିବା ଉଚିତ୍, ଯିଏ କି ଲୋକାୟୁକ୍ତଙ୍କ ନିକଟକୁ ଆସୁଥିବା ସରକାରୀ କର୍ମଚାରୀଙ୍କ କାରନାମା ସଂପର୍କିତ ଅଭିଯୋଗର ଅନୁଧ୍ୟାନ ସହ ତାହାର ସକ୍ରିୟ ଅନୁସରଣ ଜାରି ରଖିିବେ। ରାଜ୍ୟ ସରକାର ଏଥିପାଇଁ ଆବଶ୍ୟକ କର୍ମଚାରୀ ଯୋଗାଇବା ପାଇଁ ମଧ୍ୟ ଏଥିରେ କୁହାଯାଇଛି।

ଓଡ଼ିଶା ଲୋକାୟୁକ୍ତ ଆଇନର ଧାରା ୧୪ ଅନ୍ତର୍ଗତ ଉପଧାରା ୧ରେ ସଂଶୋଧନ ଆଣିବା ଲାଗି ମଧ୍ୟ ପ୍ରସ୍ତାବ ରହିଛି। ଏଥିରେ ଆଉ ଦୁଇଟି କଥା ଯୋଗ କରିବା ଲାଗି କୁହାଯାଇଛି। ଅର୍ଥାତ୍ ଜିଲ୍ଲା ପରିଷଦ ସଭାପତିଙ୍କ ଠାରୁ ଆରମ୍ଭ କରି ସରପଞ୍ଚ, ନାଏବ ସରପଞ୍ଚ, ପୌରାଧ୍ୟକ୍ଷଙ୍କୁ ଲୋକାୟୁକ୍ତଙ୍କ ପରିସରକୁ ଆଣିବା ଲାଗି କୁହାଯାଇଛି। କେବଳ ସେତିକି ନୁହେଁ, ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ଚୁକ୍ତିଭିତ୍ତିକ କର୍ମଚାରୀମାନେ ମଧ୍ୟ ଲୋକାୟୁକ୍ତଙ୍କ ଆଇନ ପରିସରକୁ ଆସିବା ଉଚିତ୍ ବୋଲି ପ୍ରସ୍ତାବ ଦିଆଯାଇଛି। ସେହିଭଳି କେନ୍ଦ୍ର ସରକାରଙ୍କ କର୍ମଚାରୀ ଯଦି ରାଜ୍ୟକୁ ଡେପୁଟେସନରେ ଆସିଥାନ୍ତି, ତେବେ ତାଙ୍କ ଏହି କାର୍ଯ୍ୟ ଅବଧିକୁ ମଧ୍ୟ ଲୋକାୟୁକ୍ତ ଅଧୀନକୁ ଅଣାଯିବା ସଂପର୍କରେ ଏଥିରେ ଗୁରୁତ୍ବାରୋପ କରାଯାଇଛି। ଏହାବ୍ୟତୀତ କୌଣସି ସୋସାଇଟି, ଏନଜିଓ, ବିଶ୍ବବିଦ୍ୟାଳୟ କୁଳପତି, ମନରେଗା ଅମ୍ବୁଡସମ୍ୟାନ, ଗ୍ରାମ ରୋଜଗାର ସେବକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ସରକାରୀ ବ୍ୟବସ୍ଥାରେ କାମ କରୁଥିବା ଅନ୍ୟ ଯେ କୌଣସି ବେସରକାରୀ ବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ବି ଲୋକାୟୁକ୍ତଙ୍କ ଅଧୀନକୁ ଆଣିବାକୁ ଆଇନରେ ପରିବର୍ତ୍ତନ ଲାଗି ବିଧାୟକ ନିବେଦନ କରିଛନ୍ତି।
ଓଡ଼ିଶା ଲୋକାୟୁକ୍ତ ଆଇନ ଅଧୀନସ୍ଥ ଧାରା ୨୦ରେ ସଂଶୋଧନ ଲାଗି ବିଧାୟକ ଚାହିଁଛନ୍ତି। ଏଥିରେ କୁହାଯାଇଛି ଯେ ହାଇକୋର୍ଟଙ୍କ ଭଳି ଅଦାଲତ ଅବମାନନା କ୍ଷମତା ଲୋକାୟୁକ୍ତଙ୍କ ପାଖରେ ରହିବା ଦରକାର। ତେବେ ଯାଇ ଲୋକାୟୁକ୍ତଙ୍କ ନିର୍ଦେଶକୁ ଅମାନ୍ୟ କରିବାର ସାମର୍ଥ୍ୟ ଅଧିକାରୀମାନଙ୍କର ରହିବ ନାହିଁ। କୌଣସି ଜନସ୍ବାର୍ଥ ସମ୍ବଳିତ ଅଭିଯୋଗକୁ ଶୁଣିବା କ୍ଷମତା ଆୟୁକ୍ତଙ୍କର ରହିବା ଦରକାର ଏବଂ ଗଣମାଧ୍ୟମ ରିପୋର୍ଟ ଉପରେ ଲୋକାୟୁକ୍ତ ଆପେ ମାମଲା କିଭଳି ରୁଜୁ କରିପାରିବେ ସେ ନେଇ ତାଙ୍କୁ କ୍ଷମତା ମିଳିବା ଉଚିତ୍।

ଏଠାରେ ଉଲ୍ଲେଖଥାଉକି, ୨୦୧୯ ମସିହାରେ ଓଡ଼ିଶାର ଲୋକାୟୁକ୍ତ ତାଙ୍କ ବାର୍ଷିକ ରିପୋର୍ଟରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ। ଲୋକାୟୁକ୍ତ କହିଥିଲେ ଯେ ଓଡ଼ିଶା ଲୋକାୟୁକ୍ତଙ୍କର ନିଜସ୍ୱ ଅନୁସନ୍ଧାନ ସଂସ୍ଥା ନାହିଁ। ଏଣୁ ଯେ କୌଣସି ପ୍ରସଙ୍ଗରେ ଅନୁସନ୍ଧାନ ଲାଗି ତାଙ୍କୁ ଅନ୍ୟ ସଂସ୍ଥା ଉପରେ ନିର୍ଭର କରିବାକୁ ପଡ଼ିବ। ଏହାଦ୍ବାରା ଅନୁସନ୍ଧାନ ନିରପେକ୍ଷ ନ ହୋଇପାରେ ବା ବିଳମ୍ବ ହେବାର ଆଶଙ୍କା ରହିଛି। ଦୁର୍ନୀତିକୁ ରୋକିବା କ୍ଷେତ୍ରରେ ଓଡ଼ିଶା ଲୋକାୟୁକ୍ତ ଅଧିକ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିବେ ଯଦି ଓଡ଼ିଶା ଲୋକାୟୁକ୍ତଙ୍କ ଅଧୀନରେ ଭିଜିଲାନ୍ସ ରହିବ। ଏହାଦ୍ବାରା ମାମଲାର ତଦନ୍ତ କ୍ଷୀପ୍ର ବା ଗତିଶୀଳ ହେବ ଏବଂ ବିଶ୍ବସନୀୟ ବି।

ଲୋକାୟୁକ୍ତଙ୍କ ଏଭଳି ରିପୋର୍ଟ ଉପରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଏପରିକି ସକାରାତ୍ମକ କି ନକାରାତ୍ମକ ଟିପ୍ପଣୀ ବି ରଖାଯାଇନାହିଁ। ଅନ୍ୟପଟରେ ନିଜେ ଲୋକାୟୁକ୍ତ ତାଙ୍କ ପରବର୍ତ୍ତୀ ରିପୋର୍ଟରେ ଏହା ଉପରେ ଆଉ ମତ ରଖିନାହାନ୍ତି କି ତାଙ୍କର ଏହି ଦାବି ଦୋହରାଇନାହାନ୍ତି। ଏହାଭିତରେ ଏବେ ବିଧାନସଭାରେ ବିଜେପି ବିଧାୟକଙ୍କ ପ୍ରସ୍ତାବିତ ଏହି ବେସରକାରୀ ବିଲ୍ ମଧ୍ୟ ପାରିତ ହେବାର ସମ୍ଭାବନା ପୂରା କ୍ଷୀଣ। କାରଣ ଏହି ବେସରକାରୀ ବିଲକୁ ଆବଶ୍ୟକ ସମର୍ଥନ ମିଳିବ ନାହିଁ କି ବିରୋଧୀଙ୍କ ପାଖରେ ଏତେ ସଭ୍ୟ ସଂଗ୍ରହ ନାହାନ୍ତି। କିନ୍ତୁ ଏହି େବସରକାରୀ ବିଲ୍‌ଟି ଆଲୋଚନାକୁ ଆସିବା ସହିତ ସରକାରଙ୍କ ପାଇଁ ରାଜନୈତିକ ଦୃଷ୍ଟିକୋଣରୁ ଅଡ଼ୁଆ ପରିସ୍ଥିତି ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ସରକାରଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟକୁ ପ୍ରଶ୍ନ କରିବା ଲାଗି ବିରୋଧୀ ଦଳ ଅବଶ୍ୟ ଏକ ସୁଯୋଗ ପାଇବେ।

ସମ୍ବନ୍ଧିତ ଖବର