ଜୟପୁର: ଇତିହାସ ଗର୍ଭରେ ଲୀନ ହୋଇଗଲା ଜେଜେବାପାଙ୍କ ଅମଳରୁ ଚାଲି ଆସିଥିବା ଘୋଡାଗାଡିରେ ଡାକ ମୁଣା ପରିବହନ। ସମଗ୍ର ଭାରତରେ ଏକ ମାତ୍ର ଜୟପୁର ଆରଏମଏସ୍(ରେଲୱେ ମେସେଜିଂ ସର୍ଭିସ)ରେ ଘୋଡାଗାଡିରେ ଡାକ ମୁଣା ପରିବହନ କରାଯାଉଥିଲା। ସଡକ ଯୋଗାଯୋଗ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ହୋଇଥିଲେ ସୁଦ୍ଧା ଏହା ଦୀର୍ଘ ୬୦ବର୍ଷ ଧରି ଚାଲି ଆସୁଥିଲା। ରାଜନଅର ଆରଏମଏସ୍ କାର୍ଯ୍ୟାଳୟରୁ ସହର ମଧ୍ୟ ଦେଇ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ସବୁ ଦିନ ଦୁଇ ଓଳି ବିଶାଖାପାଟଣା, ବିଜୟନଗରମ, ଜଗଦଲପୁର ଆଦି ସ୍ଥାନକୁ ଯାଉଥିବା ବସଗୁଡିକରେ ଡାକ ଚିଠି ମୁଣା ଦିଆଯାଉଥିଲା। ସର୍ବଭାରତସ୍ତରରେ ଏକ ମାତ୍ର ଜୟପୁରରେ ହିଁ ଏହା ଚାଲି ଆସିଥିଲା। ଜୟପୁର ସହରର ଗଢ଼ିଆଧୋବା ସାହିର ସ୍ବର୍ଗତ ଲିଙ୍ଗାନାୟକ ଡାକ ଚିଠି ମୁଣା ପରିବହନର ଟେଣ୍ଡର ନେଇଥିଲେ। ବଂଶାନୁକ୍ରମିକ ଭାବେ ନୂଆ ପିଢ଼ି ବି ଏହାକୁ ଆଦରି ନେଇଥିଲେ। ଲିଙ୍ଗାଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ନୀଳ ଏବଂ ଏବେ ନୀଳଙ୍କ ଜୀବିତ ଅବସ୍ଥାରୁ ପୁଅ ପଦ୍ମନ ଏହି ଚିଠି ମୁଣା ପରିବହନକୁ ଜାରି ରଖିଥିଲେ। ଏପରିକି ଏହି ଘୋଡା ଗାଡିରେ ଡାକ ଚିଠି ମୁଣା ପରିବହନକୁ ନେଇ ଏକ ସ୍ବତନ୍ତ୍ର ଡକ୍ୟୁମେଣ୍ଟ୍ରି ବି ନିର୍ମାଣ ହୋଇଥିଲା।
/sambad/media/post_attachments/wp-content/uploads/2020/11/jpr-godha-gadhiee-1-4kotha-kaila-porey.jpg)
ଏହା ନ୍ୟାସନାଲ ଜିଓଗ୍ରାଫି ଚ୍ୟାନେଲରେ ବି ପ୍ରଦର୍ଶିତ ହୋଇଥିଲା। ଏହି ଡକ୍ୟୁମେଣ୍ଟ୍ରୀ ଅନ୍ତଃରାଷ୍ଟ୍ରୀୟସ୍ତରରେ ପୁରସ୍କୃତ ବି ହୋଇଥିଲା। ଗତ ୩ବର୍ଷ ହେବ ଆରଏମଏସ୍ କାର୍ଯ୍ୟାଳୟ ଜୟପୁର ରେଳଷ୍ଟେସନ, ଉମୁରୀକୁ ପଳାଇଯାଇଛି। ବର୍ତ୍ତମାନ ସେଠାକୁ ଆଟୋରେ ଡାକ ଚିଠି ମୁଣା ନେବାଆଣିବା କରୁଛନ୍ତି ପଦ୍ମନ। ଏହି ସ୍ଥିତିରେ ଘୋଡାଗାଡି ଅବ୍ୟବହୃତ ହୋଇ ଖତ ଖାଇବାକୁ ବସିଛି। ଯେଉଁ ଘୋଡାଗାଡିକୁ ସାଇତିକି ସଂଗ୍ରହଳାୟରେ ରଖାଯିବା କଥା ଆଉ ରଖାଯାଇ ପାରିନି। ପ୍ରଶାସନିକ ଅବହେଳା ହେଉ କିମ୍ବା ଏହାକୁ ପରିଚାଳନା କରୁଥିବା ପଦ୍ମନଙ୍କ ଘରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ସେ ଏହାକୁ ଯେଭଳି ସାଇତି ରଖିବା କଥା ରଖି ପାରି ନାହାନ୍ତି। ଘୋଡା ଗୋଟିଏ ସ୍ଥାନରେ ଗାଡି ଗୋଟିଏ ସ୍ଥାନରେ ସଂପ୍ରତି ରହିଛି। ଧିରେ ଧିରେ ଏହି ଘୋଡାଗାଡିଟି ଖତ ଖାଇବାକୁ ବସିଛି। ଜେଜେ ବାପା ଲିଙ୍ଗା ନାୟକ, ବାପା ନୀଳ ନାୟକଙ୍କର ପରଂପରାକୁ ବଂଚାଇ ଘୋଡାଗାଡିରେ ଚିଠି ମୁଣା ପରିବହନ କରିବା ବଦଳରେ ଏବେ ଅଟୋ ଲିଜରେ ନେଇ ପରିବହନ କରୁଛି ବୋଲି କହିଛନ୍ତି ପଦ୍ମନ ନାୟକ।
/sambad/media/post_attachments/wp-content/uploads/2020/11/jpr-godha-gadhiee-1-2kotha-kaila-porey.jpg)
ସ୍ବଳ୍ପ ଟଙ୍କା ଡାକ ବିଭାଗରେ ମିଳୁଥିଲେ ହେଁ ଏହାକୁ ଲିଜରେ ଆଣିଥିବା ଅଟୋର ଭଡା ଦେବା ପରେ ଯାହା କିଛି ବଳୁଛି ସେଥିରେ ଚଳିବା ମୁସ୍କିଲ। ତଥାପି ମହରଗ ଯୁଗରେ ଦୁଇ ଭାଇ, ମା, ଉଭୟଙ୍କ ସ୍ତ୍ରୀ, ପିଲା ଆଦି ୧୦ଜଣିଆ ପରିବାର ଓଳିଏ ଉପବାସ ରହିଲେ ଓଳିଏ ଖାଇ ବଂଚି ରହିଛୁ। ମନରେ ଇଛା ଥିଲେ ହେଁ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ଜେଜେ, ବାପାଙ୍କ ଘୋଡାଗାଡିକୁ ଆଉ ସାଇତି ରଖି ପାରିନି ବୋଲି କହିଛନ୍ତି ପଦ୍ମନ। ଏହାରି ମଧ୍ୟରେ ୫ଟିରୁ ୪ଟି ଘୋଡା ବି ମରିଗଲେଣି। ମାତ୍ର ଗୋଟିଏ ଘୋଡା ପୁରୁଣାଗଡ ଅଂଚଳରେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ମୋର ଅଭାବ ଓ ମୋ ଘୋଡା ଗାଡିର ଚିଠି ମୁଣା ପରିବହନକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହେଲା ସତ, ଲୋକେ ବି ବାହାବା ଦେଲେ , ଚଳଚ୍ଚିତ୍ର ନିର୍ମାଣ କରିଥିବା ବ୍ୟକ୍ତି ବି ଅନ୍ତଃରାଷ୍ଟ୍ରୀୟସ୍ତରରେ ସମ୍ମାନିତ ଓ ପୁରସ୍କୃତ ହେଲେ। ଏହା ପରେ ବି ଆମ ଅବସ୍ଥା ପୂର୍ବଭଳି ରହିଯାଇଛି। ନିଜ ଜୀବନରେ ପ୍ରାଣ ଥିବା ଯାଏଁ ଏହି ପରମ୍ପରାକୁ ବଂଚାଇ ରଖିବି ବୋଲି କହିଛନ୍ତି ପଦ୍ମନ। ଗତ ୩ବର୍ଷ ହେବ ଘୋଡା ଡାକଗାଡି ବନ୍ଦ ହେବା ପରେ ଲୋକଙ୍କ ସ୍ମୃତି ମାନସପଟରୁ ଏହାର ଚିତ୍ର ବି ହଜି ଗଲାଣି। ଅଗାମୀ ପିଢ଼ୀ ଫଟୋ ଚିତ୍ରରେ ଦେଖିବା ବଦଳରେ ଏଭଳି ଏକ ପଦ୍ଧତିରେ ଘୋଡା ଡାକଗାଡିରେ ଚିଠି ଡାକ ମୁଣା ପରିବହନ ହେଉଥିଲା ବୋଲି ଜାଣିବା ପାଇଁ ନିଶ୍ଚିତ ରୁପେ ପ୍ରଶାସନ ଏହି ଘୋଡାଗାଡିର ପୁନଃରୁଦ୍ଧାର କରି ଏହାକୁ ସଂଗ୍ରହଳାୟରେ ରଖି ପ୍ରଦର୍ଶିତ କରିବା କଥା ବୋଲି ବହୁ ଗବେଷକ, ବୁଦ୍ଧିଜୀବୀ ଓ ଆଇନଜୀବୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/jpr-godha-gadhiee-1-6-old-godha-.jpg)