ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ସବୁ ପକ୍ଷଙ୍କୁ ଚିଠି

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ୬୦ ବର୍ଷ ଧରି ଚାଲିଥିବା ଆନ୍ଦୋଳନ ଏବେ ଏକ ଭିନ୍ନ ମୋଡ଼ରେ ପହଞ୍ଚିଛି। ଆଗାମୀ ନିର୍ବାଚନ ପୂର୍ବରୁ ଏହି ଦାବି ହାସଲ କରି ନେବାକୁ ପଶ୍ଚିମ ଓଡ଼ିଶାର ଆଇନ୍‌ଜୀବୀ ନିର୍ଣ୍ଣାୟକ ଲଢ଼େଇ କରିବାକୁ ଯାଉଛନ୍ତି। ଶୁକ୍ରବାର ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଲେଖା ଯାଇଥିବା ୩ଟି ଚିଠିରୁ ଏହି ସଂକେତ ମିଳୁଛି। କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଚିଠି ଲେଖିବା ପରେ ଏହାକୁ ସକାରାତ୍ମକଭାବେ ଗ୍ରହଣ କରିଥିଲେ ବି ଏତିକିରେ ଅଟକି ନଯାଇ ରାଜ୍ୟ ସରକାର କେନ୍ଦ୍ର ସହ ଏହି ବିଷୟରେ ଟେବୁଲ ଉପରେ ଆଲୋଚନା କରନ୍ତୁ ବୋଲି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ମତ ଦେଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଆଇନ୍‌ ମନ୍ତ୍ରୀ ଏବଂ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ତିନିଟି ପୃଥକ ଚିଠି ଲେଖା ଯାଇଥିବା ଏହାର ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ ସୂଚନା ଦେଇଛନ୍ତି।

ସେହିପରି ହାଇକୋର୍ଟ ବେଞ୍ଚ ଦାବିରେ ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ଜାରି ରହିଛି। ଶୁକ୍ରବାର ସମସ୍ତ କୋର୍ଟ କଚେରି ଅଚଳ ରହିବା ସହ ତହସିଲ ଓ ରାଜସ୍ୱ କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ ରହିଥିଲା। ଏହି ଆନ୍ଦୋଳନ ଆଗକୁ ବି ଜାରି ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର