ସ୍ଥାବର ସମ୍ପତ୍ତିର ମୂଲ୍ୟ ବୃଦ୍ଧି ସଂଶୋଧନ ପ୍ରସ୍ତାବ ପାଇଁ ଚିଠି: ଜିଲ୍ଲାସ୍ତରୀୟ ମୂଲ୍ୟାୟନ କମିଟିକୁ ଦାୟିତ୍ୱ

କୋଭିଡ ପାଇଁ ସ୍ଥଗିତ ରଖିଥିଲେ ସରକାର

କଟକ : ପ୍ରତି ଦୁଇ ବର୍ଷ‌‌ରେ ଥରେ ରାଜ୍ୟର ସ୍ଥାବର ସମ୍ପତ୍ତିର ମୂଲ୍ୟ ବୃଦ୍ଧି ପାଇଁ ଜିଲ୍ଲା ସ୍ତରୀୟ ମୂଲ୍ୟାୟନ କମିଟି ଦେଉଥିବା ପ୍ରସ୍ତାବ କୋଭିଡ ମହାମାରୀ ପାଇଁ ଦୁଇ ବର୍ଷ ହେଲା ବନ୍ଦ ରହିଥିଲା। ସରକାର ଲୋକଙ୍କ ସୁବିଧା ପାଇଁ ଦୁଇଟି ପୃଥକ ନିର୍ଦ୍ଦେଶରେ ଏହି ପ୍ରସ୍ତାବକୁ ୨୦୨୨ ମାର୍ଚ ପର୍ଯ୍ୟନ୍ତ ( ୨୦୧୯-୨୦ ଦର ଅନୁସାରେ) ବଳବତ୍ତର ରଖିଛନ୍ତି। ତେବେ ଆସନ୍ତା ୨୦୨୨-୨୪ ବର୍ଷ ପାଇଁ ଜିଲ୍ଲାସ୍ତରୀୟ ମୂଲ୍ୟାୟନ କମିଟି ଓ ଉପଖଣ୍ଡସ୍ତରୀୟ କମିଟି ବଜାର ଦର ଅନୁସାରେ ସ୍ଥ‌ାବର ସମ୍ପତ୍ତିର ମୂଲ୍ୟ ବୃଦ୍ଧି ପ୍ରସ୍ତାବ ଦେବାକୁ ଆଇଜିଆର୍‌ ଜ୍ୟୋତିପ୍ରକାଶ ଦାସ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଭାଲୁଏସନ୍‌ ( ମୂଲ୍ୟାୟନ) କମିଟିକୁ ଚିଠି କରିଛନ୍ତି।

ଏ ନେଇ କମିଟି ଗଠନ ହୋଇଛି କି ନାହିଁ ତାର ବିବରଣୀ ଦେବାକୁ ମଧ୍ୟ କହିଛନ୍ତି। କୋଭିଡ ଯୋଗୁଁ ଗତ ଦୁଇ ବର୍ଷରେ ରାଜ୍ୟ ସରକାର ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ ଫି ବାବଦରେ ବହୁ ରାଜସ୍ବ କ୍ଷତି ସହିଛନ୍ତି। ତେବେ ଆସନ୍ତା ଦୁଇ ବର୍ଷ ପାଇଁ ତୁରନ୍ତ ବଜାର ଦର ଅନୁସ‌ାରେ ମୂଲ୍ୟ ନିର୍ଧାରଣ କରିବାକୁ ଚିଠି କରାଯାଇଛି। କମିଟି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପରିଦର୍ଶନ କରି ଏହି ପ୍ରସ୍ତାବ ଦେବାକୁ କୁହାଯାଇଛି। ସେହିଭଳି ସ୍ଥଳ ବିଶେଷରେ ଏହାର ସ୍ପେସାଲ୍‌ ରିଭିଜନ୍‌ (ସ୍ବତନ୍ତ୍ର ସଂଶୋଧନ) ପାଇଁ ସୁଯୋଗ ମଧ୍ୟ ରହିଛି।

ନିୟମ ଅନୁସାରେ ପ୍ରତି ଦୁଇ ବର୍ଷରେ ଥରେ ରାଜସ୍ବ ବୃଦ୍ଧି ପାଇଁ ସ୍ଥାବର ସମ୍ପତ୍ତିର ମୂଲ୍ୟ ବୃଦ୍ଧି କରାଯାଇଥାଏ। ସେହି ଅନୁସାରେ ଷ୍ଟାମ୍ପ୍‌ ଡ୍ୟୁଟି ଓ ରେଜି‌‌ଷ୍ଟ୍ରେସନ ଫି ମଧ୍ୟ ଧାର୍ଯ୍ୟ କରାଯାଇଥାଏ। ମାତ୍ର କୋଭିଡ ପାଇଁ ଗତ ୧.୪.୨୦୨୧‌ରୁ ଲାଗୁ ହେବାକୁ ଥିବା ମୂଲ୍ୟ ବୃଦ୍ଧି ପ୍ରସ୍ତ‌ାବକୁ ସ୍ଥଗିତ ରଖାଯାଇଥିଲା। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗତ ୨୦.୧୦. ୨୦୨୦‌ରେ ଏ ନେଇ ପ୍ରଥମେ ନିର୍ଦ୍ଦେଶ ଦିଆଯାଇଥିଲା। ଖୋର୍ଦ୍ଧା ଓ ବ‌ରଗଡ଼ ବ୍ୟତୀତ ଅନ୍ୟ ଜିଲ୍ଲାରେ ଏହାକୁ ୨୦୧୯-୨୦ ଆର୍ଥିକ ବର୍ଷର ଦର ଅନୁଯାୟୀ ଲାଗୁ କରିବାକୁ ଓ ୨୦୨୧ ଆର୍ଥିକ ବର୍ଷ ଅର୍ଥାତ ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହାକୁ ବଳବତ୍ତର ରଖିବାକୁ କୁହାଯାଇଥିଲା।

ମାତ୍ର କୋଭିଡର ଦ୍ବିତୀୟ ଲହର ‌ଯୋଗୁ ସରକାର ପୁନର୍ବାର ଗତ ୫.୫.୨୦୨୧ରେ ଏହାକୁ ୩୧ ମାର୍ଚ ୨୦୨୨ ପର୍ଯ୍ୟନ୍ତ ବଳବତ୍ତର ରଖିଥି‌ଲେ। ମାତ୍ର ଆସନ୍ତା ଦୁଇ ବର୍ଷ ଅର୍ଥାତ ୨୦୨୨-୨୪ ପାଇଁ ବଜାର ଦର ଅନୁସାରେ ସ୍ଥାବର ସମ୍ପତ୍ତିର ମୂଲ୍ୟବୃଦ୍ଧି ପାଇଁ ପ୍ରସ୍ତାବ ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର