ଭୁବନେଶ୍ବର: ଋଣ ଯୋଗାଇବା ଆଳରେ ବ୍ଲାକମେଲ୍ କରି ଲୋକଙ୍କୁ ଲୁଟୁଥିବା ଆର୍ବିଆଇ ଅନଧିକୃତ କିଛି ସଂସ୍ଥାର ମୋବାଇଲ୍ ଆପ୍ଲିକେସନ୍ଗୁଡ଼ିକୁ ପ୍ଲେ’ ଷ୍ଟୋର୍ରୁ ହଟାଇବା ପାଇଁ କ୍ରାଇମ୍ବ୍ରାଞ୍ଚ୍ ଇଓଡବ୍ଲୁ ଗୁଗୁଲ୍କୁ ଚିଠି ଲେଖିଛି। ପୂର୍ବରୁ କୋକୋ ଓ ଜୋଜୋ ନାମକ ୨ଟି ଆପ୍କୁ ପ୍ଲେ’ ଷ୍ଟୋର୍ରୁ ହଟାଇବା ସହ ଉକ୍ତ ସଂସ୍ଥା ବାବଦରେ ଇଓଡବ୍ଲୁ ଗୁଗୁଲ୍କୁ ତଥ୍ୟ ମାଗିଥିଲା। ଏହି ୨ଆପ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଏହିଭଳି ଆଉ ପ୍ରାୟ ୪୫ଟି ଆପ୍ ଅଧିକ ସୁଧ ଆଦାୟ କରିବାକୁ ଯାଇ ଲୋକଙ୍କୁ ମାନସିକ ନିର୍ଯାତନା ଦେଉଥିବା ଇଓଡବ୍ଲୁ ପାଖରେ ଅଭିଯୋଗ ହୋଇଥିଲା। ଏପରିକି ଋଣଗ୍ରହୀତାର ମୋବାଇଲ୍ରୁ ସମସ୍ତ ବ୍ୟକ୍ତିଗତ ତଥ୍ୟ, ଫୋନ୍ ନମ୍ବର ନେଇ ପରିବାର ଓ ସାଙ୍ଗଙ୍କୁ ଦେବାଳିଆ ଭଳି ଅପମାନିତ କରୁଥିବା କୁହାଯାଇଥିଲା। ଏନେଇ ଅନେକ ଆତ୍ମହତ୍ୟା ମଧ୍ୟ କରିଥିବା ଇଓଡବ୍ଲୁ ସୂଚନା ଦେଇଛି। ତେଣୁ ଗୁଗୁଲ୍ ନିଜସ୍ବ ଟିମ୍ ଦ୍ବାରା ଏହି ସନ୍ଦିଗ୍ଧ ଆପ୍ଗୁଡ଼ିକର ବିଶ୍ବସନୀୟତା ଯାଞ୍ଚ୍ କରି ପ୍ଲେ’ ଷ୍ଟୋର୍ରୁ ହଟାଇବା ପାଇଁ ଇଓଡବ୍ଲୁ ଚିଠି ଲେଖିଛି।
ଗୁରୁତ୍ବପୂର୍ଣ୍ଣ କଥା, ପ୍ଲେ’ ଷ୍ଟୋର୍ରେ ଉପଲବ୍ଧ ସମସ୍ତ ଋଣ ପ୍ରଦାନକାରୀ ଆପ୍ ଯେମିତି ଆର୍ବିଆଇ ଓ ଗୁଗୁଲ୍ର ନିୟମ ପରିଧିରେ ରହି କାମ କରିବେ ତାହା ଉପରେ ମଧ୍ୟ ପ୍ରାଧାନ୍ୟ ଦେବାକୁ ଇଓଡବ୍ଲୁ ଚିଠି କରିଛି। ଯେଉଁଥିରେ ଋଣପ୍ରଦାନକାରୀ ଆପ୍ଟି ଆର୍ବିଆଇ ସ୍ବୀକୃତିପ୍ରାପ୍ତ ବୋଲି ସ୍ପଷ୍ଟ ପଂଜୀକରଣ ପତ୍ର ରହିବ। ଏହା ସହ ଆର୍ବିଆଇ ନିୟମାବଳୀ, ଆପ୍ ତିଆରି କରିଥିବା ଲୋକ ଏବଂ ସେମାନଙ୍କ କାର୍ଯ୍ୟାଳୟର ଠିକଣା ଆଦି ବିସ୍ତୃତ ଭାବେ ରହିବ।
ଏହି ୪୫ ଆପ୍କୁ ବନ୍ଦ କରିବାକୁ ଗୁଗୁଲକୁ ଚିଠି
ବିଲୋନ୍ ଆପ୍, ଗୋ କ୍ୟାସ୍, ଗୋ ଗୋ ଲୋନ୍, ଆଇଏନଏସ୍ ଲୋନ୍, ଆସାନ୍ ଲୋନ୍, ଫାଷ୍ଟ କ୍ୟାସ୍/କ୍ୟାସ୍ ଫାଷ୍ଟ୍, ଫ୍ଲିପକ୍ୟାସ୍, ରୁପି ୱାଲେଟ୍, ରୁପି କିଙ୍ଗ୍, ଫାଷ୍ଟ୍ ରୁପି, ଇଜି କ୍ରେଡିଟ ଲୋନ୍, କ୍ୟାସ୍ କୋଲା, ଇନଫିନିଟି, ସନସାଇନ୍, ଆଗ୍ଲେ ଲୋନ୍, ଏଜିଏଲଓଏନଆର୍, କ୍ରେଡିଟ୍ ଵାଲେଟ୍, ଓବି କ୍ୟାସ୍ ଲୋନ୍, ଅନଷ୍ଟ୍ରିମ୍ ଆପ୍, ମନି ଟ୍ରି, ଡିସକଭର୍ ଲୋନ୍, କ୍ୟାସ୍ ପକେଟ୍, ହେଲୋ ରୁପି, ସ୍ମଲ୍ କ୍ରେଡିଟ୍, ମନି ହାଉସ୍/କ୍ରିଷ୍ଟାଲ ଲୋନ୍, ଫ୍ରେସ୍ ଲୋନ୍, କ୍ୟାସ୍ ରୁମ୍, ପେସିନ୍ ବି, ଲାଇଫ ଷ୍ଟ୍ରିମ୍ ଲୋନ୍, ଷ୍ଟାର୍ ଲୋନ୍, ୟେସ୍ ରୁପି, ଏସଲାଇଟ୍ ଲୋନ୍, ଏରିଏକୋ ଲୋନ୍, ଫାଷ୍ଟ କଏନ୍/କ୍ୟାସ୍ ଆଡଭାନ୍ସ୍, ଲକି ରୁପି/କ୍ବିକ୍ ଲୋନ୍/ବାଇକ୍ ଲୋନ୍/କ୍ୟାସ୍ ମାର୍କେଟ୍/ମନି ଲୋନ୍, ଫେୟାର୍ କ୍ରେଡିଟ୍ ଲୋନ୍, ଓକେ ରୁପି ଲୋନ୍, ହୋନ୍ ଲୋନ୍/ରୁପି ଟାଇଗର୍/ଗେଟା କ୍ୟାସ୍/ଲିଟିଲ୍ ବରୋ/ରିଚ୍ କ୍ୟାସ, ରୁପି ସ୍ପାର୍କ, ମୋର୍ କ୍ୟାସ୍/ଫିସ୍ ଲୋନ୍, ଫ୍ଲାସ୍ ରୁପି, ଧାନି ଲୋନ୍, ମ୍ୟାଜିକ ମନି ଲୋନ୍, ମନି ଭୋଲ୍ଟ, ଇନଷ୍ଟାଣ୍ଟ ଲୋନ୍/ଦତ୍ତା ଲୋନ୍/ବାଇକ୍ ଲୋନ୍/ମୋବାଇଲ୍ ଲୋନ।