ନୀଳଗିରି: ନିର୍ବାଚନ ତାରିଖ ଘୋଷଣାର ଠିକ୍‌ ଗୋଟିଏଦିନ ପରେ ନୀଳଗିରି ରାଣୀ ତଥା ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜା ମଞ୍ଜରୀ ଦେବୀ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ସମର୍ଥକ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି କରିଥିବା ବେଳେ ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଚିଠି ଲେଖି ନିଜ ଆଭିମୁଖ୍ୟ ସଂପର୍କରେ ଜଣାଇଛନ୍ତି ରାଣୀ ମନୋଜା ମଞ୍ଜରୀ। ନିର୍ବାଚନ ଯେତିକି ପାଖେଇ ଆସୁଥିଲା; ନୀଳଗିରି ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ତାଲିକା ଲମ୍ବି ଲମ୍ବି ଚାଲିଥିଲା। ନୀଳଗିରି ରାଣୀ ମନୋଜା ମଞ୍ଜରୀ ଦେବୀଙ୍କ ସହ ଯୁବନେତା ଆଶିଷ ପଟ୍ଟନାୟକ, ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ, ଚିତ୍ତରଞ୍ଜନ ଷଡ଼ଙ୍ଗୀ, ତପନ ରାଉତ ପ୍ରମୁଖ ଟିକେଟ୍‌ ଆଶାରେ ଥିଲେ। ସମସ୍ତେ ନିଜ ନିଜ କ୍ଷେତ୍ରରେ ଜନସମର୍ଥନ ଜୁଟାଉଥିବା ବେଳେ ରାଣୀ ମଧ୍ୟ ପଛରେ ନଥିଲେ। ଏମିତିକି କଂଗ୍ରେସର ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ସେ ଥିଲେ ପ୍ରଥମ ଦାବିଦାର।

Advertisment

ଗତ ଫେବ୍ରୁଆରି ୭ ତାରିଖରୁ ୧୪ ତାରିଖ ମଧ୍ୟରେ ରାଣୀଙ୍କ ସହ ପ୍ରାୟ ୨୦ ଜଣ ନୀଳଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହେବାକୁ ଇଚ୍ଛା କରି କଂଗ୍ରେସର ଦଳୀୟ ପୋର୍ଟାଲ୍‌ରେ ଅନ୍‌ଲାଇନ୍‌ ଆବେଦନ କରିଥିଲେ। ତେବେ ଗତକାଲି ନିର୍ବାଚନ କମିସନ୍ ତାରିଖ ଘୋଷଣା କରିଥିବା ବେଳେ ଆଜି ହଠାତ୍‌ ମନୋଜା ମଞ୍ଜରୀ ନିର୍ବାଚନ ଲଢ଼ିବା ନିଷ୍ପତ୍ତିରୁ ଓହରିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାସହିତ ସେ ତାଙ୍କର ଆବେଦନପତ୍ର ପ୍ରତ୍ୟାହାର କରି ନେଉଥିବା ଦର୍ଶାଇ ଏକ ଚିଠି ରାଜ୍ୟ ପିସିସି ସଭାପତିଙ୍କୁ ଲେଖିଛନ୍ତି। ତେବେ ଏମିତି କ’ଣ ହେଲା ଯେ ରାଣୀ ରାତାରାତି ନିର୍ବାଚନ ନଲଢ଼ିବା ଭଳି ଏକ ଅପ୍ରତ୍ୟାଶିତ ନିଷ୍ପତ୍ତି ନେଇଗଲେ, ତାହା ଏବେ ଦଳରେ ଚାପା ଗୁଞ୍ଜରଣ ସୃଷ୍ଟି କରିଛି।

ଏ ନେଇ ରାଣୀ ମନୋଜା ମଞ୍ଜରୀ ଦେବୀଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଥିଲେ, ମୋର ବ୍ୟକ୍ତିଗତ ଅସୁବିଧା ଅଛି। ସେଥିପାଇଁ ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ଯାହାକୁ ଟିକେଟ୍‌ ମିଳିବ, ତାଙ୍କୁ ସମର୍ଥନ ଦେବି। ନୀଳଗିରିବାସୀ ଓ ନାରୀମାନଙ୍କ ସମସ୍ୟାର ସମାଧାନ ପାଇଁ ଲଢ଼ୁଥିଲି ଓ ଆଗକୁ ମଧ୍ୟ ସଂଗ୍ରାମ ଜାରି ରଖିବି। ଉଲ୍ଲେଖଥାଉକି, ୨୦୧୯ ସାଧାରଣ ନିର୍ବାଚନରେ ରାଣୀ ମନୋଜା ମଞ୍ଜରୀ ନୀଳଗିରି ଆସନରୁ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢ଼ିଥିଲେ। ତାଙ୍କୁ ୧୨ ହଜାର ୪ ଶହ ୧୩ ଖଣ୍ଡ ଭୋଟ୍‌ ମିଳିଥିଲା। ସେ ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ପରେ ତୃତୀୟ ସ୍ଥାନରେ ରହିଥିଲେ।