ଭୁବନେଶ୍ୱର : ଓଡ଼ିଶାକୁ ଗତ କିଛିଦିନ ଭିତରେ ୩୮୦ଜଣ ବିଦେଶ ଫେରନ୍ତା ଆସିଛନ୍ତି। କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’ ଚିହ୍ନଟ ଦେଶ ସହିତ ଅନ୍ୟ ଦେଶମାନଙ୍କରୁ ଏସବୁ ଯାତ୍ରୀ ଓଡ଼ିଶାକୁ ଆସିଛନ୍ତି। ନିର୍ଦ୍ଦିଷ୍ଟଭାବେ କେଉଁ କେଉଁ ଜିଲ୍ଲାରେ କେତେ ସଂଖ୍ୟକ ଯାତ୍ରୀ ଫେରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ମାତ୍ର ପ୍ରାଥମିକ ଭାବେ ମିଳିଥିବା ବିଦେଶ ଫେରନ୍ତାଙ୍କ ତଥ୍ୟକୁ ଆଧାର କରି ସେମାନଙ୍କୁ ତୁରନ୍ତ ଠାବ କରିବା ଲାଗି ସବୁ ଜିଲ୍ଲାମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଜିଲ୍ଲା ଆରଆରଟି ଟିମ୍‌ ସେମାନଙ୍କ ଉପରେ ନଜର ରଖିବା ରାଜ୍ୟ ସର୍ଭେଲାନ୍‌ସ ୟୁନିଟ୍‌(ଏସ୍‌ଏସ୍‌ୟୁ)କୁ ଦୈନିକ ରିପୋର୍ଟ କରିବା ଲାଗି କୁହାଯାଇଛି।

Advertisment

ବିମାନ ବନ୍ଦରରେ ପହଞ୍ଚିବା ପରେ ଯେଉଁ ବିଦେଶ ଫେରନ୍ତାଙ୍କ ନମୁନା ପରୀକ୍ଷା ହୋଇନାହିଁ, ତାଙ୍କର ତୁରନ୍ତ ଆରଟି-ପିସିଆର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଉ। ଏହାସହ ଯେଉଁମାନଙ୍କୁ ଠାବ କରିବା ସମ୍ଭବ ହେବନାହିଁ ସେମାନଙ୍କୁ ‘ଅନଟ୍ରେସେବଲ’ ଉଲ୍ଲେଖ କରିବା ସହିତ ଏସ୍‌ଏସ୍‌ୟୁ ପଠାଇବେ। ଗୃହ ସଙ୍ଗରୋଧରେ ଥିବା ବ୍ୟକ୍ତିମାନଙ୍କୁ ଜିଲ୍ଲା/ବ୍ଲକ୍ ଆରଆରଟି ଟିମ୍ ନିୟମିତ ଯୋଗାଯୋଗ କରିବେ। ବିଜୁ ପଟ୍ଟନାୟକ ଓ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ନମୁନା ପରୀକ୍ଷାର ବ୍ୟବସ୍ଥା କରିବା ଲାଗି ବିଏମ୍‌ସି କମିସନର ଓ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ କୁହାଯାଇଛି।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର କହିଛନ୍ତି ଯେ ଯେଉଁମାନେ ଓମିକ୍ରନ୍ ରିସ୍କ ଦେଶରୁ ଫେରୁଛନ୍ତି ସେମାନଙ୍କ ପାଇଁ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ରହିଛି। ସବୁ ବିମାନ ବନ୍ଦରରେ ପରୀକ୍ଷା କରାଯାଉଛି। ଯଦି ରିପୋର୍ଟ ପଜିଟିଭ୍ ଆସେ ତାହାଲେ ତାଙ୍କୁ ତୁରନ୍ତ ପୃଥକବାସକୁ ପଠାଯିବ। ଯଦି ରିପୋର୍ଟ ନେଗେଟିଭ୍ ଆସେ ତାହାଲେ ଗୃହ ସଙ୍ଗରେଧ ପାଇଁ ଛଡ଼ାଯିବ। ସଙ୍ଗରୋଧରେ ରହିବାର ୭ଦିନ ପରେ ଅଷ୍ଟମ ଦିନ ତାଙ୍କର ପୁଣିଥରେ ପରୀକ୍ଷା କରାଯିବ। ଯେହେତୁ ବିଦେଶ ଫେରନ୍ତାମାନେ ବିମାନ ବନ୍ଦରରେ ପରୀକ୍ଷା କରି ଆସୁଛନ୍ତି, ତେଣୁ ସେମାନଙ୍କୁ ଟ୍ରେସ୍ କରାଯାଇ ଅଷ୍ଟମ ଦିନ ଆରଟି-ପିସିଆର ପରୀକ୍ଷା କରିବା ଲାଗି ପଦକ୍ଷେପ ନିଆଯାଉଛି। ଅଷ୍ଟମ ଦିନ ଯଦି ତାଙ୍କ ରିପୋର୍ଟ ପଜିଟିଭ୍ ଆସେ ତାହାଲେ ତାଙ୍କୁ ପୃଥକବାସରେ ରହିବାକୁ ହେବ। ନଚେତ୍ ଆଉ ୭ଦିନ ନିଜର ନିରୀକ୍ଷଣ କରିବାକୁ କୁହାଯାଇଛି। ଏହାକୁ ମିଶାଇ ମୋଟ ୧୪ଦିନ ତାଙ୍କୁ ସଙ୍ଗରୋଧରେ ରହିବାକୁ ହେବ। ଯେଉଁ ବିଦେଶ ଫେରନ୍ତାଙ୍କ ରିପୋର୍ଟ ପଜିଟିଭ୍ ଆସିବ ତାଙ୍କର ନମୁନା ଜିନ୍ ଅନୁଶୀଳନ ପାଇଁ ପଠାଯିବ।

ଇତିମଧ୍ୟରେ ଗତ ୨୪ଘଣ୍ଟାରେ ରାଜ୍ୟରେ ୨୫୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଧାରୁ ୯୯, ଢେଙ୍କାନାଳ ୩୪, କଟକ ୧୯, ଯାଜପୁର ୧୩, ମୟୂରଭଞ୍ଜ ୧୨ ଓ ଷ୍ଟେଟ୍‌ ପୁଲରୁ ୨୩ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୪୯ହଜାର ୫୯୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୨ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଫଳରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୪୧୫ରେ ପହଞ୍ଚିଛି। ଏହାସହ ୨୭୬ କରୋନା ରୋଗୀ ଆଜି ସୁସ୍ଥ ହୋଇଛନ୍ତି।