ସବୁ ଜିଲ୍ଲାପାଳମାନଙ୍କୁ ସ୍ବାସ୍ଥ୍ୟ ବିଭାଗର ଚିଠି: ନକଲି କୋଭିସିଲ୍‌ଡ ଟିକାକୁ ଜଗ

ଶିକ୍ଷକ/ଅଣଶିକ୍ଷକଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ ଅଭିଯାନ

ଭୁବନେଶ୍ବର: କିଛି ଘରୋଇ ହସ୍ପିଟାଲ ଘର ନିକଟରେ ଟିକାକରଣ କେନ୍ଦ୍ର ନାଁରେ ନକଲି କୋଭିସିଲ୍‌ଡ ଟିକା ଦେଉଥିବା ନଜରକୁ ଆସିଛି। ଗତ ମେ ଓ ଜୁନ୍ ମାସରେ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ଏଭଳି କ୍ୟାମ୍ପ ସଂପର୍କରେ ଜଣାପଡ଼ିଥିଲା। ନିକଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ‘ହୁ’ ପକ୍ଷରୁ ଦକ୍ଷିଣ ପୂର୍ବ ଏସିଆ ଓ ଆଫ୍ରିକା ଅଞ୍ଚଳରେ ଏଭଳି ନକଲି କୋଭିସିଲ୍‌ଡ କ୍ୟାମ୍ପ ଆୟୋଜିତ ହେଉଥିବା ଚିହ୍ନଟ କରାଯାଇଛି। ଏ ଦୃଷ୍ଟିରୁ କେନ୍ଦ୍ର ସରକାର ଏହା ଉପରେ କଡ଼ା ନଜର ରଖିବା ଲାଗି ରାଜ୍ୟମାନଙ୍କୁ ନିର୍ଦେଶ ଦେଇଛନ୍ତି। କୌଣସିଠାରେ ଏଭଳି ଘଟଣା ନଜରକୁ ଆସିଲେ ଏହାକୁ ଗୁରୁତ୍ବ ସହ ନେବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ଏହି ଭିତ୍ତିରେ ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ଏହା ଉପରେ ନଜର ରଖିବା ଲାଗି ଚିଠି କରାହୋଇଛି।

ସେହିପରି ସରକାରୀ ଓ ଘରୋଇ ସ୍କୁଲରେ କାର୍ଯ୍ୟରତ ଶିକ୍ଷକ ଓ ଅଣ ଶିକ୍ଷକଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ ଅଭିଯାନ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଆସନ୍ତା ଗୁରୁ ଦିବସ ପୂର୍ବରୁ ଶିକ୍ଷକମାନଙ୍କ ଟିକାକରଣ ସଂପୂର୍ଣ୍ଣ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ଜିଲ୍ଲାସ୍ତରରେ ବ୍ଲକ୍/ସହରାଞ୍ଚଳରେ ଶିକ୍ଷକ ଓ ଅଣ ଶିକ୍ଷକମାନଙ୍କ ଟିକାକରଣ ସ୍ଥିତି ସଂପର୍କିତ ତାଲିକା ପ୍ରସ୍ତୁତ କରାଯିବ। କେତେ ଜଣ ଟିକା ନେଇଛନ୍ତି ଓ କେତେଜଣ ଟିକା ଅପେକ୍ଷାରେ ରହିଛନ୍ତି; ସେମାନଙ୍କ ତାଲିକାକୁ ୟୁନିଫାଏଡ ଡିଷ୍ଟ୍ରିକ୍ଟ ଇନଫରମେସନ୍ ସିଷ୍ଟମ ଫର୍‌ ଏ‌ଜୁକେସନ୍ ବା ୟୁଡିଆଇଏସ୍‌ଇ ସହିତ ମିଶାଯିବ। ଯାହାଫଳରେ ଜିଲ୍ଲାସ୍ତରରେ ହିତାଧିକାରୀଙ୍କୁ ଟିକା ପ୍ରଦାନରେ ମାଇକ୍ରୋପ୍ଲାନିଂ ପ୍ରସ୍ତୁତ ହୋଇପାରିବ। ଜିଲ୍ଲା ଶିକ୍ଷା ଅଧିକାରୀ ଓ ସିଡିଏମ୍‌ଓ ମିଳିତ ଭାବେ ସ୍ବତନ୍ତ୍ର ଟିକାକରଣ ଅଭିଯାନର ମାଇକ୍ରୋପ୍ଲାନିଂ କରିବାକୁ ନିର୍ଦେଶ ଦିଆଯାଇଛି। ବ୍ଲକ୍/ସହରାଞ୍ଚଳରେ ସ୍ବତନ୍ତ୍ର ଟିକାକରଣ ଅଧିବେଶନ ଆୟୋଜନ କରିବା ଲାଗି ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ଆଜି ରାଜ୍ୟରେ ୧୧୯୫ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୨ଲକ୍ଷ ୬୩ହଜାର ୯୬୯ଜଣ ଟିକା ନେଇଥିଲେ। ୧୮-୪୪ ବର୍ଗର ୧,୨୭,୧୯୪ ପ୍ରଥମ ଓ ୩୯,୯୦୨ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଥିଲେ। ସେହିପରି ୪୫ବର୍ଷରୁ ଅଧିକ ୪୭,୨୫୩ଜଣ ପ୍ରଥମ ଓ ୪୭,୦୮୪ଜଣଙ୍କୁ ଦ୍ବିତୀୟ ଡୋଜ୍ ଦିଆଯାଇଛି। ଏହାସହ ୨୯୧୪ଜଣ ଗର୍ଭବତୀ ମଧ୍ୟ ଟିକା ନେଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୨କୋଟି ୧୪ଲକ୍ଷ ୪୫ହଜାର ୨୪୯ ଡୋଜ୍ ଟିକା ଦିଆଗଲାଣି। ଆସନ୍ତାକାଲି ରାଜ୍ୟରେ ୧୩୨୫ ଟିକାକରଣ ଅଧିବେଶନ ଆୟୋଜିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର