ଭୁବନେଶ୍ବର: ଟିକା ସଙ୍କଟ ଏବେ ସାଂଘାତିକ ହେଲାଣି। ରାଜ୍ୟର ଚାହିଦା ମୁତାବକ ଦେଶୀ କମ୍ପାନି ପର୍ଯ୍ୟାପ୍ତ ଟିକା ଯୋଗାଇ ପାରୁନାହାନ୍ତି। ଆଉ ବିଦେଶୀ କମ୍ପାନି ରାଜ୍ୟ ସରକାରଙ୍କୁ ଟିକା ବିକିବାକୁ ଅମଙ୍ଗ। ଏମିତି ଏକ ତ୍ରିଶଙ୍କୁ ସ୍ଥିତିରେ ରାଜ୍ୟର ଟିକାକରଣ ବାଧାପ୍ରାପ୍ତ ହେବାରେ ଲାଗିଛି। ଟିକା କିଣିବାକୁ ଡକାଯାଇଥିବା ଗ୍ଲୋବାଲ୍ ଟେଣ୍ଡର୍ରେ ସଫଳତା ମିଳିବାର ସମ୍ଭାବନା କମ୍ ଥିବା ଦେଖି ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ଯେ ବିଦେଶୀ ଟିକା ପ୍ରସ୍ତୁତକାରୀ କମ୍ପାନିଠାରୁ କେନ୍ଦ୍ର ସରକାର ଟିକା କିଣନ୍ତୁ। ଓଡ଼ିଶା ସରକାର ସେହି ଟିକା ବାବଦକୁ ଅର୍ଥ ଭରଣା କରିବେ।
କାରଣ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ସମସ୍ତ ନାଗରିକଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି। ଶ୍ରୀ ଦାସ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଟିକାକରଣ ଆରମ୍ଭରୁ ଓଡ଼ିଶା ବେଶ୍ ସକ୍ରିୟ ଭାବେ ଏହି କାର୍ଯ୍ୟ ଜାରି ରଖିଛି। ଆମେ ଯୋଜନାବଦ୍ଧ ଭାବେ ଟିକାକରଣ କାର୍ଯ୍ୟ କରୁଛୁ ଓ ଟିକା ନଷ୍ଟ ନ କରିବାକୁ ସବୁ ପ୍ରକାର ଉଦ୍ୟମ କରାଯାଉଛି। ଆମେ ୬୧ ଲକ୍ଷରୁ ଅଧିକ ଲୋକଙ୍କୁ ଅତି କମ୍ରେ ଗୋଟିଏ ଡୋଜ୍ ଦେଇସାରିଛୁ। ଟିକା ଯୋଗାଣ କମ୍ ଥିବାରୁ ଏବେ ଦିନକୁ ମାତ୍ର ୬୦ରୁ ୭୦ ହଜାର ଡୋଜ୍ ଟିକା ଦେଉଛୁ। କିନ୍ତୁ ଆମେ ଦିନକୁ ୩ ଲକ୍ଷ ଡୋଜ୍ରୁ ଅଧିକ ଟିକା ଦେବା ପାଇଁ ଭିତ୍ତିଭୂମି ମହଜୁଦ୍ ରଖିଛୁ। ୧୮ରୁ ୪୫ ବର୍ଷର ଲୋକମାନଙ୍କୁ ଟିକା ଦେବା ପାଇଁ ସିଧାସଳଖ ଟିକା କମ୍ପାନିରୁ ଟିକା କିଣିବାକୁ କେନ୍ଦ୍ର ସରକାର ଅନୁମତି ଦେଲା ପରେ ଆମେ ସେରମ୍ ଇନ୍ଷ୍ଟିଚ୍ୟୁଟ୍କୁ ୨ କୋଟି ୨୦ ଲକ୍ଷ କୋଭିସିଲ୍ଡ୍ ଡୋଜ୍ ଓ ଭାରତ ବାୟୋଟେକ୍କୁ ୧୦.୩୪ ଲକ୍ଷ କୋଭାକ୍ସିନ୍ ଡୋଜ୍ କିଣିବା ପାଇଁ ଅର୍ଡର୍ ଦେଇଛୁ। କିନ୍ତୁ ବର୍ତ୍ତମାନ ସୁଦ୍ଧା ମାତ୍ର ୫,୭୮,୪୮୦ ଡୋଜ୍ କୋଭିସିଲ୍ଡ୍ ଓ ୧,୬୫,୪୯୦ ଡୋଜ୍ କୋଭାକ୍ସିନ୍ ଯୋଗାଣ ହୋଇଛି। ରାଜ୍ୟରେ ଟିକାର ବହୁତ ଆବଶ୍ୟକତା ଥିଲା ବେଳେ ଯୋଗାଣ ଅତ୍ୟନ୍ତ ନୈରାଶ୍ୟଜନକ।
ଗ୍ଲୋବାଲ୍ ଟେଣ୍ଡର୍ ସମ୍ପର୍କରେ ସ୍ବାସ୍ଥ୍ୟ ମନ୍ତ୍ରୀ ଜଣାଇଛନ୍ତି ଯେ ସିଧାସଳଖ କିଣିବାରେ ସମସ୍ୟା ହେଉଥିବାରୁ ଓଡ଼ିଶା ଟିକା କିଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର୍ ଡାକିଥିଲା। କିନ୍ତୁ ଏହି ଟେଣ୍ଡର୍ ପ୍ରତି ଟିକା ଉତ୍ପାଦନକାରୀ ସଂସ୍ଥା ସେତେଟା ଆଗ୍ରହ ଦେଖାଉ ନ ଥିବା ପ୍ରି-ବିଡ୍ ସ୍ତରରେ ଦେଖିବାକୁ ମିଳିଥିଲା। ଏପରିକି ପ୍ରି-ବିଡ୍ ମିଟିଂରେ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ ଅଂଶଗ୍ରହଣ କରି ନ ଥିଲେ। ଏଥିରୁ ବୁଝାପଡ଼ିଲା ଯେ ବର୍ତ୍ତମାନର ଉତ୍ପାଦନ କ୍ଷମତାରେ ସେମାନେ ରାଜ୍ୟକୁ ଅଧିକ ମାତ୍ରାରେ ଟିକା ଯୋଗାଇବାକୁ ଅସମର୍ଥ। ଟିକା ଟେଣ୍ଡର୍ରେ ଅନ୍ୟ ରାଜ୍ୟମାନଙ୍କର ଅଭିଜ୍ଞତାକୁ ନଜରରେ ରଖି ଓଡ଼ିଶା ସରକାର ରାଜ୍ୟ କ୍ୟାବିନେଟ୍ର ଅନୁମତି ନେଇ ଗ୍ଲୋବାଲ୍ ଟେଣ୍ଡର୍ରେ କୋହଳ ସର୍ତ୍ତ ରଖିଥିଲେ। ଭଲ କମ୍ପାନିମାନଙ୍କୁ ଆକୃଷ୍ଟ କରିବା ପାଇଁ ଟେଣ୍ଡର୍ ଅବଧି ମଧ୍ୟ ବଢ଼ାଯାଇଥିଲା। ତେବେ ବିଭିନ୍ନ ଗଣମାଧ୍ୟମର ରିପୋର୍ଟ ମୁତାବକ ଟିକା ପାଇଁ ଟେଣ୍ଡର୍ ଡାକିଥିବା ଅନ୍ୟ ରାଜ୍ୟମାନେ ମଧ୍ୟ ବିଦେଶୀ ଟିକା ଉତ୍ପାଦନକାରୀ ସଂସ୍ଥାଠାରୁ କୌଣସି ସକରାତ୍ମକ ପ୍ରତିକ୍ରିୟା ପାଉ ନାହାନ୍ତି। ତେଣୁ ଫାଇଜର୍ ଓ ମଡର୍ଣ୍ଣା ପରି ବିଶ୍ବ ସ୍ତରର ଟିକା ଉତ୍ପାଦନକାରୀ ସଂସ୍ଥା କ୍ଷତିପୂରଣ ସମ୍ପର୍କିତ ପ୍ରସଙ୍ଗ ପରି ଅନ୍ୟ କିଛି ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ଦ୍ବିତୀୟରେ ସେମାନେ ଏକ ସଂଘୀୟ ରାଷ୍ଟ୍ରରେ ସିଧାସଳଖ କେନ୍ଦ୍ର ସରକାରଙ୍କ ସ୍ତରରେ ଚୁକ୍ତି କରିବାକୁ ଆଗ୍ରହୀ। ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ରାଜ୍ୟ ଅପେକ୍ଷା କେନ୍ଦ୍ର ସରକାର ଆନ୍ତର୍ଜାତିକ କମ୍ପାନିଠାରୁ ଟିକା କିଣିଲେ ତାହା ଶୀଘ୍ର ହେବା ସହ ସୁଲଭ ଦରରେ ମିଳିପାରିବ। ଆମ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮ରୁ ୪୫ ବର୍ଷ ବୟସର ସମସ୍ତ ନାଗରିକଙ୍କୁ ମାଗଣା ଟିକା ଦେବା ପାଇଁ ଘୋଷଣା କରିଛନ୍ତି। ତେଣୁ ରାଜ୍ୟ ସରକାର ଟିକା ଖର୍ଚ୍ଚ ବହନ କରିବେ। ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ଆମେ ଯୁଦ୍ଧକାଳୀନ ଭିତ୍ତିକରେ ଟିକାକରଣ ଶେଷ କରିବା ଗୁରୁତ୍ବପୂର୍ଣ୍ଣ। ଏହି ପରିପ୍ରେକ୍ଷୀରେ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ଅନୁରୋଧ କରିଛନ୍ତି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ସେ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାର ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକା ଦେବାକୁ ଆଗ୍ରହୀ ଅଛନ୍ତି। ଏଥିପାଇଁ ରାଜ୍ୟକୁ ସ୍ଥାନୀୟ ଆବଶ୍ୟକତାକୁ ଆଖି ଆଗରେ ରଖି ଟିକା ବିତରଣ ପାଇଁ ନିଷ୍ପତ୍ତି ନେବାକୁ ସୁଯୋଗ ଦିଆଯାଉ। ଅନେକ ପାହାଡ଼ିଆ ଅଞ୍ଚଳରେ ଇଣ୍ଟର୍ନେଟ୍ ସଂଯୋଗ ସମସ୍ୟା ରହିଛି। ତେଣୁ ସେହି ଜିଲ୍ଲାଗୁଡ଼ିକରେ ଅନ୍ଲାଇନ୍ ପଞ୍ଜୀକରଣ ସମ୍ଭବ ନୁହେଁ। ଏ ଦିଗରେ କେନ୍ଦ୍ର ସରକାର ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି।