ଆର୍‌ଏମ୍‌ସିକୁ ନଗର ଉନ୍ନୟନ ବିଭାଗର ଚିଠି: ଦୁର୍ଘଟଣାମୁକ୍ତ ହେବ ତ ସହରର ରାସ୍ତାଘାଟ ?

୧୦ ଜୁଲାଇ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ରାଉରକେଲା: ସହରର ରାସ୍ତାଘାଟ ଓ ଡ୍ରେନ୍‌ ସମସ୍ୟାକୁ ନେଇ ପ୍ରତିବର୍ଷ ଅପବାଦ ମୁଣ୍ଡାଉଛନ୍ତି  ରାଜ୍ୟ ନଗର ଉନ୍ନୟନ ବିଭାଗ । ବାରମ୍ବାର ଦାଗିଦ ସତ୍ବେ  ସମସ୍ୟାର ସ୍ଥାୟୀ ସମାଧାନ ହେଉନି। ଯାହାକୁ ନେଇ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗତକାଲି ସହରର ରାସ୍ତାଘାଟକୁ ଦୁର୍ଘଟଣାମୁକ୍ତ କରିବାକୁ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାଥିନନ୍‌ ରାଜ୍ୟରେ ସମସ୍ତ ମହାନଗର ନିଗମ, ପୌରପାଳିକା ଓ ଏନ୍‌ଏନସିକୁ ଚିଠି ଲେଖିଛନ୍ତି। ବର୍ଷା ପୂର୍ବରୁ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ରାସ୍ତାଘାଟକୁ ଯୁଦ୍ଧକାଳୀନ ଭିତ୍ତିରେ ଠିକ୍‌ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କେବଳ ଏତିକି ନୁହେଁ ଜୁଲାଇ ୧୦ ତାରିଖ ସୁଦ୍ଧା ରାସ୍ତାଘାଟ ଓ‌ ଡ୍ରେନ୍‌ଗୁଡ଼ିକ ସ୍ଥିତି ସଂକ୍ରାନ୍ତରେ ବିସ୍ତୃ୍ତ ରିପୋର୍ଟ ଦେବାକୁ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)କୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଉରକେଲା ସହରର ରାସ୍ତାଘାଟ ଓ ଖୋଲାମେଲା ଡ୍ରେନ୍‌ ସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ।   ସହରର ଗଳିକନ୍ଦିରୁ ଆରମ୍ଭ କରି ପ୍ରମୁଖ ରାସ୍ତା ଅବସ୍ଥା ସମ୍ପୂର୍ଣ୍ଣ ବେହାଲ। ବର୍ଷ ବର୍ଷ ଧରି କାମ ଚାଲୁଛି, କିନ୍ତୁ ସରୁନି। କେବେ ସରିବ, କାହା ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। ଯେମିତି କାମ ଚାଲିଛି ଆସନ୍ତା ଜୁଲାଇ ୧୪ ସୁଦ୍ଧା ସରିବା ଅନିଶ୍ଚିତ। ଏଥିରୁ  ନଗର ଉନ୍ନୟନ ବିଭାଗର ସଚିବଙ୍କ ନିର୍ଦ୍ଦେଶକୁ ଆର୍‌ଏମ୍‌ସି କର୍ତ୍ତୃପକ୍ଷ ଅବା ଅନ୍ୟାନ୍ୟ ବିଭାଗ କେତେ ଗୁରୁତ୍ବ ଦେଉଛନ୍ତି, ସହର ଡ୍ରେନ୍ ଓ ରାସ୍ତାକୁ ଦେଖିଲେ ବାରି ହୋଇପଡୁଛି। ସେ ସ୍ବରେଜ ବୋର୍ଡ ଓ ଅବା ସ୍ମାର୍ଟସିଟି ରାସ୍ତା ସମ୍ପ୍ରସାରଣ କାମ ସବୁଠି ଅଧପନ୍ତରିଆ କରି ଛାଡି ଦିଆଯାଉଛି।

କାମ ନେଇଥିବା ଠିକା ସଂସ୍ଥାମାନେ ମନଇଚ୍ଛା କାମ କରୁଛନ୍ତି। ବିଭାଗୀୟ ଅଧିକାରୀଙ୍କ ଦାଗିଦ୍କୁ ବି ଫୁଃ କରି ଦେଉଛନ୍ତି। ଠିକାସଂସ୍ଥାର ଏଭଳି ମନମୁଖୀ କାର୍ଯ୍ୟ ଓ ପ୍ରଶାସନର ନୀରବତା ପ୍ରତିବାଦରେ ଉଭୟ କଂଗ୍ରେସ, ବିଜେପି ଅନେକ ବାର ପ୍ରଶ୍ନ ଉଠାଇଛନ୍ତି। ଅତିରିକ୍ତ ଜିଲ୍ଲାପାଳ, ସ୍ମାର୍ଟ ସିଟି ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଧାରଣା ମଧ୍ୟ ଦେଇଛନ୍ତି। କିନ୍ତୁ ଏହାର କୌଣସି ପ୍ରଭାବ ଏମାନଙ୍କ ଉପରେ ପଡୁନି। ଉଦିତନଗର କଚେରୀ ରୋଡରୁ ବିର୍ସା ମୁଣ୍ଡା ଛକ ପର୍ଯ୍ୟନ୍ତ ପ୍ରାୟ ସାଢ଼େ ୩ କି.ମି. ରାସ୍ତା ଅବସ୍ଥା ନ କହିବା ଭଲ। ପଥଚାରୀ, ମୋଟରବାଇକ୍ ଚାଳକ, ଶହ ଶହ ଦୋକାନୀମାନେ ମଧ୍ୟ ସମାନ ଦଶା ଭୋଗୁଛନ୍ତି। ଜନଗହଳିପୂର୍ଣ୍ଣ ରାସ୍ତା ମରାମତି କାମ ରାତିରେ କରିବା ପରିବର୍ତ୍ତେ ଦିନରେ କରାଯାଉଛି। ଠିକାସଂସ୍ଥା ମନଇଚ୍ଛା ଗୋଟିଏ ପାର୍ଶ୍ବ ରାସ୍ତାକୁ ବନ୍ଦ କାମ କରୁଛନ୍ତି।

ଫଳରେ ଅନେକ ସମୟରେ ଘଣ୍ଟା ଘଣ୍ଟା ଟ୍ରାଫିକ୍ ସମସ୍ୟା ଉପୁଜିଛି। ଠିକ୍ ଭାବେ ପାଣି ସିଞ୍ଚନ କରାଯାଉ ନଥିବାରୁ ଧୂଳିଧୂଆଁରେ ନୟାନ୍ତ ହେଉଛନ୍ତି ଶହ ଶହ ବ୍ୟବସାୟୀ। ପଥଚାରୀ ଯେତିକି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି, ତା’ଠାରୁ ଢ଼େର ସମସ୍ୟା ଭୋଗୁଛନ୍ତି ଦୋକାନୀ। ବର୍ଷା ହେଲେ ରାସ୍ତା କାଦୁଅ ପଚପଚ୍‌। ବର୍ଷ ବର୍ଷ ଧରି ଏଭଳି ସ୍ଥିତି ଜାରି ରହିଥିଲେ ହେଁ, ଜିଲ୍ଲା ପ୍ରଶାସନ ପକ୍ଷରୁ ସେତିକି ତତ୍ପରତା ପ୍ରକାଶ ପାଉ ନାହିଁ ବୋଲି ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୨୦୧୭ରେ ସହର‌ରେ ପ୍ରାୟ ୩୪୦ କୋଟି ଟଙ୍କା ବ୍ୟୟରେ ସ୍ବରେଜ ବ୍ୟବସ୍ଥା କାମ ଆରମ୍ଭ ହୋଇଥିଲା। ପ୍ରକଳ୍ପକୁ ଇତି ମଧ୍ୟରେ ୫ ବର୍ଷ ବିତିଗଲାଣି। ଏବେ ଆହୁରି ୩୦%ରୁ ଅଧିକ କାମ ବାକି ପଡିଛି।

ଘରକୁ ସ୍ବରେଜ ସଂଯୋଗ ୫୦% କାମ ସରିନି। ଠିକା ସଂସ୍ଥା ପକ୍ଷରୁ ବାସନ୍ତୀ କଲୋନି, ସିଭିଲଟାଉନସିପ୍‌, ଛେଣ୍ଡ କଲୋନି, କଳିଙ୍ଗ ବିହାର ଆଦି ପ୍ରମୁଖ କଲୋନିରେ ରାସ୍ତାଘାଟ ସମ୍ପୂର୍ଣ୍ଣ ଅନୁପଯୋଗୀ ହୋଇପଡିଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଆଦୌ ଧ୍ୟାନ ଦେଉନାହାନ୍ତି। କୁହାଯାଉଛି ସମସ୍ତ କାମ ଆସନ୍ତା ୨୦୧୩ ପୁରୁଷ ହକି ବିଶ୍ବକପ୍ ପୂର୍ବରୁ ସରିବ। କିନ୍ତୁ ଯେମିତି କାମ ଚାଲିଛି, ହକି ବିଶ୍ବକପ୍‌ ପୂର୍ବରୁ କେବଳ ସହରର ପ୍ରମୁଖ ରାସ୍ତା ଚକାଚକ୍ ହେବ। କଳିକନ୍ଦି ରାସ୍ତା ସେମିତି ସ୍ଥିତି ରହିଯିବ, ଏଥିରେ ଦ୍ବିମତ ନାହିଁ।

ସମ୍ବନ୍ଧିତ ଖବର