ଅସୁସ୍ଥତା ଆଳରେ ବିଶୃଙ୍ଖଳିତ ପୁଲିସ!

ଅନୁପସ୍ଥିତ ରହିବାର କାରଣ ଚିଠି ଲେଖି ଜଣାଅ, ନଚେତ୍ ଦଣ୍ଡ; ଦରଖାସ୍ତରେ ଡାକ୍ତର, ହସ୍‌ପିଟାଲ ନାଁ ବାଧ୍ୟତାମୂଳକ

କଟକ : ପୁଲିସ ବିଭାଗରେ କାମ କରୁଥିବା ପୁଲିସ ଅଧିକାରୀ ଓ କର୍ମଚାରୀ ସ୍ବାସ୍ଥ୍ୟଗତ କିମ୍ବା ବ୍ୟକ୍ତିଗତ କାରଣ ଦର୍ଶାଇ କର୍ମକ୍ଷେତ୍ରରେ ଅନୁପସ୍ଥିତ ରହୁଛନ୍ତି। କିନ୍ତୁ ଉପରିସ୍ଥ ଅଧିକାରୀଙ୍କୁ ଉପଯୁକ୍ତ ଢଙ୍ଗରେ ଅବଗତ କରା ନଯିବା ଭଳି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଛନ୍ତି। ଏହାକୁ ରୋକିବା ପାଇଁ କଡ଼ା ଚିଠି ଲେଖିଛି ପୁଲିସ ବିଭାଗ। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଯେଉଁଦିନ ପୁଲିସ ବାବୁ ଛୁଟିରେ ରହୁଛନ୍ତି ସେହିଦିନ ହିଁ ଇ-ମେଲ୍ କିମ୍ବା ରେଜିଷ୍ଟ୍ରି ପୋଷ୍ଟରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବେ। ଯେଉଁ ହସପିଟାଲ୍ ଓ ଡାକ୍ତରଙ୍କ ଦ୍ବାରା ଚିକିତ୍ସିତ ହେଉଛନ୍ତି, ସେ ସମ୍ପର୍କରେ ବି ଚିଠିରେ ଦର୍ଶାଇବାକୁ କଡ଼ା ତାଗିଦ୍‌ କରାଯାଇଛି। ଯେଉଁମାନେ ଏ ପ୍ରକାର ନିୟମ ଖିଲାପ କରିବେ, ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବି ଚେତାବନୀ ଦେଇଛି ପୁଲିସ ବିଭାଗ।

ଚିଠିରେ ଉଲ୍ଲେଖ କରାଯାଇଛି , ପୁଲିସ ବିଭାଗରେ କାର୍ଯ୍ୟ କରୁଥିବା ସିପାହି ପାହ୍ୟାରୁ ଡିଏସପି/ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପାହ୍ୟା ପର୍ଯ୍ୟନ୍ତ ଯେଉଁ ଅଧିକାରୀ ଓ କର୍ମଚାରୀ ସ୍ବାସ୍ଥ୍ୟଗତ କାରଣ କିମ୍ବା ଅନ୍ୟକୌଣସି କାରଣ ପାଇଁ କର୍ମକ୍ଷେତ୍ରରେ ଅନୁପସ୍ଥିତ ରହୁଛନ୍ତି, ସେମାନେ ନିଜର ଉପରିସ୍ଥ ଅଧିକାରୀଙ୍କୁ ଏ ସମ୍ପର୍କରେ ତୁରନ୍ତ ଅବଗତ କରିବା ଆବଶ୍ୟକ। ଯେତେବେଳେ କୌଣସି ପୁଲିସ ଅଧିକାରୀ କିମ୍ବା କର୍ମଚାରୀ ବାରାକ୍‌ କିମ୍ବା ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ରେ ଥିବା ଅବସ୍ଥାରେ ଅସୁସ୍ଥ ରହୁଛନ୍ତି, ସେମାନେ ପୁଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ହସପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ ଅସୁସ୍ଥା ସମ୍ପର୍କିତ ରିପୋର୍ଟ ଦେବାକୁ ଏକ ନିର୍ଦ୍ଧାରିତ ପ୍ରକ୍ରିୟା ରହିଛି। କିନ୍ତୁ ଯେଉଁ ପୁଲିସ କର୍ମଚାରୀ ଘରେ ଥିବା ଅବସ୍ଥାରେ ଅସୁସ୍ଥ ରହୁଛନ୍ତି, ସେମାନେ ଇ-ମେଲ୍ କିମ୍ବା ରେଜିଷ୍ଟ୍ରି ପୋଷ୍ଟ ମାଧ୍ୟମରେ ନିଜର ଅସୁସ୍ଥତା ସମ୍ପର୍କରେ ଅବଗତ କରିବା ଆବଶ୍ୟକ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି। ଯେଉଁଦିନ ଅସୁସ୍ଥ ରହୁଛନ୍ତି, ସେହିଦିନ ହିଁ ଚିଠି କିମ୍ବା ଇ-ମେଲ୍ କରିବା ବାଧ୍ୟତାମୂଳତ।

ସମ୍ପୃକ୍ତ ପୁଲିସ ଘରେ ରହି ଚିକିତ୍ସିତ ହେଉଛନ୍ତି ନାଁ ହସପିଟାଲରେ ଚିକିତ୍ସିତ ହେଉଛନ୍ତି, ସେ ନେଇ ଚିଠିରେ ଉଲ୍ଲେଖ କରିବେ। ଯଦି ଘରେ ରହି ଚିକିତ୍ସିତ ହେଉଛନ୍ତି ତେବେ ଉକ୍ତ ହସପିଟାଲ୍ ଓ ଡାକ୍ତରଙ୍କ ନାଁ ଉଲ୍ଲେଖ କରିବେ। ଯଦି ହସିପଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ତେବେ ହସପିଟାଲର ନାଁ ଉଲ୍ଲେଖ କରିବେ। କେଉଁ ରୋଗରେ ପୁଲିସ ଚିକିତ୍ସିତ ହେଉଛନ୍ତି, ସେ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିବେ। ଆନୁମାନିକ ଭାବେ କେତେ ଦିନ କର୍ମକ୍ଷେତ୍ରରେ ଅନୁପସ୍ଥିତ ରହିବେ, ସେ ସମ୍ପର୍କରେ ଦର୍ଶାଇବେ। ଛୁଟି ନେଉଥିବା ପୁଲିସ ଅଧିକାରୀଙ୍କ ଯୋଗାଯୋଗ ନମ୍ବର ଓ ଠିକଣା ବି ରହିବ। ଯଦି ପୁଲିସ ଅଧିକାରୀ ଘରେ ରହି ଚିକିତ୍ସିତ ହେଉଥାନ୍ତି ତେବେ ଛୁଟିରେ ରହିବାର ୧୦ ଦିନ ବିତିଲା ପରେ ପ୍ରତି ସାତ ଦିନ ଅନ୍ତରରେ ଜିଲ୍ଲା ପୁଲିସରେ କାମ କରୁଥିଲେ ଜିଲ୍ଲା ଏସ୍‌ପି, ବାଟାଲିୟନ୍‌ରେ କାମ କରୁଥିଲେ କମାଣ୍ଡାଣ୍ଟଙ୍କୁ ଏବଂ ଯଦି ଅନ୍ୟ କୌଣସି ପୁଲିସ ଏଷ୍ଟାବ୍ଲିସମେଣ୍ଟରେ କାମ କରୁଥିବେ ତେବେ ସମ୍ପୃକ୍ତ ଏସଷ୍ଟାବ୍ଲିସମେଣ୍ଟର ମୁଖ୍ୟଙ୍କୁ ଇ-ମେଲ୍ କିମ୍ବା ରେଜିଷ୍ଟ୍ରି ପୋଷ୍ଟ ମାଧ୍ୟମରେ ଏଭଳି ତଥ୍ୟ ଉଲ୍ଲେଖ କରିବେ।

ଯଦି ଏହି ନିୟମ କେହି ଅଧିକାରୀ ଖିଲାପ କରନ୍ତି, ତେବେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପୁଲିସ ବିଭାଗ ଜାରି କରିଥିବା ଏକ ସର୍କୁଲାର୍ କଡ଼ା ଶବ୍ଦରେ ଦର୍ଶାଇଛି। ପୁଲିସ ବିଭାଗର ଏ ପ୍ରକାର କଡ଼ା ଚିଠିକୁ ନେଇ ଅଧିକାରୀ ଓ କର୍ମଚାରୀଙ୍କ ଭିତରେ ଛନକା ପଶିଯାଇଛି।

ସମ୍ବନ୍ଧିତ ଖବର