କାମ ଦେଉନି ଚିଠି: ଯୁକ୍ତ୨ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ପୁଣି ଚିଠି

୧୬ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଯେତିକି ପାଖେଇ ଆସୁଛି ତାହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିନ୍ତା ସେତିକି ବଢ଼ୁଛି। ପ୍ରଥମ ଥର ପାଇଁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗାଇବାକୁ ବିଭାଗ ଯୋଜନା କରିଛି। ସେହି ଅନୁଯାୟୀ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁ ନାହିଁ। ପରୀକ୍ଷା କେନ୍ଦ୍ର ହେବାକୁ ଥିବା କଲେଜଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରାଯାଇ ନ ଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବାରମ୍ବାର ଧମକ, ନାଲିଆଖି ଦେଖାଯାଉଛି। ୪ ଥର ଚିଠି ଲେଖିବା ପରେ ବି କଲେଜ କର୍ତୃପକ୍ଷ ସକରାତ୍ମକ ମନୋଭାବ ପୋଷଣ କରୁ ନଥିବାରୁ ଗତ ୫ ତାରିଖରେ ୧୬୩୧ଟି ଜୁନିଅର କଲେଜ ସମେତ ୫୧ଟି ସରକାରୀ ଜୁନିଅର କଲେଜ ଓ ୧୯୩ଟି ସରକାରୀ ଅନୁଦାନପ୍ରାପ୍ତ ଜୁନିଅର କଲେଜ ଏହିପରି ମୋଟ ୧୮୭୫ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଥିଲା। ହେଲେ କୌଣସି ବି କଲେଜ ଚିଠିର ଉତ୍ତର ଦେଲେନି। ନିର୍ଦେଶାଳୟ ପକ୍ଷରୁ ଯେଉଁ ସରକାରୀ କାର୍ଯ୍ୟାନୁଷ୍ଠାନ କଥା କୁହାଯାଇଥିଲା ତାହାକୁ ବି ଖାତିର କଲେନି। ଯେଉଁଥିପାଇଁ ଗତକାଲି ପୁଣିଥରେ ଉଚ୍ଚ ମାଧ୍ୟମିକ ଶିକ୍ଷା‌ ନିର୍ଦେଶାଳୟର ନିର୍ଦେଶକ ସୁନ୍ଦରଲାଲ୍‌ ସିଲ୍‌ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ଚିଠି ପଠାଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ୨୦୧୮ ଅକ୍ଟୋବର ୩୧, ନଭେମ୍ବର ୯, ନଭେମ୍ବର ୨୭ ଓ ୨୦୧୯ ଜାନୁଆରି ୫ରେ ଚିଠି ଲେଖାଯାଇଥିଲା। ପରୀକ୍ଷା କେନ୍ଦ୍ର ଓ ପରୀକ୍ଷା ପରିଚାଳନା ହବ୍‌ରେ ସିସିଟିଭି ଲଗାଇବାକୁ କୁହାଯାଇଥିଲା। ସେହି ଅନୁଯାୟୀ ସିସିଟିଭି ସ୍ଥିତି ସମ୍ପର୍କରେ ଜାନୁଆରି ୧୬ ସୁଦ୍ଧା ରିପୋର୍ଟ ଦାଖଲ କର। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ସେପଟେ କଲେଜଗୁଡ଼ିକ ନିଜ ଜିଦିରେ ଅଟଳ ରହିଛନ୍ତି। ଭିତ୍ତିଭୂମି ନ ସଜାଡ଼ିବା ପର୍ଯ୍ୟନ୍ତ ସିସିଟିଭି ଲଗାଇବା ସମ୍ଭବପର ନୁହେଁ ବୋଲି କହିଛନ୍ତି। କେତେକ କଲେଜ ଇତି ମଧ୍ୟରେ ଗଣଶିକ୍ଷା ବିଭାଗକୁ ଚିଠି ଲେଖି ଭିତ୍ତିଭୂମି ସୁଦୃଢ଼, ସିସିଟିଭିର ସୁରକ୍ଷା କଥା ଉଠାଇଛନ୍ତି। ସ୍ଥିତି ଭଲ ନ ଥିବାରୁ ସିସିଟିଭି କିଭଳି ଲଗାଇବୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର