କଟକ : ବରିଷ୍ଠ ଆଇପିଏସ୍ ଅଫିସର୍ ଆଇଜି (ପ୍ରୋଭିଜନିଂ) ଯତୀନ୍ଦ୍ର କୋଏଲ୍ଙ୍କ ବିରୋଧରେ ଆଜି ରାଜ୍ୟ ପୁଲିସ ମୁଖ୍ୟାଳୟର କର୍ମଚାରୀମାନେ ପୁଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲଙ୍କୁ ଭେଟି ଅଭିଯୋଗ କରିଛନ୍ତି। କର୍ମଚାରୀମାନେ ଡିଜିଙ୍କୁ ପ୍ରଦାନ କରିଥିବା ଅଭିଯୋଗପତ୍ରରେ ଆଇଜିଙ୍କ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରିବା ସହିତ ତାଙ୍କ କାର୍ଯ୍ୟକଳାପ ସମ୍ପର୍କରେ ତଦନ୍ତ ଦାବି କରିଛନ୍ତି। ରାଜ୍ୟ ପୁଲିସ ମୁଖ୍ୟାଳୟର କର୍ମଚାରୀମାନେ ଏଭଳି ଏକଜୁଟ୍ ହୋଇ ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିବା ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।
ସୂଚନା ଅନୁଯାୟୀ ଆଇଜି (ପ୍ରୋଭିଜନିଂ) ଯତୀନ୍ଦ୍ର କୋଏଲ୍ ପୁଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଗତକାଲି ବିଭାଗୀୟ କାର୍ଯ୍ୟର ସମୀକ୍ଷା କରୁଥିବା ବେଳେ ମୁଖ୍ୟ ଡାଏରିଷ୍ଟ ପତିତପାବନ ବାରିକଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ। ଶ୍ରୀ ବାରିକଙ୍କର ଅବସର ପାଇଁ ଆଉ ମାତ୍ର ୪ ମାସ ରହିଥିବା ବେଳେ ଶ୍ରୀ କୋଏଲ ଷ୍ଟେନୋଙ୍କୁ ଡାକି ତାଙ୍କ ବିରୋଧରେ ପ୍ରୋସିଡିଂ କରାଯିବ ବୋଲି କହିଥିଲେ। ଏଥିରେ ଅତ୍ୟନ୍ତ ଭୟଭୀତ ହୋଇ ଅଫିସ ଭିତରେ ଅସୁସ୍ଥ ହୋଇ ପଡ଼ିଥିଲେ ପତିତପାବନ। ତାଙ୍କୁ ତୁରନ୍ତ ସିଡିଏର ଏକ ଘରୋଇ ହସ୍ପିଟାଲକୁ ନିଆଯାଇ ସେଠାରେ ଚିକିତ୍ସା କରାଯାଇଥିଲା। ସେ ଏବେ ଆଇସିୟୁରେ ଅଛନ୍ତି। କିନ୍ତୁ ସେ ସୁସ୍ଥ ହେଲାପରେ ବି ଆଉ ଅଫିସ ନ ଯାଇ ସ୍ବେଚ୍ଛାକୃତ ଅବସର ନେଇଯିବେ ବୋଲି ତାଙ୍କ ପରିବାର ଲୋକ କହିଛନ୍ତି।
ଏହି ଘଟଣାକୁ ନେଇ ଆଜି ମୁଖ୍ୟାଳୟର କର୍ମଚାରୀମାନେ ଅଭିଯୋଗ ଆଣିବା ସହିତ ଶ୍ରୀ କୋଏଲଙ୍କ ବ୍ୟବହାର ଓ କାର୍ଯ୍ୟକଳାପର ତଦନ୍ତ ଦାବି କରିଛନ୍ତି। ଡିଜି ଶ୍ରୀ ବଂଶଲ ଏହି ଘଟଣାର ଯାଞ୍ଚ କରିବାକୁ ପଦକ୍ଷେପ ନେବେ ବୋଲି କର୍ମଚାରୀଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/odisha-police-hq.jpg)