ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ‘ପୋଲାଭରମ୍‌ ପ୍ରକଳ୍ପ କାମ ତୁରନ୍ତ ବନ୍ଦ କର’

ଭୁବନେଶ୍ୱର: ପୋଲାଭରମ୍‌ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କର। ପ୍ରଥମେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ସମସ୍ୟାର ସମାଧାନ ହେଉ। ଯେତେପର୍ଯ୍ୟନ୍ତ ସେ ସମସ୍ୟାର ସମାଧାନ ନ ହୋଇଛି ସେତେପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ନ କରିବାକୁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡ଼ୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି।
ଆଜି ଏ ନେଇ ଶ୍ରୀ ନାଇଡ଼ୁଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବନ୍ୟା ନକ୍ସା ଏବଂ ମାଲକାନଗିରିରେ ଆବଦ୍ଧ ଜଳରାଶି ସଂପର୍କରେ ବାସ୍ତବ ଆକଳନ କରାଯାଇନାହିଁ। ଏହା ସତ୍ତ୍ୱେ ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ଖବର ତାଙ୍କୁ ବିଶ୍ୱସ୍ତ ସୂତ୍ରରୁ ମିଳିଛି। ଏହା ଗୋଦାବରୀ ନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ଙ୍କ ସୁପାରିସର ଉଲ୍ଲଂଘନ କରୁଥିବା ସହିତ ପ୍ରଚଳିତ ଜାତୀୟ ମାନ/ପରିମାପର ବି ବିରୁଦ୍ଧାଚରଣ କରୁଛି।
କେନ୍ଦ୍ର ପରିବେଶ ଓ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରାଳୟ ନିଜସ୍ୱ ୨୦୧୫ ଅକ୍ଟୋବର ୨୩ ତାରିଖରେ ଅଫିସ ମେମୋରାଣ୍ଡମରେ ବର୍ଷକ ପାଇଁ ପ୍ରକଳ୍ପ ‘କାର୍ଯ୍ୟ ବନ୍ଦ ଆଦେଶ’ କାର୍ଯ୍ୟକାରୀ କରିବାକୁ ସ୍ଥିର କରିଥିଲା। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧପତ୍ର(୨୫.୪.୧୫) ଭିତ୍ତିକରି ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ସର୍ତ୍ତ ସହିତ ଏଭଳି ପଦକ୍ଷେପ ନିଆଯାଇଥିଲା। ସେଥିମଧ୍ୟରୁ ଗୋଟିଏ ସର୍ତ୍ତ ହେଉଛି ଛତିଶଗଡ଼ ଏବଂ ଓଡ଼ିଶାର ଉଠାଇଥିବା ପ୍ରସଙ୍ଗର ସଠିକ୍‌ ସମାଧାନ ନ ହେବା ପର୍ଯ୍ୟନ୍ତ ମନ୍ତ୍ରାଳୟର ନିର୍ଦିଷ୍ଟ ଅନୁମତି ବିନା ପ୍ରକଳ୍ପର ଜଳଭଣ୍ଡାରରେ କୌଣସି କାର୍ଯ୍ୟ କରାଯିବନାହିଁ। ୨୦୧୬ ଜୁନ୍‌ ମାସ ୨୨ ତାରିଖ ପର୍ଯ୍ୟନ୍ତ ଏହି ‘କାର୍ଯ୍ୟ ବନ୍ଦ ଆଦେଶ’ ବଳବତ୍ତର ରହିବା କଥା। ତେବେ ଓଡ଼ିଶା ସରକାରଙ୍କ ହସ୍ତଗତ ହୋଇଥିବା ରେକର୍ଡରୁ ଜଣାଯାଇଛି ଯେ ମନ୍ତ୍ରାଳୟର ଅନୁମତି ବିନା ପୋଲାଭରମ୍‌ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଓଡ଼ିଶାର ସ୍ୱାର୍ଥ ସମ୍ବନ୍ଧିତ ସମସ୍ୟାର ସମାଧାନ ନିମନ୍ତେ କୌଣସି ପଦକ୍ଷେପ ନିଆଯାଇନାହିଁ। ଏଣୁ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ଶ୍ରୀ ନାଇଡ଼ୁଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତିି।

 

ସମ୍ବନ୍ଧିତ ଖବର