ଭୁବ‌ନେଶ୍ବର: ମଞ୍ଚେଶ୍ୱର ଲେଭଲ କ୍ରସିଂରେ ଆର୍‌ଓବି (ରେଳ ଓଭରବ୍ରିଜ୍‌) ନିର୍ମାଣ ଚାଲିଛି। ଏହା ସମ୍ପୂର୍ଣ୍ଣ ହେବା ପାଇଁ ଏକ ବଡ଼ ପାନୀୟ ଜଳ ପାଇପ୍‌ ମାଟିତଳୁ ସ୍ଥାନାନ୍ତର ହେବାର ଆବଶ୍ୟକତା ରହିଛି। ଏହାକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ୱାଟ୍‌କୋକୁ ପୂର୍ତ୍ତ ବିଭାଗ ଗତବର୍ଷ ନଭେମ୍ବରରେ ଚିଠି ଲେଖିଛି। ଏହି ପାଇପ୍‌ ଲାଇନ୍‌କୁ ରାସ୍ତାକଡ଼ରୁ ଉଠାଇବାକୁ ହେଲେ ଭିଏସ୍‌ଏସ୍‌ ନଗରରୁ ସୈନିକ ସ୍କୁଲ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ କରିବାକୁ ହେବ। ଏଣୁ ଟ୍ରାଫିକ୍‌ କଟକଣା ବା ଟ୍ରାଫିକ୍‌ ଦିଗ ପରିବର୍ତ୍ତନ ପାଇଁ ପୂର୍ତ୍ତ ବିଭାଗ କମିସନରେଟ୍‌ ପୁଲିସକୁ ଗତବର୍ଷ ଡିସେମ୍ବର ମାସରେ ଚିଠି ଲେଖିଛି। ସେହିଭଳି ଭିଏସ୍‌ଏସ୍‌ନଗରର ଦୁର୍ଗାମଣ୍ଡପରୁ ବାଦାମବାଡ଼ି ରାସ୍ତାରେ ଜବରଦଖଲ ରହିଛି।

Advertisment

ଏହା ମଧ୍ୟ ଆରଓବି ନିର୍ମାଣରେ ବାଧକ ସାଜିଛି। ଜବରଦଖଲ ହଟାଇବା ପାଇଁ ପୂର୍ତ୍ତ ବିଭାଗ ବିଡିଏକୁ ଚଳିତ ବର୍ଷ ଜାନୁଆରି ମାସରୁ ଚିଠି ଲେଖିଛି। କିନ୍ତୁ ଟ୍ରାଫିକ୍‌ ପୁଲିସ ନିର୍ବିକାର। ୱାଟ୍‌କୋ ବି ଏ ବାବଦରେ ଚିନ୍ତା କରୁନି। ବିଡିଏ ବି ନିଦା ବିଷ୍ଣୁ। ତିନି ସଂସ୍ଥା ଚିଠି ପାଇ ବସି ଯାଇଛନ୍ତି। ଏପଟେ ଲୋକେ କଲବଲ। ରାତି ହେଲେ ଓ ରାତି ପାହିଲେ ଟ୍ରାଫିକ୍‌ ଜାମ୍‌ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ାଇଛି। ବର୍ଷା ହେଲେ ଅବସ୍ଥା ସାଂଘାତିକ। ରାସ୍ତା ମଝିରେ ପୋତା ଯାଇଛି ଖୁଣ୍ଟ। ଖୁଣ୍ଟ ପାଇଁ ଖୋଳା ହୋଇଥିବା ମାଟି ପିଚୁରାସ୍ତା ଉପରେ ଗଦା ହୋଇଥିବାରୁ କାଦୁଅ ପଚପଚ। ୫୦ ପ୍ରତିଶତରୁ କମ୍‌ ଓସାର ରାସ୍ତାରେ ଉଭୟ ଯିବା ଓ ଆସିବା ଚାଲିଛି। କେଉଁପଟେ ବୁଲି ଯିବା ପାଇଁ ବିକଳ୍ପ ରାସ୍ତା ବି ନାହିଁ। ଫଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ନିୟମିତ ବର୍ଷା ହେଉଥିବାରୁ ସ୍ଥିତିରେ ସୁଧାର ଆସୁନାହିଁ। ୨୦୨୫ ମସିହାରେ ଏହାକୁ ସାରିବାକୁ ଡେଡ୍‌ଲାଇନ୍‌ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏଭଳି ବିଚିତ୍ର ସ୍ଥିତି କାରଣରୁ ଏହା କେବେ ସରିବ ତାହାର ଠିକ୍‌ ଠିକଣା ନାହିଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନଅସନ୍ତୋଷ ଦେଖା ଦେବା ସହ ନିକଟ ଅତୀତରେ ସ୍ଥାନୀୟ ବାସିନ୍ଦା ଧାରଣା ବି ଦେଇଥିଲେ।
ଟ୍ରାଫିକ୍‌ ପୁଲିସର ଜଣେ ଅଧିକାରୀଙ୍କ କହିବା କଥା, ଭିଏସ୍‌ଏସ୍‌ ନଗର ଓ ସୈନିକ ସ୍କୁଲ୍‌ ଉଭୟ ପଟୁ ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ଭିଏସ୍‌ଏସ୍‌ ନଗରବାସୀ ସୈନିକ ସ୍କୁଲ୍‌ ପଛ ଗେଟ୍‌ ଦେଇ ଓମ୍‌ଫେଡ୍‌ ଛକ ଯାଇପାରିବେ ନାହିଁ।

ଏଥିପାଇଁ ଏମାନଙ୍କୁ ରାଜପଥରେ ୧୫ କିମି ବୁଲିବାକୁ ପଡ଼ିବ। ଦୀର୍ଘ କାଳ ଧରି ଏଭଳି ବନ୍ଦ ରଖିବା ଯୋଗୁ ଅଚଳାବସ୍ଥା ସୃଷ୍ଟି ହେବ। ଏଣୁ କିଭଳି ଏହାକୁ ପରିଚାଳନା କରାଯିବ ସେ ନେଇ ସର୍ବେକ୍ଷଣ ହେଉଛି। ସେହିଭଳି ୱାଟ୍‌କୋ ମଧ୍ୟ ଚିନ୍ତାରେ ପଡ଼ିଛି। ମାଟି ତଳେ ଥିବା ଯେଉଁ ପାଇପ୍‌ ଲାଇନ୍‌ ହଟିବ ତାହା ପାନୀୟ ଜଳ ଯୋଗାଉଥିବା ମୁଖ୍ୟ ପାଇପ୍‌ ଲାଇନ୍‌। ଏହାକୁ ହଟାଇବାକୁ ହେଲେ ପାନୀୟ ଜଳ ଯୋଗାଣ ବନ୍ଦ ରଖିବାକୁ ହେବ। ଭୁବନେଶ୍ବରର ଅଧା ଅଞ୍ଚଳରେ ଜଳ ଯୋଗାଣ ବନ୍ଦ ରହିବ। ଏଡାକୁ ହଟାଇ ପୁଣି ଥରେ ପକାଇ ଜଳ ଯୋଗାଣ ନିୟମିତ କରିବାକୁ ଅଧିକ ସମୟ ଲାଗିବ। ଏଣୁ ଏତେ ସମୟ ଧରି ଅଧା ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ବନ୍ଦ କରିବା କିମ୍ବା କି ପ୍ରକାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ ସେ ନେଇ ଯୋଜନା ହେଉଛି। ସେହିଭଳି ନିର୍ବାଚନ ଥିବାରୁ ଜବରଦଖଲ ହଟାଇ‌ ଅସନ୍ତୋଷ ସୃଷ୍ଟି ନକରିବାକୁ ବିଡିଏ ଉପରେ ରାଜନୈତିକ ଚାପ ରହିଥିବା କୁହାଯାଉଛି। ଏଭଳି ସ୍ଥିତି ଏବେ ଆରଓବି ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି। ସୂଚନା‌ଯୋଗ୍ୟ, ବହୁଦିନ ଧରି ଆନ୍ଦୋଳନ ଧାରଣା ଚାଲିବା ପରେ ମଞ୍ଚେଶ୍ବର ଲେଭଲ୍‌କ୍ରସିଂରେ ଆର୍‌ଓବି ପାଇଁ ପୂର୍ତ୍ତ ବିଭାଗ ଯୋଜନା କରିଥିଲା। ଖର୍ଚ୍ଚ ହେବାକୁ ଥିବା ୬୫ କୋଟି ଟଙ୍କାରୁ ରାଜ୍ୟ ସରକାର ୩୫ କୋଟି ୧୭ଲକ୍ଷ ଓ ରେଳବାଇ ୨୬ କୋଟି ୭୨ଲକ୍ଷ ବହନ କରିବାକୁ ରହିଥିଲା। ୨୦୧୯ ମସିହାରୁ ପ୍ରକ୍ରିୟା ଆରମ୍ଭ ହୋଇ ବାରମ୍ବାର ନକ୍ସା ବଦଳିବାରୁ ବିଳମ୍ବ ହୋଇଥିଲା।