ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ୨୫% ସିଟ୍‌ ସଂରକ୍ଷଣ ପ୍ରସଙ୍ଗ : ୬ ମାସରେ ଉଚ୍ଚଶିକ୍ଷା ସଚିବଙ୍କ ୪ର୍ଥ ଚିଠି

ନିୟମାବଳୀ ଜାରି କରିବାକୁ ଚିଠିରେ ଉଲ୍ଲେଖ

ଭୁବନେଶ୍ବର : ଥରେ କି ଦୁଇ ଥର ନୁହେଁ। କଟକସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ୟୁଜି ପାଠ୍ୟକ୍ରମ ନାମଲେଖାରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସିଟ୍‌ ସଂରକ୍ଷଣ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର ଦାବି ହେଉଛି। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ସଚିବଙ୍କ ପର୍ଯ୍ୟନ୍ତ ବାରମ୍ବାର ଚିଠି ଲେଖି ଚାଲିଛନ୍ତି। ଏପରିକି ଗତ ୬ ମାସରେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ପାଖାପାଖି ୪ ଥର ଚିଠି ଲେଖି ସାରି‌ଲେଣି। ତଥାପି ନିଷ୍ପତ୍ତି ଚୂଡ଼ାନ୍ତ ହୋଇପାରୁନି। ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ୨୫ପ୍ରତିଶତ ସଂରକ୍ଷଣ ମିଳିବ କି ନାହିଁ, ସେନେଇ କେହି ବି ସ୍ପଷ୍ଟ କରୁ ନ ଥିବା ବେଳେ ନିୟମାବଳୀରେ ସଂଶୋଧନ କରିବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଜି ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି ଯେ ‌ଓଡ଼ିଶାର କୌଣସି ଛାତ୍ରଛାତ୍ରୀ ଯୁକ୍ତ୨ କିମ୍ବା ସମାନ୍ତରାଳ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ତାଙ୍କୁ ବିଶ୍ବବିଦ୍ୟାଳୟର ୟୁଜି ପାଠ୍ୟକ୍ରମରେ ନାମ ଲେଖାଇବାକୁ ସୁଯୋଗ ଦିଆଯାଉ। ଏଥିପାଇଁ ଆବଶ୍ୟକୀୟ ନିୟମାବଳୀ ପ୍ରସ୍ତୁତ କରାଯାଉ। ଏଥିସହ ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଶାର ୨୫ପ୍ରତିଶତ ପିଲାଙ୍କୁ ୟୁଜିରେ ନାମଲେଖାର ସୁଯୋଗ ଦେବାକୁ ଅନୁରୋଧ କରିଛନ୍ତି।

କେବଳ ଏହି ଗୋଟିଏ ଚିଠି ନୁ‌ହେଁ। ପୂର୍ବରୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ଥର ଚିଠି ଲେଖାଯାଇଛି। ବିଶ୍ବବିଦ୍ୟାଳୟରେ ଓଡ଼ିଶାର ପିଲାଙ୍କ ପାଇଁ ୨୫% ସିଟ୍‌ ସଂରକ୍ଷଣ ରଖିବାକୁ ୨୦୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନିକଟକୁ ଚିଠି ଲେଖିଥିଲେ। ୨୦୧୮ ଏପ୍ରିଲ ୨୪ରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟ କୁଳ ସଚିବଙ୍କୁ ଚିଠି ଲେଖାଯାଇଥିଲା। ତେବେ ଦେଢ଼ ବର୍ଷ ବିତି ଯାଇଥିଲେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇପାରିନି। ଗତ ଅଗଷ୍ଟ ମାସରେ ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ର କୁଳପତିଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ ଯେ ୟୁଜି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଦ୍ବାଦଶ ତଥା ଯୁକ୍ତ୨ରେ ୬୦%ରୁ ଅଧିକ ନମ୍ବର ରଖିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ଲାଗି ୨୫% ସଂରକ୍ଷଣ ରଖାଯାଉ। ଗତ ଡିସେମ୍ବର ମାସରେ ସଚିବ ଶ୍ରୀ ମିଶ୍ର ଆଉ ଥରେ କୁଳପତିଙ୍କୁ ଚିଠି ଲେଖି ଦାବି ଜଣାଇଥିଲେ। ଲୋକସଭାରେ ବି ସାଂସଦଙ୍କ ଦ୍ବାରା ଦାବି ଉଠିଛି। ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ସୁଦୀପ୍ତ ପ୍ରକାଶ ପୃଷ୍ଟି ଏନେଇ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିସାରିଛନ୍ତି।

ସୂଚନା ଅନୁଯାୟୀ, ଦେଶର ୧୯ଟି ଆଇନ ବିଶ୍ବବିଦ୍ୟାଳୟ ମଧ୍ୟରୁ ୧୨ଟି ବିଶ୍ବବିଦ୍ୟାଳୟରେ ସ୍ଥାନୀୟ ଅଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି। କେଉଁ ରାଜ୍ୟରେ ୫୦ପ୍ରତିଶତ ସଂରକ୍ଷଣ ରଖାଯାଇଛି ତ ଆଉ କେଉଁଠି ୨୦ ପ୍ରତିଶତ ରହିଛି। ତେବେ ଓଡ଼ିଶାର ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ସମେତ ବାକି ୭ଟିରେ ସଂରକ୍ଷଣ ବ୍ୟବସ୍ଥା ଏପର୍ଯ୍ୟନ୍ତ ଲାଗୁ ହୋଇନାହିଁ। ୨୦୨୦-୨୧ ଶିକ୍ଷା ବର୍ଷରୁ ଲାଗୁ କରିବାକୁ ଦାବି ଜୋରଦାର ହେଉଛି। ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ବି ଏ ଦିଗରେ ବିଚାରବିମର୍ଶ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର