ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଚିଠି: ପ୍ରତିଦିନ ରିପୋର୍ଟ ଦେବେ ସମସ୍ତ ଡିଏଫଓ

ଭୁବନେଶ୍ବର: ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଆକ୍ସନ ମୋଡରେ ରାଜ୍ୟ ସରକାର । କେମିତି ଅଛି ଜଙ୍ଗଲ, ନିଆଁକୁ ନେଇ ପ୍ରତିଦିନ ରିପୋର୍ଟ ଦେବେ ସମସ୍ତ ଡିଏଫଓ। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ସମସ୍ତ ଡିଏଫଓଙ୍କୁ ଚିଠି ଦିଆଯାଇଛି । ପ୍ରତିଦିନ ସନ୍ଧ୍ୟା ୬ଟା ସୁଦ୍ଧା ରିପୋର୍ଟ ଦେବାକୁ ସମସ୍ତ ଡିଏଫଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିଆଁ କେଉଁଠି ଲାଗିଛି, ସ୍ଥିତି କ’ଣ ଅଛି କ’ଣ ପଦକ୍ଷେପ ନିଆଯାଇଛି, ଏନେଇ ବସ୍ତୃତ ରିପୋର୍ଟ ଦେବେ ଡିଏଫଓ ।

ଏଣେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ପୂର୍ବତନ ପିସିସିଏଫ୍ ଡକ୍ଟର ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଏହି ଟାସ୍କଫୋର୍ସ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ ଏହି କମିଟି ଗଠିତ ହୋଇଛି। ଏଥିରେ ଅଧ୍ୟକ୍ଷଙ୍କ ସମେତ ୯ଜଣ ସଦସ୍ୟ ଅଛନ୍ତି। ଏଥିରେ ସ୍ଥାନ ପାଇଥିବା ସଦସ୍ୟମାନେ ହେଲେ ଜିତେନ୍ଦ୍ର କୁମାର, ଶଶୀ ପାଲ, ପଙ୍କଜ ଅଗ୍ରୱାଲ, ଡେରାଡୁନର ଆଇସିଏଫ୍ଆରଇ ଡିଜିଙ୍କ ପ୍ରତିନିଧି,ଏନଆରଏସସିର ଫରେଷ୍ଟ ଆଣ୍ଡ ଇକୋଲୋଜିର ମୁଖ୍ୟ, ପିକେ ମଲ୍ଲିକ, ଜେ କେ ପାଣିଗ୍ରାହୀ ଓ ବିଜୟ ଅଗ୍ରୱାଲ।

ଏହି ଟାସ୍କ ଫୋର୍ସ କମିଟି ଅତ୍ୟାଧୁନିକ ଉପାୟରେ ନିଆଁ ଲିଭାଯିବା ଏବଂ ଅଗ୍ନିକାଣ୍ଡର କାରଣ ଖୋଜିବ। ଜୈବ୍ୟ ବିବିଧତା ଓ ବନ୍ୟ ପ୍ରାଣୀଙ୍କ କ୍ଷତି ନେଇ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବ ଏହି କମିଟି। ସବୁଠାରୁ ବଡ଼ କଥା ହେଲା କି, ଆଜିଠାରୁ ଆସନ୍ତା ୧୫ ଦିନ ଯାଏଁ ଏହି ସନ୍ଦୀପ ତ୍ରିପାଠୀ ଶିମିଳିପାଳ ନିଆଁ, ତାହାର ଜୈବ୍ୟବିବିଧତାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିବେ। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର