୫୦% ଦର୍ଶକରେ ସିନେମା ହଲ୍‌ ଖୋଲୁ, ସିନେମା ଶିଳ୍ପକୁ ବଞ୍ଚେଇ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ବର : ଲକ୍‌ଡାଉନ କଟକଣାରେ ଧୀରେଧୀରେ କୋହଳ ହେଉଛି। ବ୍ୟବସାୟିକ ପ୍ରତିଷ୍ଠାନ ପୁଣି ଚାଲୁ ହୋଇଛି। ମାତ୍ର ସିନେମା ଶିଳ୍ପର ଭାଗ୍ୟ ଓ ଭବିଷ୍ୟତ ଅନିଶ୍ଚିତତା ଆଡ଼କୁ ‌ଠେଲି ହୋଇଯାଇଛି। ସିନେମା ନିର୍ମାଣ ବନ୍ଦ। ସିନେମା ହଲ୍‌ ବନ୍ଦ। ଫଳରେ ଏହି ଶିଳ୍ପ ସହ ଜଡ଼ିତ ହଜାର ହଜାର ଲୋକଙ୍କ ଗୁଜୁରାଣର ବାଟ ବି ବନ୍ଦ। ଦୀର୍ଘ ବର୍ଷ ଧରି ରାଜ୍ୟରେ ବହୁ ପୁରୁଣା ସିନେମା ହଲ୍‌ ଗୋଟେ ‌ପରେ ଗୋଟେ ବନ୍ଦ ହେବାରେ ଲାଗିଛି। ରାଜ୍ୟରେ ଦିନେ ୩୦୦ ସିନେମା ହଲ୍‌ ଥିଲେ ହେଁ ଏବେ ମାତ୍ର ୯୦ଟି ଚାଲୁଛି। ଏଣେ କରୋନା ମୁକାବିଲା ପାଇଁ ଲକ୍‌ଡାଉନ ହେବା ପରଠୁ ପାଖାପାଖି ୩ ମାସ ହେଲାଣି ପ୍ରେକ୍ଷାଳୟ ବନ୍ଦ ରହିଛି। ଯଦି ଏପରି ସ୍ଥିତି ଲାଗିରୁହେ, ତେବେ ସିନେମା ହଲ୍‌ର ଭବିଷ୍ୟତ କ’ଣ ହେବ ସେନେଇ ଆଶଙ୍କା ପ୍ରକାଶ ପାଇଲାଣି। ପ୍ରେକ୍ଷାଳୟର ସ୍ବତ୍ତ୍ବାଧିକାରୀ ଚିନ୍ତାରେ ପଡ଼ିଲେଣି।

ସିନେମା ହଲ୍‌ ବିନା ସିନେମାର ଅସ୍ତିତ୍ବ ନାହିଁ। ପ୍ରେକ୍ଷାଳୟ ଖୋଲିଲେ ହିଁ ସିନେମା ତିଆରି ପାଇଁ ପ୍ରୟାସ ଆରମ୍ଭ ହେବ। ତେଣୁ ସିନେମା ଶିଳ୍ପକୁ ବଞ୍ଚାଇ ରଖିବା ପାଇଁ ସରକାରଙ୍କ ସହଯୋଗ ଲୋଡ଼ିଛି ‘ଓଡ଼ିଶା ସିନେମା ହଲ୍‌ ମାଲିକ ସଂଘ’। ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସେଜିଓର (ଏସଓପି) ପାଳନ ସହ ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ୍‌ ଖୋଲିବାକୁ ଅନୁମତି ଦେବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି।

ସଂଘର ସଭାପତି ବି.କେ ମହାନ୍ତି କହିଛନ୍ତି, ସରକାର ନିର୍ଦିଷ୍ଟ ଗାଇଡ୍‌ଲାଇନ ସହ ସିନେମା ହଲ୍‌ ଖୋଲିବାକୁ ଅନୁମତି ଦିଅନ୍ତୁ। ସିନେମା ହଲ୍‌ ମାଲିକମାନଙ୍କୁ ଯୁଗ୍ମ ଓ ଅଯୁଗ୍ମ ସଂଖ୍ୟାରେ ଟିକେଟ୍‌ ବିକ୍ରି କରିବା ପାଇଁ ନିର୍ଦେଶ ଦିଆଯାଉ। ଏହା ବ୍ୟତୀତ ସିନେମା ହଲ୍‌ ମାଲିକ କିଛିଟା ଗାଇଡ୍‌ଲାଇନ୍‌ ପାଳନ ପୂର୍ବକ ଟିକେଟ୍‌ କାଉଣ୍ଟରରେ ଭିଡ଼ ଏଡ଼ାଇବା ପାଇଁ ଅନଲାଇନରେ ଟିକେଟ୍‌ ବିକ୍ରିର ବ୍ୟବସ୍ଥା କରନ୍ତୁ। ସିନେମା ହଲ୍‌କୁ ପ୍ରବେଶ ପୂର୍ବରୁ ପ୍ରତ୍ୟେକ ଦର୍ଶକଙ୍କର ଥର୍ମାଲ ସ୍କ୍ରିନିଂ ସହ ସାନିଟାଇଜ ବ୍ୟବସ୍ଥା କରାଯାଉ। ପ୍ରତ୍ୟେକ ସୋ’ ପରେ ପ୍ରେକ୍ଷାଳୟକୁ ସାନିଟାଇଜ କରାଯାଉ। ସରକାର ଏହି ନିର୍ଦେଶନାମା ଜାରି କରି ସିନେମା ହଲ୍‌ ଶିଳ୍ପକୁ ଚାଲୁ କରିବାକୁ ସିନେମା ହଲ୍‌ ମାଲିକ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସିନେମା ହଲ୍‌ ବନ୍ଦ ପଡ଼ି ରହିଥିବାରୁ ଟଙ୍କାଟିଏ ବି ଆୟ ହେଉନି। ମାତ୍ର ଆନୁସଙ୍ଗିକ ଖର୍ଚ୍ଚରେ ରୋକ ଲାଗିନାହିଁ। ତେଣୁ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ବିଦ୍ୟୁତ (କଣ୍ଟ୍ରାକ୍ଟ ଡିମାଣ୍ଡ) ଦେୟ ଗୋଟେ ବର୍ଷ ପର୍ଯ୍ୟନ୍ତ ଛାଡ଼ କରାଯାଉ। ଜିଏସ୍‌ଟି ଓ ଏସଜିଏସ୍‌ଟି ମଧ୍ୟ ବର୍ଷେ ପର୍ଯ୍ୟନ୍ତ ଛାଡ଼ କରାଯାଉ ବୋଲି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର