ଭୁବନେଶ୍ୱର : ଅସାଧୁ ବ୍ୟବସାୟୀ ପଡ଼ୋଶୀ ଛତିଶଗଡ଼ରୁ ଧାନ ଆଣି ଜିଲ୍ଲାର ଧାନସଂଗ୍ରହ କେନ୍ଦ୍ରରେ ଯେପରି ବିକ୍ରି ନ କରନ୍ତି, ସେଥି ନିମନ୍ତେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଖାଦ୍ୟଯୋଗାଣ ବିଭାଗ ୮ ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛି। ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଖରିଫ ଧାନ ସଂଗ୍ରହ କାର୍ଯ୍ୟ ନଭେମ୍ବର ମାସ ଦ୍ୱିତୀୟ ସପ୍ତାହଠାରୁ ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ଏଭଳି ନିର୍ଦେଶନାମା ଜାରି କରାଯାଇଛି।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଚଳିତ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମ ସମୟରେ ଧାନ ବେପାରୀ ସୀମାବର୍ତ୍ତୀ ଛତିଶଗଡ଼ରୁ ଧାନ କିଣି ଜିଲ୍ଲାର ଧାନସଂଗ୍ରହ କେନ୍ଦ୍ରରେ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରି କରିବାର ସମ୍ଭାବନା ରହିଛି। ବିଶେଷକରି ବରଗଡ଼, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ନବରଙ୍ଗପୁର ଜିଲ୍ଲାରେ ଏଭଳି ବିପଦ ଦେଖାଦେଇପାରେ। ଏଣୁ ଏସବୁ ଜିଲ୍ଲାର ଜିଲ୍ଲାପାଳମାନେ ବେନିୟମ ଧାନବିକ୍ରିକୁ ରୋକିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ବିଭାଗ ନିର୍ଦେଶ ଦେଇଛି। ଏଥିପାଇଁ ଆବଶ୍ୟକସ୍ଥଳେ ପ୍ରତିକାରମୂଳକ ପଦକ୍ଷେପ ସ୍ବରୂପ ଜିଲ୍ଲାସ୍ତରରେ ଏବଂ ସବ୍ଡିଭିଜନ୍ ସ୍ତରରେ ସ୍କ୍ୱାଡ୍ ଗଠନ କରି ଧାନ ଚାଲାଣର ନିୟମିତ ଯାଞ୍ଚ କରିବା ପାଇଁ କୁହାଯାଇଛି। ଏଥି ସହିତ ଅସାଧୁ ଧାନ ବେପାରୀ ଓ ମିଲରଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ଚିଠିରେ ଦର୍ଶାଇଛନ୍ତି।
ବିଭାଗ କହିଛି ଯେ ଧାନ କେବଳ ପ୍ରକୃତ ପଞ୍ଜୀକୃତ ଚାଷୀଙ୍କଠାରୁ ଓ ଆଗୁଆ ଟୋକେନ୍ ମାଧ୍ୟମରେ କିଣାଯିବ। ଧାନ ବିକ୍ରିରେ ସର୍ବନିମ୍ନ ସହାୟକ ମୂଲ୍ୟର ସୁଫଳ ଯେପରି ପ୍ରକୃତ ଚାଷୀ ପାଆନ୍ତି ସେଥିପ୍ରତି ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।