ସୁଭଦ୍ରାଙ୍କ ଉଚ୍ଚଶିକ୍ଷାରେ ଅର୍ଥ ବାଧକ, ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି

ପାଟଣା : ପାଳିତ ବାପାମାଙ୍କ ମୃତ୍ୟୁରେ ମୂଲ ଲାଗି ପାଠପଢ଼ିବା ସହ ଦଶମ ଶ୍ରେଣୀ ପାସ୍‌ କଲେ। ଏବେ ଉଚ୍ଚଶିକ୍ଷା ପାଇଁ ପାଖରେ ସମ୍ବଳ ନାହିଁ। ପାଠପଢ଼ି ଭବିଷ୍ୟତ ଗଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ ଅର୍ଥ ବାଧକ ସାଜିଥିବାରୁ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ମଲ୍ଲିପଶି ଗ୍ରାମର ଝିଅ ସୁଭଦ୍ରା ନାଏକ (୧୬)।

ସୁଭଦ୍ରା ମାତ୍ର ଅଢ଼େଇମାସର ହୋଇଥିବା ବେଳେ ମଲ୍ଲିପଶି ଗ୍ରାମର ନିଃସନ୍ତାନ ଦମ୍ପତି ସ୍ୱର୍ଗତ ବିଜୟ କୁମାର ନାଏକ ଓ ତାଙ୍କ ପତ୍ନୀ ରମି ନାଏକ ତାଙ୍କୁ ଘରକୁ ନେଇ ଆସିଥିଲେ। ସେହିଦିନ ଠାରୁ ସୁଭଦ୍ରା ପାଳିତ କନ୍ୟା ହୋଇ ସେମାନଙ୍କ ପାଖରେ ରହିଆସୁଥିଲେ। ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସୁଭଦ୍ରା ଭଲରେ ପାଠପଢ଼ିଲେ। ଏହାପରେ ତାଙ୍କ ଜୀବନରେ ଦୁଃଖ ମାଡ଼ି ଆସିଲା। ପ୍ରଥମେ ବାପା ଓ ପରେ ମା ଆଗପଛ ହୋଇ ଆରପାରିକୁ ଚାଲି‌ଗଲେ। ତଥାପି ସୁଭଦ୍ରା ଭାଙ୍ଗି ନ ପଡ଼ି ମୂଲ ଲାଗି ନିଜ ପେଟ ପୋଷିବା ସହ ପାଠପଢ଼ି ମାଟ୍ରିକ୍‌ ପାସ୍‌ କଲେ। ଏବେ ଉଚ୍ଚଶିକ୍ଷା ପାଇଁ ଇଚ୍ଛା ଥିଲେ ମଧ୍ୟ କଲେଜରେ ନାମଲେଖାଇବା ପାଇଁ ପାଖରେ ସମ୍ବଳ ନାହିଁ। ସହାୟତା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଗତ ୨୪ ତାରିଖରେ ସେ ରେଜିଷ୍ଟ୍ରି ପୋଷ୍ଟ ଯୋଗେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ପଠାଇଥିବା ସୁଭଦ୍ରା କହିଛନ୍ତି।

ସମ୍ବନ୍ଧିତ ଖବର