ଭୁବନେଶ୍ୱର: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକା ହ୍ରଦର ପରିବେଶଗତ ଅବନତିଜନିତ ପରିସ୍ଥିତି ସମ୍ପର୍କରେ ଓଡ଼ିଶା ପରିବେଶ ସମିତି(ଓଇଏସ୍‌) ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଭାରତର ଏହି ପ୍ରଥମ ରାମସାର ସ୍ଥଳୀ ତଥା ଏସିଆର ସର୍ବବୃହତ୍ ଲବଣାକ୍ତ ହ୍ରଦ ବର୍ତ୍ତମାନ ବିପଦର ସମ୍ମୁଖୀନ ହେଉଛି। ଏହାର ଜଳୀୟ ପରିସଂସ୍ଥା ଓ ଜୈବବିବିଧତା ବିଭିନ୍ନ କ୍ଷତିକାରକ ପ୍ରଭାବର ସମ୍ମୁଖୀନ ହେବା ସହ ନକାରାତ୍ମକ ମାନବୀୟ କାର୍ଯ୍ୟରେ ଚାପଗ୍ରସ୍ତ ହେଉଛି। ହ୍ରଦର ମତ୍ସ୍ୟ ସମ୍ପଦ ଅତ୍ୟଧିକ ଶୋଷଣର ଶିକାର ହେଉଛି ଏବଂ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ନିୟନ୍ତ୍ରଣ ଆଇନର କଠୋର କାର୍ଯ୍ୟକାରିତାର ଅନୁପସ୍ଥିତିରେ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ କ୍ରମାଗତ ଦ୍ୱନ୍ଦ୍ୱ ଉପୁଜୁଛି। ହ୍ରଦ ଜଳରେ ମତ୍ସ୍ୟଜୀବୀଙ୍କ ପାରମ୍ପରିକ ମତ୍ସ୍ୟ ଅମଳ ପରିବର୍ତ୍ତେ ବର୍ଷ ବର୍ଷ ଧରି ଘେରି ନିର୍ମାଣ କରି ପ୍ରଭାବଶାଳୀ ଲୋକଙ୍କ ଦ୍ୱାରା ଜବରଦଖଲରେ ବେଆଇନ ଚିଙ୍ଗୁଡ଼ି ଚାଷ ହେଉଛି, ଯାହାକି ସମସ୍ୟାକୁ ଆହୁରି ଜଟିଳ କରୁଛି।

Advertisment

୧୯୯୩ ମସିହାର ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିଚାରକୁ ନେଇ, ଓଡ଼ିଶା ସରକାର ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବିତ ‘ଚିଲିକାରେ ମାଛ ଧରା ଏବଂ ମତ୍ସ୍ୟସମ୍ପଦ ନିୟନ୍ତ୍ରଣ ବିଲ୍, ୨୦୧୭’କୁ ଅନୁମୋଦନ କରିଥିଲେ। ଲକ୍ଷ୍ୟ ଥିଲା ହ୍ରଦରେ ବେଆଇନ ଚିଙ୍ଗୁଡ଼ି ଚାଷ ରୋକିବା ଏବଂ ଚିଲିକା ବିକାଶ ପ୍ରାଧିକରଣ(ସିଡିଏ)କୁ ମାଛ ଧରିବା ଲିଜ୍ କ୍ଷମତା ପ୍ରଦାନ। ଏହା ମଧ୍ୟ ଏକ ଉତ୍ତମ ପରିବେଶୀୟ ପରିଚାଳନାକୁ ପୁନଃସ୍ଥାପିତ କରିବ, ଯାହାକି ହ୍ରଦର ପରିସଂସ୍ଥାର ସ୍ୱାସ୍ଥ୍ୟକୁ ପୁନଃସ୍ଥାପିତ କରିବା ପାଇଁ ଅତ୍ୟନ୍ତ ଜରୁରୀ ହେବ। ଓଇଏସ୍‌ ଚିଠି ମାଧ୍ୟମରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ବିଧାନସଭାରେ ଏହି ବିଲ୍‌କୁ ତ୍ୱରିତ୍ ପାରିତ କରି ପ୍ରଣୟନ କରିବାକୁ ଅନୁରୋଧ କରିଥିଲା। ପରବର୍ତ୍ତୀ ସମୟରେ ଏହି ବିଲ୍‌ ବିଧାନସଭାରେ ଆଲୋଚନା ପରିସରକୁ ଆସିଥିଲେ ମଧ୍ୟ ଶୀତଳଭଣ୍ଡାରକୁ ଠେଲି ହୋଇଯାଇଛି। ତେଣୁ ଆଗାମୀ ବିଧାନସଭା ଅଧିବେଶନରେ ଚିଲିକା ବିଲ୍‌ର ପ୍ରଣୟନ କରିବାକୁ ସମିତି ଅନୁରୋଧ କରିଛି। ଏହାଦ୍ବାରା କେବଳ ହ୍ରଦ ପରିସଂସ୍ଥା ଓ ମତ୍ସ୍ୟଜୀବୀଙ୍କୁ ଆଶ୍ୱସ୍ତି ଦେବ ନାହିଁ, ବରଂ ଆମ ରାଜ୍ୟର ଏହି ମୂଲ୍ୟବାନ ଆର୍ଦ୍ରଭୂମି ସମ୍ପଦର ସୁରକ୍ଷା ନିମନ୍ତେ ଆମର ପ୍ରତିବଦ୍ଧତାକୁ ମଧ୍ୟ ପ୍ରତିଫଳିତ କରିବ। ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ପୁନର୍ଜୀବିତ କରିବା ସହିତ ଅଦାଲତମାନଙ୍କ ଦ୍ୱାରା ପୂର୍ବରୁ ଦିଆଯାଇଥିବା ରାୟକୁ ଦୃଷ୍ଟିରେ ରଖି ଆଇନ ପ୍ରଣୟନ କରାଯିବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।