ଦେବୋତ୍ତର କମିସନରଙ୍କୁ ମଠ, ମନ୍ଦିର ସେବାୟତଙ୍କ ଚିଠି: ସହାୟତା ନ ଦେଲେ ଆନ୍ଦୋଳନ ଚେତାବନୀ

ଭୁବନେଶ୍ବର: କରୋନା ମହାମାରୀକାଳୀନ ଆର୍ଥିକ ସହାୟତା ଦାବି କରି ରାଜ୍ୟର ମଠ, ମନ୍ଦିର ସେବାୟତମାନେ ଦେବୋତ୍ତର କମିସନରଙ୍କୁ ଚିଠି ଲେଖିଛନ୍ତି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସତ୍ତ୍ବେ ରାଜ୍ୟ ସରକାର ସେମାନଙ୍କୁ କିଛି ବି ଆର୍ଥିକ ସହାୟତା ଦେଇନଥିବା ଅଭିଯୋଗ କରି ସେମାନେ ଏହି ଚିଠି ଲେଖିଛନ୍ତି। ଯଦି ଆଗାମୀ ଦୁଇ ସପ୍ତାହ ଭିତରେ ସେମାନଙ୍କୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ସହାୟତା ଯୋଗାଇ ଦିଆନଯାଏ, ସେମାନ‌େ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା‌ ଦେବେ ବୋଲି କହିଛନ୍ତି।

ସେବାୟତମାନଙ୍କ ଅଭିଯୋଗ ଅନୁସାରେ କରୋନା କଟକଣା କାଳରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମଠ, ମନ୍ଦିର ସବୁ ବନ୍ଦ ରହିବାରୁ ସେବାୟତମାନେ ଘୋର୍‌ ଦୁର୍ଦ୍ଦିନରେ କାଳ କାଟିଥିଲେ। ଏବେ କଟକଣା କୋହଳ ହେବା‌ ପରେ ବି ଦର୍ଶନ ଓ ପର୍ବପର୍ବାଣୀ ପାଳନରେ କିଛି କଟକଣା ବଳବତ୍ତର ରହିଛି। ତେଣୁ ସେବାୟତମାନଙ୍କ ରୋଜଗାର ଏକପ୍ରକାର ନାହିଁ କହିଲେ ଚଳେ। ଏଭଳି ସ୍ଥିତିରେ ସରକାର ସେମାନଙ୍କୁ ସହଯୋଗର ହାତ ବଢ଼ାଇବା କଥା। କିନ୍ତୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସତ୍ତ୍ବେ ସରକାର ସେମାନଙ୍କ ଗୁହାରି ପ୍ରତି କର୍ଣ୍ଣପାତ କରୁନାହାନ୍ତି। ତେଣୁ କରୋନା ପାଇଁ ଦେଢ଼ ବର୍ଷ ହେଲା ସେମାନଙ୍କ ପରିବାର ବଡ଼ କଷ୍ଟରେ ବିତାଇଛି। ଓଡ଼ିଶା ହିନ୍ଦୁ ଦେବୋତ୍ତର କମିସନ ଅଧୀନସ୍ଥ ମଠ, ମନ୍ଦିର ସେବାୟତମାନଙ୍କ ପକ୍ଷରୁ ଘନଶ୍ୟାମ ପଣ୍ଡା, ଗଦାଧର ପଣ୍ଡା, ମାଧବଚନ୍ଦ୍ର ମହାପାତ୍ର, ପ୍ରଭାକର ପଣ୍ଡା ପ୍ରମୁଖ ଏହି ଚିଠି ଲେଖିଛନ୍ତି। ଏଥି ସହିତ ଚିଠିର ନକଲ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଆଦିଙ୍କୁ ଡାକ ଯୋଗେ ପଠାଯାଇଛି ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର