ଝାରସୁଗୁଡ଼ାକୁ ଅଧିକ ବିମାନ ଚଳାଚଳ କର

ବେସାମରିକ ବିମାନ ଚଳାଚଳ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ସଚିବ

ଭୁବନେଶ୍ବର : ଆସନ୍ତାବର୍ଷ ଜାନୁଆରି ୧୩ରୁ ୨୯ତାରିଖ ପର୍ଯ୍ୟନ୍ତ ପୁରୁଷ ହକି ବିଶ୍ବକପ୍‌ ଭୁବନେଶ୍ବର ଓ ରାଉରକେଲାରେ ଆୟୋଜନ ହେବ। ହେଲେ ରାଉରକେଲାରେ ‌େଖଳାଯିବାକୁ ଥିବା ମ୍ୟାଚ୍‌ଗୁଡ଼ିକରେ ଅଧିକ ଦର୍ଶକ ନହେବା ଚିନ୍ତା ରାଜ୍ୟ ସରକାରଙ୍କୁ ଘାରିଛି। ଏଥିପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ସଚିବ ରାଜୀବ ବଂଶଲଙ୍କୁ ଚିଠି ଲେଖିଛନ୍ତି।

ସେ ଲେଖିଛନ୍ତି ଯେ ଝାରସୁଗୁଡ଼ା ବିମାନବନ୍ଦରରୁ କୋଲକତା, ରାୟପୁର, ଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇ ଓ ଭୁବନେଶ୍ବର ଭଳି ସହରକୁ ବିମାନ ଉଡ଼ାଣ କରୁଥିବାବେଳେ ଝାରସୁଗୁଡ଼ାରୁ ରାଉରକେଲାକୁ ରେଳ ଓ ସଡ଼କ ପଥରେ ସଂଯୋଗ ସୁବିଧା ଅଛି। ଏହାଦ୍ବାରା ଅଧିକ ଦର୍ଶକ ଝାରସୁଗୁଡ଼ା ବିମାନବନ୍ଦରରେ ଓହ୍ଲାଇ ରାଉରକେଲା ଯାଇପାରିବେ। ତେଣୁ ଝାରସୁଗୁଡ଼ାକୁ ଅଧିକ ବିମାନ କିଭଳି ଯାତାୟତ କରିବ, ସେ ନେଇ ବ୍ୟବସ୍ଥା କରାଯାଉ। ସେହିପରି ସ୍ପାଇସ୍‌ ଜେଟ୍‌ ବିମାନ ଏବେ ବେଙ୍ଗାଲୁର, ହାଇଦ୍ରାବାଦ, ମୁମ୍ବାଇ ଏବଂ କୋଲକତାରୁ ଝାରସୁଗୁଡ଼ାକୁ ଅଧିକାଂଶ ସମୟରେ ବିମାନ ଉଡ଼ାଣ ବାତିଲ୍ କରୁଥିବାରୁ ଯାତ୍ରୀ ଯାତାୟତରେ ସମସ୍ୟା ହେଉଛି। ଲୋକଙ୍କ ମଧ୍ୟରେ ଏନେଇ ଅସନ୍ତୋଷ ଦେଖାଦେଲାଣି। ଏହି ସମସ୍ୟାର ସମାଧାନ କରିବାକୁ ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ରାଉରକେଲା ବିମାନବନ୍ଦରକୁ କାର୍ଯ୍ୟକ୍ଷମ କରିବା ନେଇ ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଥିବାରୁ ଶ୍ରୀ ମହାପାତ୍ର ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର