କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି, ତାଳଚେର ଏମସିଏଲ୍ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ କରାଯାଉ

ଭୁବନେଶ୍ୱର : ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା କୋଭିଡ୍‌-୧୯ ମାମଲାକୁ ଦୃଷ୍ଟିରେ ରଖି ତାଳଚେରସ୍ଥିତ ଏମସିଏଲ୍ ହସ୍ପିଟାଲକୁ କୋଭିଡ୍‌-୧୯ ହସ୍ପିଟାଲରେ ପରିଣତ କରିବା ପାଇଁ ଅନୁମତି ଦେବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏଥିସହ ଖୁବଶୀଘ୍ର ଏହି ହସ୍ପିଟାଲରେ ଆଇସିୟୁ ସୁବିଧା ଓ ୧୦୦ଟି ଭେଣ୍ଟିଲେଟର ବ୍ୟବସ୍ଥା କରିବା ପାଇଁ ମଧ୍ୟ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ବର୍ତମାନ ସାରା ଦେଶ କୋଭିଡ-୧୯ର ଦ୍ୱିତୀୟ ଲହରୀ ସହ ଲଢ଼େଇ କରୁଛି। ଟିକାକରଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନିଆଯାଇଥିବା ବଳିଷ୍ଠ ପଦକ୍ଷେପକୁ ସମର୍ଥନ କରିବା ତଥା ଦେଶରେ ଦ୍ରୁତଗତିରେ ବଢୁଥିବା ମାମଲାଗୁଡ଼ିକର ଚିକିତ୍ସା ପାଇଁ ସମସ୍ତ ଉପଲବ୍ଧ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ବୃଦ୍ଧି କରାଯିବା ଆବଶ୍ୟକ।

ଓଡ଼ିଶାରେ କୋଭିଡ୍ ମାମଲା ଦ୍ରୁତ ଗତିରେ ବଢ଼ୁଥିବା ବେଳେ ନିକଟରେ ଦୈନିକ ନୂଆ ସଂକମ୍ରଣ ୪ ହଜାର ୭୬୧କୁ ବୃଦ୍ଧି ପାଇଛି। ଅନୁଗୁଳ ଜିଲ୍ଲାରେ ୪୫୩ଟି ସକ୍ରିୟ କୋଭିଡ୍ ମାମଲା ରହିଥିବା ବେଳେ ପ୍ରତିଦିନ ୮୧ରୁ ଅଧିକ ନୂଆ କୋଭିଡ୍ ରୋଗୀ ଚିହ୍ନଟ ହେଉଛନ୍ତି। କୋଭିଡର ପ୍ରଥମ ଲହରି ବେଳେ ୧୪୪ ଶଯ୍ୟା ବିଶିଷ୍ଟ ଏବଂ ୬ଟି ଆଇସିୟୁ ୟୁନିଟ୍ ସହ ତାଳଚେରସ୍ଥିତ ଏମସିଏଲ୍ ହସ୍ପିଟାଲ କୋଭିଡ୍‌ ହସ୍ପିଟାଲ ଭାବେ କାର୍ଯ୍ୟ କରୁଥିଲା। ତେଣୁ ବର୍ତମାନ ସମୟରେ କୋଭିଡ୍‌-୧୯ ମାମଲା ବ୍ୟାପକ ହେଉଥିବାରୁ ଏହି ହସ୍ପିଟାଲକୁ ୧୦୦ଟି ଭେଣ୍ଟିଲେଟର ପ୍ରଦାନ କରାଗଲେ କୋଭିଡ୍‌ ରୋଗୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ। ଏଥିସହ ଅନୁଗୁଳ ଜିଲ୍ଲା ତଥା ଆଖପାଖ ଅଞ୍ଚଳରେ ବଢ଼ୁଥିବା କୋଭିଡ୍ ମାମଲା ପାଇଁ ସଠିକ୍ ମେଡିକାଲ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଏମସିଏଲର ଅଧିକାରୀଙ୍କୁ ଏହି ହସ୍ପିଟାଲରେ ଯଥାଶୀଘ୍ର ୧୦୦ଟି ଭେଣ୍ଟିଲେଟରର ବ୍ୟବସ୍ଥା କରିବାକୁ ଅନୁମତି ଦେବା ପାଇଁ ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର