ଭୁବନେଶ୍ବର : ରାଜ୍ୟରେ ଚାଷୀମାନଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯାଉଛି। ମାତ୍ର କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ କାର୍ଡ ପୋର୍ଟାଲ ଯୋଗୁଁ ଏହା ବିଳମ୍ବିତ ହେଉଛି। ଏହି ନବୀକୃତ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ପୋର୍ଟାଲର ସଂଶୋଧନ ପାଇଁ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ଏହି କ୍ରମରେ ସେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ପତ୍ର ଲେଖିଛନ୍ତି।

Advertisment

୨୦୨୨-୨୩ ମସିହାରୁ ରାଜ୍ୟରେ ଗ୍ରିଡ୍‌ ବ୍ୟବସ୍ଥାରେ ଚାଷୀମାନଙ୍କ କ୍ଷେତରୁ ମୃତ୍ତିକା ନମୁନା ସଂଗ୍ରହ ଏବଂ ପରୀକ୍ଷଣ କରି ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରାଯାଇ ଆସୁଥିଲା। ଏଥିପାଇଁ ପ୍ରସ୍ତୁତ ଏକ ତିନିବର୍ଷିଆ ଯୋଜନାରେ ରାଜ୍ୟର ପ୍ରାୟ ୧୩ ଲକ୍ଷ ୫୭ ହଜାର ଗ୍ରିଡ୍‌ ବ୍ୟବସ୍ଥା କରାଯାଇ ଅଧିକରୁ ଅଧିକ ଚାଷୀ ଓ ଚାଷଜମି ଜୋତକୁ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଛି। ଉଭୟ ଜଳସେଚିତ ଓ ଅଣଜଳସେଚିତ ଜମି ପାଇଁ ଗ୍ରିଡ୍‌ ପିଛା ଯଥାକ୍ରମେ ୨.୫ ହେକ୍ଟର ଓ ୧୦ ହେକ୍ଟର ବ୍ୟବସ୍ଥିତ କରାଯାଇ, ସେଥିରୁ ସମ୍ମିଶ୍ରିତ ନମୁନା ମୃତ୍ତିକା ସଂଗ୍ରହ ଓ ପରୀକ୍ଷଣ କରାଯାଇ ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ଯୋଗାଇଦେବାକୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଥିଲା। ଏହି ଗ୍ରିଡ୍‌ ବ୍ୟବସ୍ଥାରେ ଗୋଟିଏ ସଂଗୃହୀତ ମାଟି ନମୁନା ମାର୍ଫତରେ ଏକାଧିକ ଚାଷୀଙ୍କ ନାମ ପଞ୍ଜୀକରଣ କରିବାର ବ୍ୟବସ୍ଥା ଥିଲା। ଗୋଟିଏ ଗ୍ରିଡ୍‌ରେ ଏକରୁ ଅଧିକ ଚାଷୀମାନଙ୍କର ଜୋତ ସଂଖ୍ୟା ରହୁଥିଲା ଏବଂ ଉକ୍ତ ଗ୍ରିଡ୍‌ରୁ ସଂଗୃହୀତ ସମ୍ମିଶ୍ରିତ ମୃତ୍ତିକା ନମୁନାରେ ଏକାଧିକ ଚାଷୀଙ୍କ ଚାଷ ଜୋତ ରହୁଥିଲା।

ଡିସେମ୍ବର ୨୦୨୨ରେ କେନ୍ଦ୍ର ସରକାର ସେହି ପୋର୍ଟାଲଟିକୁ ବନ୍ଦ କରିଦେଇ ମାର୍ଚ୍ଚ ୨୦୨୩ ମସିହାରେ ଏକ ରୂପାନ୍ତରିତ ପୋର୍ଟାଲର ପ୍ରଚଳନ କଲେ। ନୂତନ ଆପ୍‌ରେ ଗୋଟିଏ ଗ୍ରିଡ୍‌ରୁ ସଂଗୃହୀତ ସମ୍ମିଶ୍ରିତ ନମୁନା ମୃତ୍ତିକା ଅଧୀନରେ ଏକାଧିକ ଚାଷୀଙ୍କ ନାମ ପଞ୍ଜୀକରଣର ସୁବିଧା ନାହିଁ। ଫଳରେ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ପ୍ରସ୍ତୁତ କରି ଚାଷୀମାନଙ୍କୁ ଯୋଗାଇଦେବା ସମ୍ଭବପର ହୋଇପାରୁ ନାହିଁ।