ନେହରୁଙ୍କ ମହାନତା ବିରୋଧୀ ବୁଝିପାରିବେନି: ଅଶୋକ ପାଣ୍ଡେ

ଅକ୍ଷର ଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ଫାଇନାନ୍ସ ଆଣ୍ଡ ପଲିସିର ଆଲୋଚନା ଆସର

ଭୁବନେଶ୍ବର : ଅକ୍ଷର ଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ଫାଇନାନ୍ସ ଆଣ୍ଡ ପଲିସି ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ‘ନେହରୁଙ୍କୁ ଏତେ ଭୟ କାହିଁକି’ ଆଲୋଚନା ଆସର ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଲେଖକ ଓ ଗବେଷକ ଅଶୋକ କୁମାର ପାଣ୍ଡେ ଏଥିରେ ବକ୍ତା ଭାବେ ଯୋଗ ଦେଇ କହିଲେ, ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍‌ ନେହରୁଙ୍କୁ ବର୍ତ୍ତମାନ ଦୋଷୀ ବୋଲି ବିବେଚନା କରାଯାଇ କାଠଗଡ଼ାକୁ ଟଣାଯାଉଛି। ତାଙ୍କ ନାଁରେ ମିଛ ପ୍ରଚାର କରାଯାଇ ତାଙ୍କ ବ୍ୟକ୍ତିତ୍ବକୁ ମଳିନ କରିବାକୁ ଅପଚେଷ୍ଟା କରାଯାଉଛି। ସାମାଜିକ ଗଣମାଧ୍ୟମରେ ଏଥିପାଇଁ ଏଜେଣ୍ଡା ପ୍ରସ୍ତୁତ ହେଉଛି। ଜାତି, ଧର୍ମକୁ ନେଇ ସାଧାରଣ ଲୋକଙ୍କୁ ଉସୁକା ଯାଉଛି। ତେଣୁ ଦେଶବାସୀଙ୍କୁ ସଚେତନ ହେବାକୁ ପଡ଼ିବ।

‘ଅକ୍ଷର’ର ସଂପାଦକ ଅମିୟ ପାଣ୍ଡବଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାରେ ଶ୍ରୀ ପାଣ୍ଡେ କହିଲେ, ଶହଶହ ବର୍ଷ ଧରି ଇଂରେଜମାନେ ଦେଶକୁ ଶାସନ କରୁଥିଲେ। ୧୯୪୭ ମସିହାରେ ଦେଶ ସ୍ବାଧୀନ ହେବା ପରେ ନେହରୁ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଶିଳ୍ପ ଭଳି ଅସଜଡ଼ା ଭିତ୍ତିଭୂମିକୁ ଆଗକୁ ନେଇଥିଲେ। ଆବଶ୍ୟକତାଠାରୁ ଅଧିକ କାମ କରିଥିଲେ। କେବେ ହେଲେ କାନ୍ଧ ଖସାଇ ଦେଇନଥିଲେ। ଦେଶର ବିକାଶ ପାଇଁ ହେଉଥିବା କାର୍ଯ୍ୟର ଶ୍ରେୟ ଅନ୍ୟକୁ ଦେଉଥିଲେ ଏବଂ ସବୁ ତ୍ରୁଟିକୁ ନିଜ ମୁଣ୍ଡରେ ନେଉଥିଲେ। ଏହା ତାଙ୍କର ମହାନତା ଥିଲା। ଆଜିକା ପ୍ରଯୁକ୍ତିବିଦ୍ୟା ଯୁଗରେ ଆମେ ପାଠ୍ୟପୁସ୍ତକ କିମ୍ବା ଇଣ୍ଟରନେଟ୍‌ ସହଯୋଗ ବିନା ଧାଡ଼ିଟିଏ ଲେଖିବା କଷ୍ଟକର। କିନ୍ତୁ ନେହରୁ ‘ଡିସ୍‌କଭରି ଅଫ୍‌ ଇଣ୍ଡିଆ’ ଭଳି ଏକ ପୁସ୍ତକ ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିବା ବେଳେ ଲେଖି ଦେଇଥିଲେ। ଭାରତର ଇତିହାସ, ସଂସ୍କୃତି ଉପରେ ତାଙ୍କର କେତେ ପ୍ରଗାଢ଼ ଜ୍ଞାନ ଥିଲା, ତାହା ସେ ବହି ପଢ଼ିଥିବା ଲୋକ ନିଶ୍ଚୟ ବୁଝିପାରୁଥିବ। କିଛି ଧୂର୍ତ୍ତ ନେହରୁଙ୍କ ପୂର୍ବଜଙ୍କୁ ମୁସଲମାନ୍‌ ବୋଲି ପ୍ରଚାର କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ମୁସଲମାନ ହେବା କ’ଣ ଅପରାଧ ବୋଲି ଶ୍ରୀ ପାଣ୍ଡେ ପ୍ରଶ୍ନ କରିଥିଲେ।

ସେ ଆହୁରି କହିଥିଲେ, ସେତେବେଳେ ଗାନ୍ଧୀଜୀଙ୍କ ସହ ନେହରୁଙ୍କୁ ବି ହତ୍ୟା କରିବାକୁ ଯୋଜନା କରାଯାଇଥିଲା। ନେହରୁ ହିନ୍ଦୁ କୋର୍ଟ ବିଲ୍‌, ସମାଜବାଦ, ଯୋଜନା, ସଂସଦୀୟ ଗଣତନ୍ତ୍ର, ଶିଳ୍ପାୟନକୁ ଗୁରୁତ୍ବ ଦେଉଥିଲେ। ସେ ମହିଳା, ପଛୁଆ ଲୋକଙ୍କୁ ସମାଜରେ ସମାନ ଅଧିକାର ଦେବା କଥା କହୁଥିଲେ। କିନ୍ତୁ ଆର୍‌ଏସ୍‌ଏସ୍‌ ଏସବୁର ବିରୋଧୀ ଥିଲା। ଆର୍‌ଏସ୍‌ଏସ୍‌ ସ୍ବାଧୀନତା ସମୟରେ ‘ମନୁସ୍ମୃତି’କୁ ସମ୍ବିଧାନ କରିବାକୁ ଚାହୁଥିଲା। ସମ୍ବିଧାନ ଆମ୍ବେଦକର ପ୍ରଣିତ କରିଥିଲେ ସତ, କିନ୍ତୁ ଏଥିରେ ନେହରୁଙ୍କୁ ବଡ଼ ଭୂମିକା ଥିଲା। ସେଥିପାଇଁ ନେହରୁଙ୍କୁ ସଂଘ ପରିବାର ଓ ବିଜେପି ଘୃଣା କରି ଆସୁଛି।

ବିଜେପିକୁ ଟାର୍ଗେଟ୍‌ କରି କହିଲେ, ବିଜେପି ପରିବାରବାଦ କଥା କହି ବିରୋଧୀଙ୍କୁ କଟାକ୍ଷ କରୁଛି। ହେଲେ ଆର୍‌ଏସ୍‌ଏସ୍‌ ସଂଘ ମୁଖ୍ୟ ଜୀବିତ ଥିବା ବେଳେ ଅନ୍ୟ ଜଣଙ୍କୁ ମୁଖ୍ୟ କରାଯାଏ ନାହିଁ। ‌ସଂଘ ମୁଖ୍ୟଙ୍କ ମୃତ୍ୟୁବେଳକୁ ସେ ଯାହାକୁ ବାଛିବେ, ସେ ହିଁ ମୁଖ୍ୟ ହୋଇଥା’ନ୍ତି। ବିଜେପି ଦଳ ଗୁଜରାଟ ମଡେଲ୍‌ ଦେଖାଇ, ଲୋକଙ୍କୁ ମିଛ କହି ଶାସନ ଗାଦିକୁ ଆସିଛି ବୋଲି ସେ କହିଥିଲେ। ଏହାବ୍ୟତୀତ ହିନ୍ଦୁତ୍ବ, ଧାରା ୩୭୦ ଉଚ୍ଛେଦ, ଧର୍ମକୁ ନେଇ ଭୋଟ୍‌ବ୍ୟାଙ୍କ ତିଆରି ଆଦି ପ୍ରସଙ୍ଗରେ ବିଜେପି ବିରୋଧରେ ବିଷୋଦ୍‌ଗାର କରିଥିଲେ। କାର୍ଯ୍ୟକ୍ରମରେ ଜଗନ୍ନାଥ ପଟ୍ଟନାୟକ, ପଞ୍ଚାନନ କାନୁନ୍‌ଗୋ, ଚିତ୍ତରଂଜନ ବେହେରା, ସିଦ୍ଧାର୍ଥ ରଂଜନ, ବିସ୍ମୟ ମହାପାତ୍ର, ମୀର ମହମ୍ମଦ ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର