ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ ପାଇଁ କମିଟି ଗଠନ ନିର୍ଦେଶ

ସବୁ ମେଡିକାଲ କଲେଜକୁ ସ୍ବାସ୍ଥ୍ୟ ବିଭାଗର ଚିଠି

ଭୁବନେଶ୍ବର : କୋଭିଡ୍‌ ହସ୍ପିଟାଲ ଗୁଡ଼ିକରେ ମାନବ ସମ୍ବଳର ଅଭାବ ରହିଥିବା ବେଳେ କାର୍ଯ୍ୟରତ କର୍ମଚାରୀଙ୍କ ଉପଯୁକ୍ତ ବିନିଯୋଗ ପାଇଁ ସବୁ ମେଡିକାଲ କଲେଜରେ ଏକ କମିଟି ଗଠନ କରିବା ଲାଗି ନିର୍ଦେଶ ଦିଆଯାଇଛି। ଏହି କମିଟି କର୍ମଚାରୀଙ୍କ ରୋଷ୍ଟର ଡ୍ୟୁଟି ପ୍ରସ୍ତୁତ କରିବେ। ଏହାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରତ୍ୟେକ ମେଡିକାଲ କଲେଜର ଡିନ୍‌ ତଥା ଅଧ୍ୟକ୍ଷଙ୍କ ସହିତ ଅଧୀକ୍ଷକ ଏହି କମିଟିର ଅଧ୍ୟକ୍ଷ ରହିବେ। ଏହାସହ ଏମ୍‌ସିଏଚ୍‌ର ବରିଷ୍ଠ ଅଧ୍ୟାପକ, ସିଡିଏମ୍‌ଓ କିମ୍ବା ତାଙ୍କ ପ୍ରତିନିଧି ସାମିଲ ହେବେ। ଏହି କମିଟିର ସଦସ୍ୟମାନେ ନିୟମିତ ଭାବେ କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିବା ସହିତ କର୍ମଚାରୀଙ୍କ ଡ୍ୟୁଟି ଓ ଆଟେଣ୍ଡାନ୍‌ସର ସମୀକ୍ଷା କରିବେ। କୋଭିଡ୍‌ ହସ୍ପିଟାଲରେ ଥିବା ପାରାମେଡିକାଲ କର୍ମଚାରୀଙ୍କ ରୋଷ୍ଟର ଡ୍ୟୁଟି ପ୍ରସ୍ତୁତ କରାଯିବା ସହିତ କୋଭିଡ୍‌ ଡ୍ୟୁଟି ସମୟରେ ସେମାନେ କଲେଜର ଡିନ୍‌ ଓ ଅଧ୍ୟକ୍ଷଙ୍କ ଅଧୀନରେ ରହିବାକୁ ନିର୍ଦେଶ ଦିଆଯାଇଛି। ମେଡିକାଲ ଗ୍ରାଉଣ୍ଡରେ ଛୁଟି ପାଇଁ ଆବେଦନ କରୁଥିବା କର୍ମଚାରୀଙ୍କ ଛୁଟି ଦରଖାସ୍ତର ସମୀକ୍ଷା ଇନଷ୍ଟିଚ୍ୟୁସନାଲ କମିଟି କରିବା ସହିତ କମିଟି ଦେଉଥିବା ପ୍ରସ୍ତାବକୁ ଗ୍ରହଣ କରାଯିବ। ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀଙ୍କ କିଭଳି ଉପଯୁକ୍ତ ବିନିଯୋଗ ହୋଇପାରିବ ତାହାର ଦାୟିତ୍ବ ହସ୍ପିଟାଲ ମ୍ୟାନେଜରଙ୍କ ଉପରେ ନ୍ୟସ୍ତ କରାଯାଇଛି। ଅକ୍ସିଜେନ୍ ସିଲିଣ୍ଡର ଯୋଗାଣ, ଔଷଧ ଓ ଠିକ୍ ସମୟରେ ରୋଗୀଙ୍କୁ ଖାଦ୍ୟ ପ୍ରଦାନକୁ ନିରୀକ୍ଷଣ କରିବା ସହିତ କୌଣସି ଅବ୍ୟବସ୍ଥା ସଂପର୍କରେ ରିପୋର୍ଟ କରିବା ଲାଗି କୁହାଯାଇଛି।

ସମ୍ବନ୍ଧିତ ଖବର