ମହାନଦୀର ଉଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ, ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ

ଭୁବନେଶ୍ବର: ମହାନଦୀର ଉଦ୍ଧାର ପାଇଁ ଆଜି ପ୍ରଧାନମନ୍ତ୍ରୀଙ୍କ ସମେତ ଓଡ଼ିଶା ଓ ଛତିଶଗଡର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ। ଜଳପୁରୁଷ ରାଜେନ୍ଦ୍ର ସିଂହଙ୍କ ସମେତ ମହାନଦୀ ବଞ୍ଚାଅ ଆନ୍ଦୋଳନର ରାଜ୍ୟ ନେତୃତ୍ୱମାନେ ଏହି ଚିଠି ଲେଖିଛନ୍ତି। ଆନ୍ଦୋଳନ ପକ୍ଷରୁ ଚିଠିରେ କୁହାଯାଇଛି ଯେ କଲମା ବ୍ୟାରେଜରୁ ଛତିଶଗଡ ଓଡ଼ିଶା ପଟକୁ ଆଦୌ ପାଣି ନ ଛାଡିବା ଦୁର୍ଭାଗ୍ୟଜନକ ସହିତ ବେଆଇନ। ପ୍ରତ୍ୟେକ ନଦୀର ପ୍ରାକୃତିକ ପ୍ରବାହ ଆବଶ୍ୟକତାକୁ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଗୁରୁତ୍ଵ ଦିଆଯାଇଛି। ସେଥିପାଇଁ କୌଣସି ନଦୀରେ ଜଳ ବିକାଶ ପ୍ରକଳ୍ପ କରିବା ସମୟରେ ନଦୀର ସର୍ବନିମ୍ନ ଜଳ ପ୍ରବାହ ଯେମିତି ଅକ୍ଷୁର୍ଣ୍ଣ ରହିବ ତାହା ଉପରେ ଗୁରୁତ୍ବ ଦେବା ପାଇଁ ଆଇନରେ ବ୍ୟବସ୍ଥା କରାଯାଇଛି। ମହାନଦୀର ପର୍ଯ୍ୟାବରଣୀୟ ଓ ଜୈବ ବିଭିଦତ୍ତାର ସୁରକ୍ଷା ପ୍ରତି ଏହାକୁ ଅବମାନନା କରାଯାଇଛି। ମହାନଦୀ ତ୍ରିବୁନାଲ ମଧ୍ୟ ଏଥିପ୍ରତି ଗୁରୁତ୍ଵ ଦେଇନାହିଁ କିମ୍ବା ଗତ ୪ବର୍ଷ ଭିତରେ କୌଣସି ଅନ୍ତରୀଣ ନିର୍ଦେଶ ଦେଇନାହିଁ।

ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଚିଠିରେ କଲମା ବ୍ୟରେଜର ୫ ଟି ଗେଟ୍ କୁ ତୁରନ୍ତ ଖୋଲିବା ପାଇଁ ଅନୁରୋଧ କରାଯାଇଛି। ଏହାସହ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ରାଜ୍ୟ ସରକାର ମହାନଦୀର ଜୀବନ ପ୍ରତି ଗୁରୁତ୍ଵ ନ ଦେବାକୁ କଡ଼ା ସମାଲୋଚନା କରାଯିବା ସହିତ ଛତିଶଗଡ ମୁଖ୍ୟମନ୍ତ୍ରୀ ଙ୍କ ସହିତ ତୁରନ୍ତ ଆଲୋଚନା କରି କଲମା ବ୍ୟରେଜର ଗେଟ୍‌ ଖୋଲିବା ପାଇଁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷରେ ପୂର୍ବ ନିଷ୍ପତି ଅନୁଯାୟୀ ଆସନ୍ତାକାଲି ମହାନଦୀର ପ୍ରବେଶ ସ୍ଥାନ ସୁଖସୋଡ଼ା ଓ ସମୁଦ୍ରରେ ମିଳନ ସ୍ଥାନ ପାରାଦୀପର ଚଉମୁହଣିଠାରେ ଗୋଟିଏ ଦିନ ପାଇଁ ମହାନଦୀ ବଞ୍ଚାଅ ଆନ୍ଦୋଳନ ସତ୍ୟାଗ୍ରହ କରିବ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନର ପ୍ରବକ୍ତା ପ୍ରସନ୍ନ ବିଶୋଇ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର