ଲେଭଲ କ୍ରସି˚ଗୁଡ଼ିକର ନିରାପତ୍ତା ସମୀକ୍ଷା ଆରମ୍ଭ : ଗେଟ୍‌ମ୍ୟାନଙ୍କ ଜ୍ଞାନ ପରୀକ୍ଷା ହେବ

ପୁରୀ ଘଟଣା ପରେ ପୂର୍ବତଟ ରେଳପଥର ତତ୍‌ପରତା

ଭୁବନେଶ୍ବର : ପୁରୀ ରେଳ ଷ୍ଟେସନ ନିକଟ ସିଦ୍ଧ ମହାବୀର ରେଳ ଫାଟକ ଖୋଲାଥିବା ବେଳେ ଏକ୍ସପ୍ରେସ ଟ୍ରେନ ଅତିକ୍ରମ ଘଟଣାକୁ ଗୁରୁତ୍ବର ସହ ନେଇଛି ପୂର୍ବତଟ ରେଳପଥ। ନିରାପତ୍ତା ଦୃଷ୍ଟିକୋଣରୁ ଏହି ପ୍ରସଙ୍ଗ ଉପରେ ରେଳପଥ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଘଟଣାର ପ୍ରାଥମିକ ତଦନ୍ତ ଭିତ୍ତିରେ ଲୋକୋ ପାଇଲଟ ଓ ସହକାରୀ ଲୋକୋ ପାଇଲଟଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯିବା ସହ ତଦନ୍ତ ଜାରି ରହିଛି। ସେପଟେ ରେଳପଥ ପକ୍ଷରୁ ଏହାର ସମସ୍ତ ଲେଭଲ କ୍ରସି˚ଗୁଡ଼ିକ ଉପରେ ବ୍ୟାପକ ସମୀକ୍ଷା ଆରମ୍ଭ ହୋଇଛି।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପୂର୍ଣ୍ଣେନ୍ଦୁ ଶେଖର ମିଶ୍ର ସମସ୍ତ କର୍ମଚାରୀ ଓ ଅଧିକାରୀମାନଙ୍କୁ ପ୍ରଣାଳୀରେ ରହିଥିବା ତ୍ରୁଟି ବିଚ୍ୟୁତି ବିଷୟରେ ସୂଚନା ଦେବାକୁ କହିଛନ୍ତି। ସେ ଆହୁରି କହିଛନ୍ତି, ଯେପର୍ଯ୍ୟନ୍ତ ଆମେ ନିଜର ତ୍ରୁଟି ଓ ଦୁର୍ବଳତାକୁ ସ୍ବୀକାର କରି ସୁଧାରି ନପାରିବା ସେପର୍ଯ୍ୟନ୍ତ ବିକାଶ କିମ୍ବା ପରିବର୍ତନ ହୋଇପାରିବନି। କନିଷ୍ଠ କର୍ମଚାରୀମାନଙ୍କଠାରୁ ସମସ୍ୟାକୁ ଜାଣିବା ପାଇଁ ସେ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପୂର୍ବତଟ ରେଳପଥର ସମଗ୍ର ଲେଭଲ କ୍ରସି˚ ନେଟୱର୍କର ବ୍ୟାପକ ସମୀକ୍ଷା କରିବାକୁ ସେ ଆହ୍ବାନ ଦେଇଛନ୍ତି।

ପୂର୍ବତଟ ରେଳପଥ ଅଧୀନରେ ଏବେ ୮୨୮ଟି ଲେଭଲ କ୍ରସି˚ ରହିଛି। ପ୍ରତ୍ୟେକ ଲେଭଲ କ୍ରସି˚କୁ ସମୀକ୍ଷା କରାଯାଉଛି। ଏହି ସମୀକ୍ଷାରେ ଲେଭଲ କ୍ରସି˚ରେ ସବୁ ପ୍ରକାର ନିରାପତ୍ତା ବିଷୟକୁ ଗୁରୁତ୍ବ ପ୍ରଦାନ କରାଯାଇଛି। ବୁମ୍‌ ବ୍ୟାରିୟରଠାରୁ ଆରମ୍ଭ କରି ସ˚ଯୁକ୍ତ ସଡ଼କ, ସାଇରନ, ସତର୍କତାଫଳକ ଆଦି ଦିଗଗୁଡ଼ିକ ଉପରେ ବ୍ୟାପକ ଯାଞ୍ଚ ହେବ। ଗେଟମ୍ୟାନଙ୍କୁ ତାଙ୍କର କାର୍ଯ୍ୟକାରୀ ଜ୍ଞାନ ବିଷୟରେ ପରୀକ୍ଷା କରାଯିବ। ଲେଭଲ୍‌ କ୍ରସି˚ର ନକ୍ସାକୁ ମଧୢ ପ୍ରକୃତ ଭୂପୃଷ୍ଠସ୍ତର ସହିତ ଉପଯୁକ୍ତ ରଖାଯାଇ ଅସଙ୍ଗତିକୁ ଦୂର କରାଯିବ। ଲେଭଲ କ୍ରସିଂ ପାର୍‌ ହେବା ପାଇଁ ଲୋକୋ ପାଇଲଟମାନଙ୍କୁ ଏହାର ନିୟମ ବିଷୟରେ ପରୀକ୍ଷା ମାଧୢମରେ ଅବଗତ କରାଯିବ। ପରାମର୍ଶ ଓ ଆପୋସ ଆଲୋଚନା ମାଧୢମରେ ଏହି ପରୀକ୍ଷା ହେବ।

ମହାପ୍ରବନ୍ଧକ ଶ୍ରୀ ମିଶ୍ରଙ୍କ କହିବାନୁଯାୟୀ ନିରାପତ୍ତା ଅଭିଯାନର ଉଦ୍ଦେଶ୍ୟ ହେଉଛି, ରେଳପଥ କର୍ମଚାରୀମାନଙ୍କ ସହ ଷ୍ଟେକହୋଲଡର୍‌ଙ୍କ ମଧୢରେ ଆତ୍ମବିଶ୍ବାସ ସୃଷ୍ଟି କରିବା। ଏ ବିଷୟରେ ଅଧିକରୁ ଅଧିକ ସଜାଗ ସୃଷ୍ଟି କରାଇବା। ପୁରୀଠାରେ ଘଟିଥିବା ପରିସ୍ଥିତ ମାନବିକ ତ୍ରୁଟି ହେତୁ ଆରୋପଣୀୟ। ଏହିପରି ଆଉ କିଛି ସମସ୍ୟା ଯାହାକୁ ଆମେ ଦୂର କରିବା ଆବଶ୍ୟକ। ରେଳପଥ ପ୍ରଣାଳୀରେ ତ୍ରୁଟି ପାଇଁ କୌଣସି କ୍ଷମା ନାହିଁ। କାର୍ଯ୍ୟରେ ଅବହେଳାକୁ କଦାପି ବରଦାସ୍ତ କରାଯାଇପାରିବନି। ସବୁ ଲେଭଲ କ୍ରସି˚ଗୁଡ଼ିକରେ ଚାଲୁ ରହିଥିବା ସମୀକ୍ଷା ଦ୍ବାରା ସମସ୍ୟା ଦୂର ହୋଇପାରିବ। ଲେଭଲ କ୍ରସି˚ରେ ସାଧାରଣ ଅଭିଯୋଗ ଓ ନିର୍ଦ୍ଦିଷ୍ଟ ସମସ୍ୟା ଉପରେ ଅଭିଯୋଗକୁ ମଧୢ ଗୁରୁତ୍ବ ପ୍ରଦାନ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର