ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡ଼ୁଥିବା ଆଉ ୩ଟି ଟ୍ରେନରେ ଏଲ୍‌ଏଚ୍‌ବି କୋଚ୍‌

ଭୁବନେଶ୍ବର : ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡ଼ୁଥିବା ଆଉ ୩ଟି ଟ୍ରେନ୍‌ରେ ରାଜଧାନୀ ଏକ୍ସପ୍ରେସ ଭଳି କୋଚ୍ ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନିଆଯାଇଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ଗସ୍ତ ସମୟରେ ଭୁବନେଶ୍ୱର-କେଏସଆର ବେଙ୍ଗାଲୁରୁ ପ୍ରଶାନ୍ତି ସ୍ପେସାଲରେ ରାଜଧାନୀ କୋଚ ଭଳି ଯାତ୍ରା ସୁବିଧାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଆହୁରି ଦୁଇଟି ଟ୍ରେନରେ ଏହି ସୁବିଧା ଯୋଗାଇବାକୁ ମଧ୍ୟ ଘୋଷଣା କରିଥିଲେ। ଏବେ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ଦୂରନ୍ତ ଏକ୍ସପ୍ରେସ, ଭୁବନେଶ୍ୱର-ଆନନ୍ଦ ବିହାର(ଦିଲ୍ଲୀ)-ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ(ଭାୟା ଅନୁଗୁଳ ଓ ରାଉରକେଲା)ରେ ମଧ୍ୟ ଆଧୁନିକ ଏଲ୍‌ଏଚ୍‌ବି କୋଚ୍‌ ଉପଲବ୍ଧ ହୋଇଛି। ଏହି କୋଚ୍‌ଗୁଡ଼ିକରେ ଅଗ୍ନି ନିରାପତ୍ତା, କମ୍ ରକ୍ଷଣାବେକ୍ଷଣ, ଅଧିକ ଯାତ୍ରୀ ପରିବହନ କ୍ଷମତା, ଅଧିକ ସୁରକ୍ଷିତ ଓ ଆରାମଦାୟକ ଯାତ୍ରାର ସୁବିଧା ରହିଛି।

ଏଥିସହ ପୂର୍ବତଟ ରେଳପଥ ପରିସୀମାରୁ ଛାଡ଼ୁଥିବା ଆଉ କିଛି ଟ୍ରେନ୍‌ରେ ମଧ୍ୟ ଏହି ସୁବିଧା ଯୋଗାଇ ଦିଆଯିବ। ଉକ୍ତ ଟ୍ରେନ୍‌ଗୁଡ଼ିକ ହେଲା, ବିଶାଖାପାଟଣା-ଚେନ୍ନାଇ-ବିଶାଖାପାଟଣା ଏକ୍ସପ୍ରେସ୍‌(୨୨୮୬୯/୨୨୮୭୦) ବିଶାଖାପାଟଣାରୁ ଜୁଲାଇ ୧୧ରୁ ଓ ଚେନ୍ନାଇରୁ ଜୁଲାଇ ୧୨ରୁ, ବିଶାଖାପାଟଣା-ସାଇ ନଗର ଶିରିଡ଼ି-ବିଶାଖାପାଟଣା ଏକ୍ସପ୍ରେସ(୧୮୫୦୩/୧୮୫୦୪)ରେ ବିଶାଖାପାଟଣାରୁ ଜୁଲାଇ ୭ରୁ ଓ ସାଇନଗର ଶିରିଡ଼ିରୁ ଜୁଲାଇ ୮ରୁ। ଏହାବ୍ୟତୀତ, ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଚଳାଚଳ କରୁଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍‌ ଯଥା ହାଓଡ଼ା-ଚେନ୍ନାଇ-ହାଓଡ଼ା ମେଲ(୧୨୮୩୯/୧୨୮୪୦) ଓ ହାଓଡ଼ା-ଚେନ୍ନାଇ-ହାଓଡ଼ା କରମଣ୍ଡଳ ଏକ୍ସପ୍ରେସ(୧୨୮୪୧/୧୨୮୪୨)ରେ ମଧ୍ୟ ଏହି ସୁବିଧା ଗତ ୫ତାରିଖରୁ ଉପଲବ୍ଧ ହୋଇଛି। ଏବେ ସୁଦ୍ଧା ୪୯ଟି ଟ୍ରେନ୍‌ରେ ରାଜଧାନୀ ଏକ୍ସପ୍ରେସ ପରି କୋଚ୍ ଉପଲବ୍ଧ କରାଯାଇଛି।

ସମ୍ବନ୍ଧିତ ଖବର