ହୀରାଖଣ୍ଡ ଏକ୍ସପ୍ରେସର ଏଲଏଚବି କୋଚ ମାସକ ମଧ୍ୟରେ ପରିବର୍ତ୍ତନ! ଭଙ୍ଗା ଦଦରା ପୁରୁଣା କୋଚ ସଂଯୋଗ କରିବା ଅଭିଯୋଗ  

ଜୟପୁର: ଭୁବନେଶ୍ବରରୁ ଜଗଦଲପୁର ଓ ଜଗଦଲପୁରରୁ ଭୁବନେଶ୍ବର ଚାଳୁଥିବା ହୀରାଖଣ୍ଡ ଏକ୍ସପ୍ରେସରେ ଗତ ମାସ ୧୦ତାରିଖ ଦିନ ଜର୍ମାନ ଜ୍ଞାନକୌଶଳରେ ନିର୍ମିତ ଏଲ୍ଏଚବି କୋଚ ଲାଗିଥିବା ନୂଆ ଟ୍ରେନ ଚଳାଚଳ କରିଥିଲା, ଯାହାକି ଦେଶ ସ୍ବାଧୀନତାର ପ୍ରଥମ କରି ଏଭଳି ନୂଆ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ସେବା ଯୋଗାଉ ଥିବା ଟ୍ରେନଟି କୋରାପୁଟ ଜିଲ୍ଲାକୁ ଆସିଥିଲା। ତେବେ ମାସେ ପୂରିବା ମଧ୍ୟରେ ଏହାର ବହୁ କୋଚକୁ ରେଳବିଭାଗ ପରିବର୍ତ୍ତନ କରିଥିବା ଅଭିଯୋଗ କରିଛନ୍ତି ଯାତ୍ରୀ ଅଜୟ ମିଶ୍ର, ଶୁଭମ୍ ମିଶ୍ର, ପ୍ରଦୀପ୍ତ ସାହୁ, ଚିନ୍ନୁ ପଟ୍ଟନାୟକ, ରମେଶ ପଟ୍ଟନାୟକ, ପବିତ୍ର ତ୍ରିପାଠୀ।

ଏହି ଏକ୍ସପ୍ରେସର ଦୀନଦୟାଲ, ଏସ-୧, ଏସ-୨କୁ ବାଦ୍ ଦେଲେ ଅନ୍ୟ ସବୁ ପୁର୍ବରୁ ଲାଗିଥିବା ପୁରୁଣା କୋଚ ଗୁଡ଼ିକ ଲାଗିଥିବା ଦେଖିବାକୁ ମିଳିଛି। ଖାସ୍ କରି ଶୀତତାପନିୟନ୍ତ୍ରିତ ଏ-୧, ଏ-୨, ବି-୧,ବି-୨ ଆଦି ୨୦୦୭ମସିହାରେ ନିର୍ମାଣ ହୋଇଥିବା କୋଚ ଗୁଡ଼ିକ ଲାଗିଛି। ଏହି କୋଚ ଗୁଡ଼ିକର ଶୌଚାଳୟ ଏବଂ କୋଚର ଅବସ୍ଥା ଅତ୍ୟନ୍ତ ଦୟନୀୟ ବୋଲି ଶୁଭମ୍ ମିଶ୍ର ଅଭିଯୋଗ କରି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମେଲ୍ ଜରିଆରେ ଅଭିଯୋଗ କରିଛନ୍ତି। ଦେଶ ସ୍ବାଧୀନତା ପର ଠାରୁ ଏଭଳି ନୂଆ ତଥା ଅତ୍ୟାଧୁନିକ ଞାନ କୌଶଳର କୋଚ ଲାଗିଥିବା ଟ୍ରେନ ପ୍ରଥମ କରି ଚଳାଚଳ କରିବା ପରେ ଅବିଭକ୍ତ କୋରାପୁଟଜିଲ୍ଲାବାସୀ ଖୁସି ପ୍ରକଟ କରିଥିଲେ। ତେବେ ଅଚାନକ କୋଚ ପରିବର୍ତ୍ତନ କୁ ନେଇ ଯାତ୍ରୀ ମାନେ ନାଖୁସ୍ ହୋଇଛନ୍ତି।

ଜୈନେକ ଟିଟିଇଙ୍କୁ ଷ୍ଟେସନରେ ଏସଂପର୍କରେ ପଚାରିବାରେ ସେ ତାଙ୍କ ନାଁ ନ ଦେବାକୁ ଅନୁରୋଧ କରି ଏଠାକାର କୋଚକୁ ରାଜଧାନୀ ଏକ୍ସପ୍ରେସରେ ସଂଯୋଗ କରାଯାଇଥିବା କହିଥିଲେ। ପୂର୍ବରୁ ବି କିଛି ପୁରୁଣା ଏସି କୋଚକୁ ନୂଆ ରଂଗ ଦେଇ ସିଟକୁ ସାମାନ୍ୟ ପରିବର୍ତ୍ତନ କରି ଦେଇଥିଲେ। ଏହାକୁ ବିରୋଧ କରି ନୂଆ କୋଚ ତୁରନ୍ତ ଦେବାକୁ ବି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଦେବା ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଛି ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ଏବେ ପୁଣି ଏଭଳି କରିବା ଦୁର୍ଭାଗ୍ୟଜନକ। ତୁରନ୍ତ କୋଚ ପରିବର୍ତ୍ତନ ନହେଲେ ବାଧ୍ୟ ହୋଇ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି ବିଧାୟକ।

 

ସମ୍ବନ୍ଧିତ ଖବର