ଲିବର୍ଟି ହାଉସ ମାଡ଼ିବସିଛି ୧୦୦ କୋଟିର ସରକାରୀ ଜମି! ନିର୍ମାଣ କରୁଛି ବେଆଇନ ପାଚେରୀ

କାଗଜପତ୍ର ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ : ତହସିଲଦାର

ରାଉରକେଲା : ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ କୁଆରମୁଣ୍ଡା ଚାର୍ଡିହରିହରପୁରସ୍ଥ ଲିବର୍ଟି ହାଉସ୍‌ କାରଖାନା ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହେଉଛି। ଆଧୁନିକ ‌ମେଟାଲିକ୍ସ୍ କାରଖାନାକୁ କିଣିବା ପରେ କାରଖାନାରେ କାର୍ଯ୍ୟରତ ଉଚ୍ଚ ଅଧିକାରୀ ସରକାରୀ ବିରୋଧୀ କାର୍ଯ୍ୟ କରୁଥିବାର ବାରମ୍ବାର ଅଭିଯୋଗ ହେଉଛି। ସରକାରୀ ଜମି ଜବରଦଖଲ, ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା ହେଉ ଅବା କାର୍ଯ୍ୟରତ ଶ୍ରମିକଙ୍କ ବକେୟା ପାଉଣାକୁ ଆଦି ସମସ୍ୟା ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା ଓ ଶ୍ରମିକମାନେ ଆନ୍ଦୋଳନ କରୁଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଲିବର୍ଟି ହାଉସର ମନଇଚ୍ଛା କାର୍ଯ୍ୟକୁ କଢ଼ା ବିରୋଧ ମଧ୍ୟ କରିଛନ୍ତି। ଏହା ସତ୍ବେ କାରଖାନା କର୍ତ୍ତୃପକ୍ଷ ଓ କାର୍ଯ୍ୟରତ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ କାର୍ଯ୍ୟଶୈଳୀର କୌଣସି ପରିବର୍ତ୍ତନ ଆସୁନି। ଏବେ ୧୪୩ ନଂ ଜାତୀୟ ରାଜପଥ ପାର୍ଶ୍ବରେ ପ୍ରାୟ ୧୦ ୦ କୋଟିର ମୂଲ୍ୟବାନ ଜମିକୁ ପର୍ଯ୍ୟାୟକ୍ରମେ ମାଡ଼ି ବସିଥିବା ଭଳି ସାଂଘାତିକ ଅଭିଯୋଗ କାରଖାନା ବି‌ରୋଧରେ ଆସିଛି।

କାରଖାନା ପ୍ରତିଷ୍ଠା ବେଳେ ଜିଲ୍ଲା ପ୍ରଶାସନ ଠାରୁ ଯେତିକି ଜମି ଅଧିଗ୍ରହଣ କରିଥିଲା, ତା’ଠାରୁ ଅଧିକ ୩୦ ଜମି ନିଜ ଅକ୍ତିଆରକୁ ନେଇ ସାରିଛି ବୋଲି ଅଭିଯୋଗ ରହିଛି। ଏଥିପାଇଁ ସ୍ଥାନୀୟ ତହସିଲଦାରଙ୍କଠାରୁ କୌଣସି ଅନୁମତି ନେଇନାହିଁ। ସବୁଠାରୁ ଆଶ୍ଚର୍ଯ୍ୟ କଥା, ମାଡ଼ିବସିଥିବା ଜମି ଚତୁଃପାର୍ଶ୍ବରେ ପାଚେରୀ ନିର୍ମାଣ କାମ ଆରମ୍ଭ ହୋଇ ସାରିଛି। ନିକଟରେ ସ୍ଥାନୀୟ ଅଞ୍ଚଳବାସୀ ନିର୍ମାଣଧୀନ ପାଚେରୀରୁ କିଛି ଅଂଶ ଭାଙ୍ଗିଦେବା ପରେ କାରଖାନା କର୍ତ୍ତୃପକ୍ଷ କାମ ବନ୍ଦ ରଖିଛନ୍ତି। ସେପଟେ ଦିନକୁ ଦିନ ଏକର ପରେ ଏକର ମୂଲ୍ୟବାନ ଜମିକୁ କାରଖାନା ନିଜ ଅଧୀନକୁ ନେଇ ଚାଲିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। କେବଳ କାରଖାନା କର୍ତ୍ତୃପକ୍ଷଙ୍କୁ ଦାଗିଦ୍‌ କରି କାମସାରି ଦେଇଛନ୍ତି। ଯାହାର ଭରପୂର ଫାଇଦା ଉଠାଉଛନ୍ତି କାରଖାନାରେ କାର୍ଯ୍ୟରତ କିଛି ଉଚ୍ଚ ଅଧିକାରୀ। ଏଥିସହ ସ୍ଥାନୀୟ ନିଯୁକ୍ତିକୁ କାରଖାନା କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି ବୋଲି ଅଭିଯୋଗ ହେଉଛି। ସରକାରୀ ନିୟମ ଅନୁଯାୟୀ ୭୦% ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦେବା ପରିବର୍ତ୍ତେ ବାହାରୁ ଶ୍ରମିକଙ୍କୁ ଅଣାଯାଇ କାମ କରାଯାଉଛି। ପାରିପାର୍ଶ୍ବିକ ବିକାଶ ପାଣ୍ଠି (ସିଏସ୍‌ଆର୍‌)ରୁ ଟଙ୍କାଟିଏ ସ୍ଥାନୀୟ ଅଞ୍ଚଳରେ ଖର୍ଚ୍ଚ କରାଯାଉ ନାହିଁ। କୁଆରମୁଣ୍ଡା ବ୍ଲକ ନିକଟରେ କାରଖାନା ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରିଥିଲେ। ଏହି ପ୍ରକଳ୍ପରୁ ହଜାର ହଜାର ଲୋକ ଉପକୃତ ହେଉଥିଲେ। କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

କାରଖାନା ବିରୋଧରେ ଆସିଥିବା ଏଭଳି ଅଭିଯୋଗ ସଂକ୍ରାନ୍ତରେ କୁଆରମୁଣ୍ଡା ତହସିଲଦାର ଡକ୍ଟର ରାଜେଶ କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ‘‘ମୁଁ ନୂଆ କରି ଯୋଗଦେଇଛି। ତେଣୁ ଏ ସଂକ୍ରାନ୍ତରେ ଜାଣିନାହିଁ। କାରଖାନା ଅଧିଗ୍ରହଣ କରିଥିବା ଜମି ସଂକ୍ରାନ୍ତୀୟ କାଗଜପତ୍ର ଯାଞ୍ଚ କରିବା ପରେ କେତେ ଜମି ମାଡ଼ିବସିଛି, କହିପାରିବି। ଯଦି ଘଟଣା ସତ ହୋଇଥାଏ, ଆଇନ ଅନୁଯାୟୀ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ।’’

ଉଲ୍ଲେଖଯୋଗ୍ୟ, କୁଆରମୁଣ୍ଡା ବ୍ଲକ ଅନ୍ତର୍ଗତ ଚାର୍ଡିହରିହରପୁର ଠାରେ ଗତ ୧୮ ବର୍ଷ ତଳେ ଆଧୁନିକ ମେଟାଲିକ୍ସ କାରଖାନା ପ୍ରତିଷ୍ଠା ହୋଇଥିଲା। ଅତ୍ୟଧିକ ଋଣ ଭାର ଓ ଅନ୍ୟାନ୍ୟ କାରଣରୁ କାରଖାନା ବନ୍ଦ ହୋଇଯାଇଥିଲା। କାରଖାନା‌ରେ କାମ କରୁଥିବା ଶ୍ରମିକମାନେ କର୍ମସଂସ୍ଥାନ ହରାଇଥିଲେ। କିଛି ସ୍ଥାୟୀ ଶ୍ରମିକ ନିଜର ବକେୟା ଦରମା ଓ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଆନ୍ଦୋଳନ ଜାରି ରଖିଥିଲେ। ଗତ ୨୦୧୮ ଏପ୍ରିଲରେ ବ୍ରିଟେନ୍‌ର ଲିବର୍ଟି ହାଉସ ଆଧୁନିକ ମେଟାଲିକ୍ସକୁ ୪୬୦ କୋଟି ଟଙ୍କାରେ କିଣିବାକୁ ସହମତି ପ୍ରକାଶ କରିଥିଲେ। ୨୦୨୦ରେ କାରଖାନାକୁ କିଣିଥିଲେ। ଏବେ କାରଖାନାରେ ପ୍ରାୟ ୧୧ ଶହ ସ୍ଥାୟୀ ଓ ୨୦୦ରୁ ଅଧିକ ଅସ୍ଥାୟୀ ଶ୍ରମିକ କାମ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ସ୍ଥାୟୀ ଶ୍ରମିକଙ୍କୁ ୨୨ ମାସର ବକେୟା ଦରମାର ମିଳିନାହିଁ। ଅବଶ୍ୟ ଲିବର୍ଟି ହାଉସ ଯେବେଠାରୁ କାରଖାନାକୁ ଚାଲୁ କରିଛି, ସେବେଠାରୁ କର୍ମଚାରୀଙ୍କୁ ଦରମା ଦେଇଆସୁଛି। କାରଖାନାର ମୋଟ ୧୧ ୟୁନିଟ୍‌ ମଧ୍ୟରୁ ବର୍ତ୍ତମାନ ୩ଟି ୟୁନିଟ୍‌ କାର୍ଯ୍ୟକ୍ଷମ ରହିଛି।

ସମ୍ବନ୍ଧିତ ଖବର