ରଗଡ଼ି : ଘର ନିର୍ମାଣ ପାଇଁ ଆଣିଥିବା ଋଣ ନଶୁଝିବାରୁ ଋଣ ପ୍ରଦାନକାରୀ ସଂସ୍ଥା ଏଲଆଇସି ପକ୍ଷରୁ ଆଜି ସମ୍ପୃକ୍ତ ଘରକୁ ସିଲ୍ କରାଯାଇଛି। କୋରେଇ ଥାନା ଅନ୍ତର୍ଗତ ତଳଗଡ଼ ପଞ୍ଚାୟତ ନୂଆଗଡ଼ ଗ୍ରାମରେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ପ୍ରକାଶ ଯେ, ନୂଆଗଡ଼ ଗ୍ରାମର ନାରାୟଣ ପଣ୍ଡା କଟକସ୍ଥିତ ଏଲ୍ଆଇସି ଶାଖା କାର୍ଯ୍ୟାଳୟରୁ ୨୦୧୭ ମସିହାରେ ଗୃହ ନିର୍ମାଣ ପାଇଁ ଋଣ ଆଣିଥିଲେ। ଠିକ୍ ସମୟରେ ଋଣ ପରିଶୋଧ ନକରିବାରୁ ଋଣ ପରିମାଣ ବଢ଼ି ୧ କୋଟି ୧୪ ଲକ୍ଷରେ ପହଞ୍ଚିଥିଲା। ଫଳରେ ଏଲଆଇସି ପକ୍ଷରୁ ନୋଟିସ ଦିଆଯାଇଥିଲା। ଶ୍ରୀ ପଣ୍ଡା ଏହାର କୌଣସି ଉତ୍ତର ନରଖିବାରୁ ଏଲଆଇସି କର୍ତ୍ତୃପକ୍ଷ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ମାନ୍ୟବର ଅଦାଲତଙ୍କ ନିର୍ଦେଶ କ୍ରମେ ଯାଜପୁର ଜିଲ୍ଲାପାଳ ସମ୍ପୃକ୍ତ ଗୃହକୁ ସିଲ୍ କରିବା ପାଇଁ ନିର୍ଦେଶ ଦେଇଥିଲେ। ଆଜି ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ତଥା ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ, ଭୁବନେଶ୍ବରସ୍ଥିତ ସିଆଇଡି ଏନଫୋର୍ସମେଣ୍ଟ ସଂସ୍ଥାର ନିର୍ଦେଶକ କେଶବ ଚନ୍ଦ୍ର ପଣ୍ଡା ଓ କୋରେଇ ଥାନା ଆଇଆଇସି ସଂଘମିତ୍ରା ନାୟକ ସଦଳବଳ ନୂଆଗଡ଼ ଠାରେ ପହଞ୍ଚି ଉକ୍ତ ଘରକୁ ସିଲ୍ କରିଥିଲେ।
ଆସନ୍ତା ୭ ଦିନ ମଧ୍ୟରେ ଶ୍ରୀ ପଣ୍ଡା ୧ କୋଟି ୧୩ ଲକ୍ଷ ଟଙ୍କା ପୈଠ କଲେ ସମ୍ପୃକ୍ତ ଘରକୁ ମୁକ୍ତ କରାଯିବ ବୋଲି ଏନଫୋର୍ସମେଣ୍ଟ ସଂସ୍ଥାର ଜନୈକ ଅଧିକାରୀ କହିଛନ୍ତି। ନହେଲେ ଚୁକ୍ତି ଅନୁଯାୟୀ, ଏହି ଘରକୁ ଏଲ୍ଆଇସି ପକ୍ଷରୁ ନିଲାମ କରାଯିବ ବୋଲି ସୂଚନା ଦିଆଯାଇଛି। ଆଜିର କାର୍ଯ୍ୟାନୁଷ୍ଠାନ ପାଇଁ ଏଲଆଇସି ପକ୍ଷରୁ ପୁଲିସ ଚାଲାଣ ବାବଦକୁ ୬୨ ହଜାର ଟଙ୍କା ଜମା କରାଯାଇଥିବା ବେଳେ ମୋଟ୍ ୧ଲକ୍ଷ ୧୩ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା।
Follow Us